
ସିଡିଏମ୍ଓଙ୍କୁ ଦାବିପତ୍ର ଦେଲା ଝାରସୁଗୁଡ଼ା ଯୁବ ସଂଘ
ଝାରସୁଗୁଡ଼ା, ୧୮ ନଭେମ୍ବର (ହି.ସ.) : ଝାରସୁଗୁଡ଼ା ଜିଲ୍ଲାର ସରକାରୀ ଚିକିତ୍ସା ବ୍ୟବସ୍ଥାରେ ଡାକ୍ତର ଅଭାବ ଓ ଭିତ୍ତିଭୂମିଗତ ଅବ୍ୟବସ୍ଥା ଦୂର କରିବାକୁ ଦାବି ଜୋରଦାର କରିଛି ଝାରସୁଗୁଡ଼ା ଯୁବ ସଂଘ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମଙ୍ଗଳବଜାରସ୍ଥିତ ସାଟେଲାଇଟ୍ ହସ୍ପିଟାଲର ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସଂଘ ପକ୍ଷରୁ ଯୁବନେତା ପୁରୁଷୋତ୍ତମ ମହାନ୍ତିଙ୍କ ନେତୃତ୍ୱରେ ବୁଧବାର ସିଡିଏମ୍ଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଡିଓଲୋଜିଷ୍ଟ ପଦ ଖାଲି ପଡ଼ିଥିବାରୁ ଅଲ୍ଟ୍ରାସାଉଣ୍ଡ ପରୀକ୍ଷା ସମେତ ଅନ୍ୟାନ୍ୟ ଜରୁରୀ ଚିକିତ୍ସା ସେବା ବାଧାପ୍ରାପ୍ତ ହେଉଥିବା ଉଲ୍ଲେଖ କରାଯାଇଛି। ଏଥିସହ ବିଭିନ୍ନ ବିଭାଗରେ ବିଶେଷଜ୍ଞ ଡାକ୍ତର, ଜରୁରୀକାଳୀନ ଚିକିତ୍ସା ଅଧିକାରୀ, ନର୍ସ, ଲାବୋରେଟୋରି ଟେକ୍ନିସିଆନ୍ ଓ ଅନ୍ୟାନ୍ୟ ପାରାମେଡିକାଲ କର୍ମଚାରୀଙ୍କ ନିଯୁକ୍ତି ଉପରେ ସଂଘ ଗୁରୁତ୍ୱାରୋପ କରିଛି।
ରୋଗୀମାନଙ୍କୁ ନିୟମିତ ଓ ଉନ୍ନତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଏକ୍ସ-ରେ, ଇସିଜି, ଅଲ୍ଟ୍ରାସାଉଣ୍ଡ, ସିଟି ସ୍କାନ୍, ଏମ୍ଆର୍ଆଇ ଓ ଲାବୋରେଟୋରି ସେବା ସୁବ୍ୟବସ୍ଥିତ କରିବାକୁ ମଧ୍ୟ ଦାବି ହୋଇଛି।
ଅନ୍ୟପକ୍ଷରେ ମଙ୍ଗଳବଜାର ସାଟେଲାଇଟ୍ ହସ୍ପିଟାଲର ଦୁରବସ୍ଥା ନେଇ ମଧ୍ୟ ସଂଘ ଅସନ୍ତୋଷ ପ୍ରକାଶ କରିଛି। ହସ୍ପିଟାଲରେ ପରିମଳ ବ୍ୟବସ୍ଥାରେ ଅବହେଳା, ଅଚଳ ସିସିଟିଭି କ୍ୟାମେରା, ଜରୁରୀକାଳୀନ ଡ୍ରେସିଂ ରୁମ୍ରେ ଦ୍ୱାର ଓ ରୋଗୀଙ୍କ ଗୋପନୀୟତାର ଅଭାବ, ଅଚଳ ପଙ୍ଖା ଏବଂ ଖରାପ ବେଡ୍ ଭଳି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରାଯାଇଛି। ଇଞ୍ଜେକ୍ସନ୍ ରୁମ୍ରୁ ଏୟାର କଣ୍ଡିସନର ହଟାଇବା ସହ ଆବଶ୍ୟକ ସ୍ଥାନରେ ଉପଯୁକ୍ତ ତାପମାତ୍ରା ନିୟନ୍ତ୍ରଣ ବ୍ୟବସ୍ଥା କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି।
ଉଭୟ ହସ୍ପିଟାଲର ସ୍ଥିତି ତୁରନ୍ତ ଅନୁଧ୍ୟାନ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ସମସ୍ୟାର ସମାଧାନ କରିବାକୁ ସଂଘ ଦାବି କରିଛି। ଏଥିସହ ଡାକ୍ତର, ବିଶେଷଜ୍ଞ ଓ ଅନ୍ୟ କର୍ମଚାରୀଙ୍କ ମଞ୍ଜୁରୀପ୍ରାପ୍ତ, କାର୍ଯ୍ୟରତ ଏବଂ ଖାଲି ପଦବି ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ସାର୍ବଜନୀନ କରିବାକୁ ମଧ୍ୟ ଦାବି ରଖାଯାଇଛି।
ସେହିପରି ବିଏମ୍ଆର୍ସି କାର୍ଡିଆକ୍ କେୟାର ହସ୍ପିଟାଲରେ ଶୀଘ୍ର ଚିକିତ୍ସା ସେବା ଆରମ୍ଭ କରିବା ସହ ଜିଲ୍ଲାର ସମସ୍ତ ସରକାରୀ ହସ୍ପିଟାଲର ଭିତ୍ତିଭୂମି ସୁଦୃଢ଼ କରିବାକୁ ସଂଘ ଦାବି କରିଛି। ଏହି ଦାବିପତ୍ରର ନକଲ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କୁ ମଧ୍ୟ ପଠାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ