ଖୋଲା ଆକାଶ ତଳେ ଅଂଚଳପୁର ଅଙ୍ଗନୱାଡ଼ି କେନ୍ଦ୍ର
ନୂଆପଡ଼ା,୧୮ ନଭେମ୍ବର (ହି.ସ.)- ମହିଳା ଓ ଶିଶୁଙ୍କ ପୁଷ୍ଟି ସୁରକ୍ଷା ସହ ଶିଶୁଙ୍କ ପ୍ରାକ୍ ବିଦ୍ୟାଳୟ ଶିକ୍ଷାର ମୂଳଦୁଆ ହେଉଛି ଅଙ୍ଗନୱାଡ଼ି କେନ୍ଦ୍ର। ଏଥିପାଇଁ ସରକାର ପ୍ରତିବର୍ଷ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ହେଲେ ଯେଉଁଠି ପିଲାଙ୍କ ଭବିଷ୍ୟତ ଗଢ଼ିବା କଥା, ସେଠି ପିଲାଙ୍କ ପାଇଁ ନାହିଁ ମୁଣ
Khola Akash tale anganwadi


ନୂଆପଡ଼ା,୧୮ ନଭେମ୍ବର (ହି.ସ.)- ମହିଳା ଓ ଶିଶୁଙ୍କ ପୁଷ୍ଟି ସୁରକ୍ଷା ସହ ଶିଶୁଙ୍କ ପ୍ରାକ୍ ବିଦ୍ୟାଳୟ ଶିକ୍ଷାର ମୂଳଦୁଆ ହେଉଛି ଅଙ୍ଗନୱାଡ଼ି କେନ୍ଦ୍ର। ଏଥିପାଇଁ ସରକାର ପ୍ରତିବର୍ଷ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ହେଲେ ଯେଉଁଠି ପିଲାଙ୍କ ଭବିଷ୍ୟତ ଗଢ଼ିବା କଥା, ସେଠି ପିଲାଙ୍କ ପାଇଁ ନାହିଁ ମୁଣ୍ଡ ଗୁଞ୍ଜିବାକୁ ଘର। ନା ଅଛି ଶ୍ରେଣୀଗୃହ, ନା ଅଛି ରୋଷେଇ ଘର। ଏପରିକି ରାସ୍ତାକଡ଼ରେ ଖୋଲା ଆକାଶ ତଳେ ଚାଲିଛି ପିଲାଙ୍କ ପାଠପଢ଼ା ଓ ରୋଷେଇ। ଏ ଦୃଶ୍ୟ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସରଧାପୁର ଗ୍ରାମ ପଂଚାୟତର ଅଂଚଳପୁର ଗାଁର। ଦୀର୍ଘ ୧୦ ବର୍ଷ ହେଲା ଏଭଳି ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର। ୧୯୮୪ ମସିହାରେ ଖୋଲିଥିଲା ଅଂଚଳପୁର ଅଙ୍ଗନୱାଡ଼ି କେନ୍ଦ୍ର-୧। ଗାଁର ଛୋଟ ଛୋଟ ପିଲାଙ୍କୁ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ସହ ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଥିଲା ଏହାର ଉଦ୍ଦେଶ୍ୟ। ଦିନେ ଏହି କେନ୍ଦ୍ରର ନିଜସ୍ୱ ଗୃହ ମଧ୍ୟ ଥିଲା। ହେଲେ ପ୍ରାୟ ୧୦ ବର୍ଷ ତଳେ ଗୃହଟି ଭାଙ୍ଗିଯିବା ପରେ ଆଉ ନିର୍ମାଣ ହୋଇପାରିନି ନୂତନ ଗୃହ। ଫଳରେ ଏବେ ରାସ୍ତାକଡ଼ରେ ଖୋଲା ଆକାଶ ତଳେ ଚାଲିଛି କେନ୍ଦ୍ର। ବର୍ଷା ହେଉ କି ଖରା, ପିଲାଙ୍କ ପାଠପଢ଼ା ଓ ରୋଷେଇ ପାଇଁ ନାହିଁ ସୁରକ୍ଷିତ ସ୍ଥାନ। ଏହି କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି ଅନେକ ହିତାଧିକାରୀ। ବର୍ତମାନ ପ୍ରାକ୍ ବିଦ୍ୟାଳୟରେ ୨୪ ଜଣ ଶିଶୁ ଥିବାବେଳେ ଶୂନରୁ ୩ ବର୍ଷ ବୟସର ୨୨ ଜଣ ଶିଶୁ ଅଛନ୍ତି। ସେହିପରି ୫ ଜଣ ଗର୍ଭବତୀ, ୨ ଜଣ ପ୍ରସୂତି ଓ ୧୮ ଜଣ କିଶୋରୀ ଏହି କେନ୍ଦ୍ରରୁ ସେବା ପାଉଛନ୍ତି। ହେଲେ ପରିତାପର ବିଷୟ, ଏତେ ସଂଖ୍ୟକ ହିତାଧିକାରୀଙ୍କ ପାଇଁ ନାହିଁ ଉପଯୁକ୍ତ ଭିତିଭୂମି। ପିଲାଙ୍କ ପାଇଁ ରୋଷେଇ କାର୍ଯ୍ୟ ମଧ୍ୟ ଖୋଲା ଆକାଶ ତଳେ କରିବାକୁ ପଡ଼ୁଛି। ଏଭଳି ପରିବେଶରେ ପିଲାଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ଶିକ୍ଷା କେତେ ସୁନିଶ୍ଚିତ, ତାହା ଏବେ ବଡ଼ ପ୍ରଶ୍ନ ଉଠିଛି। ସରକାର ଶିଶୁ ଓ ମହିଳାଙ୍କ ପୁଷ୍ଟି ସୁରକ୍ଷା ପାଇଁ ଆଇସିଡିଏସ୍ ଯୋଜନାରେ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ନୂଆ ଅଙ୍ଗନୱାଡ଼ି ଗୃହ ନିର୍ମାଣ, ଶିଶୁଙ୍କ ଯତ୍ନ ଓ ପୁଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ରହିଛି ବିଭିନ୍ନ ବ୍ୟବସ୍ଥା। ହେଲେ ଅଂଚଳପୁରର ଚିତ୍ର କହୁଛି ଯୋଜନାର ବାସ୍ତବତା। ଦଶ ବର୍ଷ ଧରି ଏକ ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ ହୋଇନପାରିବା ପ୍ରଶାସନିକ ତତ୍ପରତା ଉପରେ ଉଠାଇଛି ପ୍ରଶ୍ନ। ଏବେ ଗ୍ରାମବାସୀଙ୍କ ଦାବି, ତୁରନ୍ତ ଏହି କେନ୍ଦ୍ରର ନୂତନ ଗୃହ ନିର୍ମାଣ କରାଯାଉ। ଯାହାଦ୍ୱାରା ଶିଶୁ ଓ ମହିଳାମାନେ ସୁରକ୍ଷିତ ପରିବେଶରେ ସେବା ପାଇପାରିବେ। ନହେଲେ ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏନେଇ ଖଡିଆଳ ବିଡ଼ିଓ ମିଳନ କୁମାର ଝାଙ୍କର କହିଛନ୍ତି ପ୍ରସ୍ତାବ ଯାଇଛି ଏପ୍ରୋଭାଲ ହେଲେ ଘର ନିର୍ମାଣ କରାଯିବ ବୋଲି ସୂଚନା ଦେଇଥିଲେ। କେବଳ ଅଂଚଳପୁର ନୁହଁ ଖଡିଆଳ ବ୍ଲକର ୨୬୪ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୨୦୮ ଟି କେନ୍ଦ୍ରର ନିଜସ୍ୱ ଗୃହ ଥିବା ବେଳେ ବାକି କେନ୍ଦ୍ର ସବୁ ଭଡ଼ାଘରେ ଚାଲିଛି। ଏହି କେନ୍ଦ୍ର ସବୁର କେବେ ନିଜ ନିଜ ଗୃହ ହେବ ଦେଖିବାକୁ ବାକି ରହିଲା।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande