୧୯୮୦ରେ ଭୋଟର ତାଲିକାରେ ସୋନିଆ ଗାନ୍ଧୀଙ୍କ ନାମ ସାମିଲ କରାଯିବା ଘଟଣାରେ ଏଫ୍ଆଇଆର୍ ଦାବି, ପୁଲିସକୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଲେ କୋର୍ଟ
ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.)। ୧୯୮୦ ମସିହାରେ ଭୋଟର ତାଲିକାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ନାମ କଥିତ ଭାବେ ସାମିଲ କରାଯାଇଥିବା ଘଟଣାରେ ଏଫ୍ଆଇଆର୍ ରୁଜୁ କରିବା ଦାବି ସମ୍ପର୍କିତ ଆବେଦନର ଶୁଣାଣି କରି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଆଜି ଦିଲ୍ଲୀ ପୁଲିସକୁ ଆକ୍ସନ ଟେକେନ୍ ରିପୋର୍ଟ
सांकेतिक।


ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.)। ୧୯୮୦ ମସିହାରେ ଭୋଟର ତାଲିକାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ନାମ କଥିତ ଭାବେ ସାମିଲ କରାଯାଇଥିବା ଘଟଣାରେ ଏଫ୍ଆଇଆର୍ ରୁଜୁ କରିବା ଦାବି ସମ୍ପର୍କିତ ଆବେଦନର ଶୁଣାଣି କରି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଆଜି ଦିଲ୍ଲୀ ପୁଲିସକୁ ଆକ୍ସନ ଟେକେନ୍ ରିପୋର୍ଟ (ଏଟିଆର୍) ଦାଖଲ କରିବାକୁ କହିଛନ୍ତି। ଆଡିସନାଲ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ୍ ବିନୋଦ ଯୋଶୀ ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୮ ତାରିଖରେ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଅଭିଯୋଗକାରୀ ତଥା ଓକିଲ ବିକାଶ ତ୍ରିପାଠୀ ୧୯୮୦, ୧୯୮୧ ଏବଂ ୧୯୮୩ ମସିହାର ସତ୍ୟାପିତ ଭୋଟର ତାଲିକାର ନକଲ କୋର୍ଟରେ ଦାଖଲ କରିଛନ୍ତି। ଏହା ପୂର୍ବରୁ ନଭେମ୍ବର ୬ ତାରିଖରେ କୋର୍ଟ ଅଭିଯୋଗକାରୀଙ୍କୁ ଅତିରିକ୍ତ ଦସ୍ତାବିଜ ଦାଖଲ କରିବାକୁ ଅନୁମତି ଦେଇଥିଲେ। କୋର୍ଟ ଏହି ମାମଲାର ପୁନର୍ବାର ଶୁଣାଣି କରୁଛନ୍ତି। ଏହା ପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ସ୍ପେଶାଲ ଜଜ୍ ବିଶାଳ ଗୋଗ୍ନେ ମାମଲାକୁ ପୁନର୍ବିଚାର ପାଇଁ ମାଜିଷ୍ଟ୍ରେଟ୍ଙ୍କ ନିକଟକୁ ଫେରାଇ ଦେଇଥିଲେ। ଏଥିସହ ମାମଲାର ପୁନର୍ବାର ବିଚାର କରି ଯୁକ୍ତିଯୁକ୍ତ ଆଦେଶ ପାରିତ କରିବାକୁ କହିଥିଲେ।

ସ୍ପେଶାଲ ଜଜ୍ ବିଶାଳ ଗୋଗ୍ନେ କହିଥିଲେ ଯେ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଆଦେଶ ଯୁକ୍ତିଯୁକ୍ତ ନୁହେଁ। ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଆଦେଶକୁ ଓକିଲ ବିକାଶ ତ୍ରିପାଠୀ ସେସନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହା ପୂର୍ବରୁ ସେପ୍ଟେମ୍ବର ୧୧ ତାରିଖରେ ଆଡିସନାଲ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ୍ ବୈଭବ ଚୌରାସିଆ ଏହି ଆବେଦନକୁ ଖାରଜ କରିଦେଇଥିଲେ।ଆବେଦନରେ ଦାବି କରାଯାଇଥିଲା ଯେ ୧୯୮୦ ମସିହାରେ ହିଁ ଭୋଟର ତାଲିକାରେ ସୋନିଆ ଗାନ୍ଧୀଙ୍କ ନାମ ସାମିଲ ହୋଇଥିଲା, ଯେତେବେଳେ କି ସେ ୧୯୮୩ ମସିହାରେ ଭାରତୀୟ ନାଗରିକତା ଗ୍ରହଣ କରିଥିଲେ।

ଆବେଦନରେ ଆହୁରି କୁହାଯାଇଥିଲା ଯେ ୧୯୮୨ ମସିହାରେ ସୋନିଆ ଗାନ୍ଧୀଙ୍କ ନାମ ଭୋଟର ତାଲିକାରୁ ହଟାଯାଇଥିଲା ଏବଂ ପରେ ୧୯୮୩ ମସିହାରେ ପୁନର୍ବାର ତାଙ୍କ ନାମ ସାମିଲ କରାଯାଇଥିଲା। ଭାରତୀୟ ନାଗରିକତା ପାଇଁ ସୋନିଆ ଗାନ୍ଧୀ ୧୯୮୩ ମସିହା ଏପ୍ରିଲ ମାସରେ ଆବେଦନ କରିଥିବା ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଥିଲା। ଯେହେତୁ ସୋନିଆ ଗାନ୍ଧୀ ୧୯୮୩ ମସିହାରେ ଭାରତୀୟ ନାଗରିକ ହୋଇଥିଲେ, ତେଣୁ ୧୯୮୦ ମସିହାରେ ଭୋଟର ତାଲିକାରେ ତାଙ୍କ ନାମ ସାମିଲ କରିବା ପାଇଁ କିଛି ଜାଲ୍ ଦସ୍ତାବିଜ ଦାଖଲ କରାଯାଇଥିବ ବୋଲି ଆବେଦନରେ ଅଭିଯୋଗ କରାଯାଇଥିଲା। ଏହା ଏକ ସଂଜ୍ଞେୟ ଅପରାଧ ବୋଲି ଦର୍ଶାଇ ସୋନିଆ ଗାନ୍ଧୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ପାଇଁ ଆବେଦନରେ ଦାବି କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande