କଳିଙ୍ଗ ଉତ୍କଳ ଏକ୍ସପ୍ରେସରୁ ମହିଳାଙ୍କ ମୋବାଇଲ ଗାଏବ, ରେଳବାଇ ଥାନାରେ ଅଭିଯୋଗ
Mobile stolen from train
କଳିଙ୍ଗ ଉତ୍କଳ ଏକ୍ସପ୍ରେସରୁ ମହିଳାଙ୍କ ମୋବାଇଲ ଗାଏବ, ରେଳବାଇ ଥାନାରେ ଅଭିଯୋଗ


ଝାରସୁଗୁଡ଼ା, ୧୮ ନଭେମ୍ବର (ହି.ସ.): ପୁରୀରୁ ମଥୁରା ଯାଉଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସରେ ଜଣେ ମହିଳା ଯାତ୍ରୀଙ୍କ ମୋବାଇଲ ଫୋନ୍ ଚୋରି ହୋଇଥିବା ନେଇ ରେଳବାଇ ପୁଲିସ ନିକଟରେ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଖୋର୍ଦ୍ଧା ଜିଲ୍ଲା ହରିପୁର ଶାସନ ଅଞ୍ଚଳର ଅଭିନାଶ କର ଭୁବନେଶ୍ୱର ରେଳବାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଅଭିନାଶଙ୍କ ମା’ ଗତ ୧୧ ତାରିଖ ରାତି ୮ଟା ୪୫ ମିନିଟ୍ରେ ପୁରୀ ରେଳ ଷ୍ଟେସନରୁ ୧୮୪୭୭ ନମ୍ବର କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଯୋଗେ ମଥୁରା ଅଭିମୁଖେ ଯାତ୍ରା କରିଥିଲେ। ତେବେ ୧୨ ତାରିଖ ଦିନ ପ୍ରାୟ ୧୨ଟା ୩୫ ମିନିଟ୍ରେ ଟ୍ରେନ୍ଟି ବାମରା ଷ୍ଟେସନରେ ପହଞ୍ଚିବା ସମୟରେ ତାଙ୍କର ରିଅଲମି ମୋବାଇଲ ଫୋନ୍ ଚୋରି ହୋଇଥିବା ସେ ଜାଣିବାକୁ ପାଇଥିଲେ।

ଏନେଇ ପ୍ରଥମେ ରେଳମଦଦ୍ ପୋର୍ଟାଲରେ ଅଭିଯୋଗ ଦାଖଲ କରାଯାଇଥିଲା। ଟ୍ରେନ୍ରେ ଯାତ୍ରା ଜାରି ରହିଥିବାରୁ ସେ ଝାରସୁଗୁଡ଼ା ରେଳବାଇ ଥାନାରେ ତତ୍କାଳ ଅଭିଯୋଗ କରିପାରିନଥିଲେ। ଏହାପରେ ତାଙ୍କ ପୁଅ ଅଭିନାଶ ଭୁବନେଶ୍ୱର ରେଳବାଇ ଥାନାରେ ମା’ଙ୍କ ପକ୍ଷରୁ ଲିଖିତ ଅଭିଯୋଗ ଦାଖଲ କରିଥିଲେ।

ଉକ୍ତ ଅଭିଯୋଗକୁ ଜିରୋ ଏଫ୍ଆଇଆର୍ ଭାବେ ଗ୍ରହଣ କରାଯାଇ ନଭେମ୍ବର ୧୬ ତାରିଖରେ ଡାକ ଯୋଗେ ଝାରସୁଗୁଡ଼ା ରେଳବାଇ ଥାନାକୁ ପଠାଯାଇଛି। ଏହାକୁ ଆଧାର କରି ରେଳବାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande