ପାଗ ବଦଳେ, ଆସ୍ଥା ନୁହେଁ; ଶୀତ ଋତୁରେ ମଧ୍ୟ ଚାରିଧାମର ଶୀତକାଳୀନ ପୀଠରେ ଜାରି ରହିବ ପୂଜାର୍ଚ୍ଚନା
ଦେହରାଦୂନ, ୧୭ ନଭେମ୍ବର (ହି.ସ.)- ହିମାଳୟର ଉଚ୍ଚ ଶୃଙ୍ଗଗୁଡ଼ିକରେ ତୁଷାରପାତ ଓ ପ୍ରବଳ ଶୀତ ମଧ୍ୟରେ ଉତରାଖଣ୍ଡର ଚାରିଧାମର କବାଟ ଶୀତ ଋତୁ ପାଇଁ ବନ୍ଦ ହୋଇଯାଇଥିଲେ ମଧ୍ୟ ଏହା ସହ ଜଡ଼ିତ ଶତାବ୍ଦୀ ପୁରୁଣା ଧାର୍ମିକ ପରମ୍ପରା ଜାରି ରହିବ। ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଓ ବଦ୍ରିନାଥର ଆରାଧ୍ୟ ଦେ
ପାଗ ବଦଳେ, ଆସ୍ଥା ନୁହେଁ; ଶୀତ ଋତୁରେ ମଧ୍ୟ ଚାରିଧାମର ଶୀତକାଳୀନ ପୀଠରେ ଜାରି ରହିବ ପୂଜାର୍ଚ୍ଚନା


ଦେହରାଦୂନ, ୧୭ ନଭେମ୍ବର (ହି.ସ.)- ହିମାଳୟର ଉଚ୍ଚ ଶୃଙ୍ଗଗୁଡ଼ିକରେ ତୁଷାରପାତ ଓ ପ୍ରବଳ ଶୀତ ମଧ୍ୟରେ ଉତରାଖଣ୍ଡର ଚାରିଧାମର କବାଟ ଶୀତ ଋତୁ ପାଇଁ ବନ୍ଦ ହୋଇଯାଇଥିଲେ ମଧ୍ୟ ଏହା ସହ ଜଡ଼ିତ ଶତାବ୍ଦୀ ପୁରୁଣା ଧାର୍ମିକ ପରମ୍ପରା ଜାରି ରହିବ। ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଓ ବଦ୍ରିନାଥର ଆରାଧ୍ୟ ଦେବଦେବୀ ଆଗାମୀ କିଛି ମାସ ପର୍ଯ୍ୟନ୍ତ ନିଜ ନିର୍ଦ୍ଧାରିତ ଶୀତକାଳୀନ ପ୍ରବାସ ସ୍ଥଳରେ ବିରାଜମାନ କରିବେ। ସେଠାରେ ନିୟମିତ ପୂଜାର୍ଚ୍ଚନା, ଭୋଗ ଓ ଧାର୍ମିକ ଅନୁଷ୍ଠାନ ଅନୁଷ୍ଠିତ ହେବ।

ଚାରିଧାମର ଏହି ପରମ୍ପରା ଉତରାଖଣ୍ଡର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟର ଏକ ସ୍ୱତନ୍ତ୍ର ପରିଚୟ। ଏହା ଅନୁଯାୟୀ ଉତରକାଶୀ ଜିଲ୍ଲାର ମୁଖବା ଓ ଖରସାଲି, ରୁଦ୍ରପ୍ରୟାଗ ଜିଲ୍ଲାର ଉଖୀମଠ ଏବଂ ଚମୋଲି ଜିଲ୍ଲାର ପାଣ୍ଡୁକେଶ୍ୱର ଓ ଜ୍ୟୋତିର୍ମଠରେ ଶୀତ ଋତୁରେ ମଧ୍ୟ ଧାର୍ମିକ କାର୍ଯ୍ୟକଳାପ ଜାରି ରହିଥାଏ। ମୁଖ୍ୟ ଧାମଗୁଡ଼ିକରେ ପ୍ରବଳ ତୁଷାରପାତ, ତାପମାତ୍ରା ହ୍ରାସ ଓ ଦୁର୍ଗମ ରାସ୍ତା ଯୋଗୁଁ ଶ୍ରଦ୍ଧାଳୁଙ୍କ ଯାତାୟାତ କଷ୍ଟକର ହୋଇପଡ଼େ। ଏଭଳି ସ୍ଥିତିରେ କବାଟ ବନ୍ଦ ହେବା ପୂର୍ବରୁ ଉତ୍ସବ ଡୋଲି ଓ ଧାର୍ମିକ ପ୍ରତୀକଗୁଡ଼ିକୁ ବିଧିବିଧାନ ଅନୁଯାୟୀ ଶୀତକାଳୀନ ପ୍ରବାସ ସ୍ଥଳକୁ ନିଆଯାଇଥାଏ।

ଗଙ୍ଗୋତ୍ରୀ ଧାମର କବାଟ ବନ୍ଦ ହେବା ପରେ ମା ଗଙ୍ଗାଙ୍କ ଉତ୍ସବ ଡୋଲି ଉତରକାଶୀ ଜିଲ୍ଲାର ମୁଖବା ଗ୍ରାମକୁ ଆସିଥାଏ। ଭାଗୀରଥୀ ନଦୀ କୂଳରେ ଅବସ୍ଥିତ ଏହି ଗ୍ରାମକୁ ମା' ଗଙ୍ଗାଙ୍କ ଶୀତକାଳୀନ ପ୍ରବାସ ସ୍ଥଳ ଭାବେ ବିବେଚନା କରାଯାଏ। ଏଠାରେ ଥିବା ପ୍ରାଚୀନ ମନ୍ଦିରରେ ସମଗ୍ର ଶୀତ ଋତୁରେ ପୂଜାର୍ଚ୍ଚନା ହୋଇଥାଏ। ସ୍ଥାନୀୟ ଲୋକଙ୍କ ପାଇଁ ମା' ଗଙ୍ଗାଙ୍କ ଉପାସନା କେବଳ ଧାର୍ମିକ ଆସ୍ଥା ନୁହେଁ, ବରଂ ସାମାଜିକ ଓ ସାଂସ୍କୃତିକ ପରିଚୟର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।

ସେହିପରି ଯମୁନୋତ୍ରୀ ଧାମର କବାଟ ବନ୍ଦ ହେବା ପରେ ମା ଯମୁନାଙ୍କ ଉତ୍ସବ ଡୋଲି ଖରସାଲି ଗ୍ରାମକୁ ଅଣାଯାଇଥାଏ। ଏଠାରେ ଶୀତ ଋତୁରେ ମା' ଯମୁନାଙ୍କ ପୂଜା କରାଯାଏ। ଖରସାଲିରେ ଥିବା ପ୍ରାଚୀନ ଶନି ମନ୍ଦିରର ମଧ୍ୟ ବିଶେଷ ଧାର୍ମିକ ମହତ୍ୱ ରହିଛି। ସ୍ଥାନୀୟ ଲୋକବିଶ୍ୱାସ ଅନୁଯାୟୀ, ଶନିଦେବ ମା' ଯମୁନାଙ୍କ ଭାଇ ଏବଂ ଶୀତ ଋତୁରେ ସେ ତାଙ୍କର ଦେଖାଶୁଣା କରିଥାନ୍ତି।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande