ତିରୁବନ୍ନାମଲାଇ ଦୀପୋତ୍ସବ: ଭରଣୀ ଦୀପମ୍ ଓ ମହାଦୀପମ୍ ଦର୍ଶନ ପାଇଁ ଆଜି ସକାଳ ୧୧ଟାରୁ ଅନଲାଇନ୍ ବୁକିଂ ଆରମ୍ଭ
ତିରୁବନ୍ନାମଲାଇ (ତାମିଲନାଡୁ), ୧୮ ନଭେମ୍ବର (ହି.ସ.)। ତିରୁବନ୍ନାମଲାଇ ଅରୁଣାଚଳେଶ୍ୱର ମନ୍ଦିରରେ ନଭେମ୍ବର ୨୪ ତାରିଖରେ ଆୟୋଜିତ ହେବାକୁ ଥିବା ଭରଣୀ ଦୀପମ୍ ଓ ମହାଦୀପମ୍ ଦର୍ଶନ ପାଇଁ ୩,୦୦୦ଟି ନିଃଶୁଳ୍କ ପ୍ରବେଶ ଟିକେଟ୍ର ଅନଲାଇନ୍ ବୁକିଂ ଆଜି ସକାଳ ୧୧ଟାରୁ ମନ୍ଦିରର ୱେବସାଇଟ୍ରେ ଆରମ୍ଭ ହେବ। ବି
तिरुवन्नामलाई दीपोत्सव


ତିରୁବନ୍ନାମଲାଇ (ତାମିଲନାଡୁ), ୧୮ ନଭେମ୍ବର (ହି.ସ.)। ତିରୁବନ୍ନାମଲାଇ ଅରୁଣାଚଳେଶ୍ୱର ମନ୍ଦିରରେ ନଭେମ୍ବର ୨୪ ତାରିଖରେ ଆୟୋଜିତ ହେବାକୁ ଥିବା ଭରଣୀ ଦୀପମ୍ ଓ ମହାଦୀପମ୍ ଦର୍ଶନ ପାଇଁ ୩,୦୦୦ଟି ନିଃଶୁଳ୍କ ପ୍ରବେଶ ଟିକେଟ୍ର ଅନଲାଇନ୍ ବୁକିଂ ଆଜି ସକାଳ ୧୧ଟାରୁ ମନ୍ଦିରର ୱେବସାଇଟ୍ରେ ଆରମ୍ଭ ହେବ। ବିଶ୍ୱପ୍ରସିଦ୍ଧ ତିରୁବନ୍ନାମଲାଇ ଅନ୍ନାମଲାୟାର ମନ୍ଦିରର କାର୍ତ୍ତିଗାଇ ଦୀପୋତ୍ସବ ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ଉତ୍ସାହ ମଧ୍ୟରେ ଭବ୍ୟ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ନଭେମ୍ବର ୨୪ ତାରିଖରେ ଭୋର ସମୟରେ ଭରଣୀ ଦୀପମ୍ ଏବଂ ସନ୍ଧ୍ୟାରେ ୨,୬୬୮ ଫୁଟ ଉଚ୍ଚ ପାହାଡ଼ ଉପରେ ମହାଦୀପମ୍ ପ୍ରଜ୍ଜ୍ୱଳନ କରାଯିବ।

ଚଳିତ ବର୍ଷ ଦୀପୋତ୍ସବରେ ସାମିଲ ହେବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ତାମିଲନାଡୁ ସରକାର ଏବଂ ହିନ୍ଦୁ ଧାର୍ମିକ ଓ ଧର୍ମାର୍ଥ ଦାନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ହିନ୍ଦୁ ଧାର୍ମିକ ଓ ଧର୍ମାର୍ଥ ଦାନ ବିଭାଗ ପକ୍ଷରୁ ଭରଣୀ ଦୀପମ୍ ଏବଂ ମହାଦୀପମ୍ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସମ୍ପୂର୍ଣ୍ଣ ନିଃଶୁଳ୍କ ପ୍ରବେଶ ସୁବିଧା ପ୍ରଦାନ କରାଯାଇଛି। ଏଥିପାଇଁ ପୂର୍ବରୁ ରହିଥିବା ଶୁଳ୍କ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ସାଧାରଣ ଲୋକଙ୍କ ସୁବିଧା ପାଇଁ ଅନଲାଇନ୍ ବୁକିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହା ଅଧୀନରେ ମୋଟ ୩,୦୦୦ ଶ୍ରଦ୍ଧାଳୁ ଅନଲାଇନ୍ରେ ନିଃଶୁଳ୍କ ପଞ୍ଜୀକରଣ କରି ଦୀପ ଦର୍ଶନ ପାଇଁ ପ୍ରବେଶ ଅନୁମତି ପାଇପାରିବେ। ନଭେମ୍ବର ୨୦ ତାରିଖ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଅନଲାଇନ୍ ବୁକିଂ କରାଯାଇପାରିବ।

ଭରଣୀ ଦୀପମ୍ ଦର୍ଶନ ପାଇଁ ତିରୁବନ୍ନାମଲାଇ ଜିଲ୍ଲାର ୫୦୦ ଜଣ ସ୍ଥାନୀୟ ଶ୍ରଦ୍ଧାଳୁ ଏବଂ ଅନ୍ୟ ଜିଲ୍ଲାର ୫୦୦ ଜଣ ଶ୍ରଦ୍ଧାଳୁ ଅନଲାଇନ୍ରେ ପଞ୍ଜୀକରଣ କରିପାରିବେ। ସେହିପରି ମହାଦୀପମ୍ ଦର୍ଶନ ପାଇଁ ତିରୁବନ୍ନାମଲାଇ ଜିଲ୍ଲାର ୧,୦୦୦ ଜଣ ଶ୍ରଦ୍ଧାଳୁ ଏବଂ ଅନ୍ୟ ଜିଲ୍ଲାର ୧,୦୦୦ ଜଣ ଶ୍ରଦ୍ଧାଳୁଙ୍କୁ ଟିକେଟ୍ ଆବଣ୍ଟନ କରିବାକୁ ଯୋଜନା ରହିଛି। ପଞ୍ଜୀକରଣ ପାଇଁ ଅଧିକାରିକ ୱେବସାଇଟ୍ରେ ନିଜର ଆଧାର ନମ୍ବର ଦାଖଲ କରିବା ସହ ମୋବାଇଲ୍ ନମ୍ବରକୁ ଆସୁଥିବା ଓଟିପି ମାଧ୍ୟମରେ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ନିଃଶୁଳ୍କ ପ୍ରବେଶ ଟିକେଟ୍ ପାଇଁ ଆବେଦନ କରିବାର ସୁବିଧା ରହିଛି।

ଏହାପରେ ନଭେମ୍ବର ୨୦ ତାରିଖ ଅପରାହ୍ଣ ୪ଟାରେ କମ୍ପ୍ୟୁଟର ମାଧ୍ୟମରେ ଶ୍ରଦ୍ଧାଳୁଙ୍କ ଚୟନ କରାଯିବ। ଚୟନ ହୋଇଥିବା ଶ୍ରଦ୍ଧାଳୁଙ୍କୁ ଏସ୍ଏମ୍ଏସ୍ ମାଧ୍ୟମରେ ଟିକେଟ୍ ପଠାଯିବ। ଗତବର୍ଷ ଭରଣୀ ଦୀପମ୍ ଓ ମହାଦୀପମ୍ ଦର୍ଶନ ପାଇଁ ୫୦୦ରୁ ୬୦୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଆଦାୟ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ଏଥିପାଇଁ ଟଙ୍କାଟିଏ ମଧ୍ୟ ନିଆଯିବ ନାହିଁ। ଫଳରେ ସାଧାରଣ ଏବଂ ଆର୍ଥିକ ଦୁର୍ବଳ ବର୍ଗର ଶ୍ରଦ୍ଧାଳୁମାନେ ମଧ୍ୟ କୌଣସି ଆର୍ଥିକ ବୋଝ ବିନା ଅନ୍ନାମଲାୟାରଙ୍କ ଦୀପମ୍ର ସିଧାସଳଖ ଦର୍ଶନ କରିପାରିବେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande