
ଝାରସୁଗୁଡା , ୧୮ ନଭେମ୍ବର (ହି.ସ.) କୋଲାବିରା ବ୍ଲକ ଅନ୍ତର୍ଗତ ସମାସିଂହାରୁ ସୋଡ଼ାମାଲ ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ଲଟାବୁଦା ଘେରରେ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଅନାବନା ଲଟାବୁଦା ମାଡ଼ିଯାଇଥିବାରୁ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ବୃଦ୍ଧି ପାଇଛି।
ରାସ୍ତାର ଉଭୟ ପାର୍ଶ୍ୱରେ ଘଞ୍ଚ ଲଟାବୁଦା ମାଡ଼ି ଆସିଥିବାରୁ ବାଇକ୍ ଆରୋହୀଙ୍କ ସମେତ ଚାରିଚକିଆ ଯାନର ଚାଳକମାନେ ସମ୍ମୁଖରୁ ଆସୁଥିବା ଯାନବାହନକୁ ଠିକ୍ ଭାବେ ଦେଖିପାରୁ ନାହାନ୍ତି। ବିଶେଷକରି ବିଭିନ୍ନ ବୁଲାଣି ଓ ଅନ୍ଧାରିଆ ସ୍ଥାନରେ ଏହି ସମସ୍ୟା ଅଧିକ ଗମ୍ଭୀର ହୋଇପଡ଼ିଛି। ଫଳରେ ଯେକୌଣସି ସମୟରେ ବଡ଼ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।
ଏହି ସମସ୍ୟାକୁ ନେଇ ସୋଡ଼ାମାଲ ଅଞ୍ଚଳର ପ୍ରେମସାଗର ଧୁରୁଆ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ଜିତେନ୍ଦ୍ରୀୟ ଧୁରୁଆ, ସାଧାରଣ ସମ୍ପାଦକ ଦକ୍ଷ ସମ୍ବିତ ନାଏକ ଏବଂ ସ୍ୱରୂପ କିସାନ ପ୍ରମୁଖ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରୁ ତୁରନ୍ତ ଲଟାବୁଦା ସଫା କରିବା ସହ ଯାତାୟାତକୁ ସୁରକ୍ଷିତ କରିବା ପାଇଁ ସେମାନେ ପୂର୍ତ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଜଣାଇଛନ୍ତି।
ଏନେଇ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଜେ.କେ. ମେହେରଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା। ଏହି ଗୁରୁତର ସମସ୍ୟା ପ୍ରତି ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଅଞ୍ଚଳବାସୀଙ୍କ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ