
ଜୟପୁର ସିଟି ହାଇସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ: ଛାତ୍ରଛାତ୍ରୀଙ୍କ ନବସୃଜନମୂଳକ ପ୍ରତିଭା ପ୍ରଦର୍ଶନ .
ଜୟପୁର , 18 ନଭେମ୍ବର (ହି.ସ.) ଜୟପୁର ସିଟି ହାଇସ୍କୁଲରେ ବୁଧବାର ଏକ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ୭ଟି ବିଷୟବସ୍ତୁ ଆଧାରରେ ପ୍ରସ୍ତୁତ କରିଥିବା ୩୪ଟି ଆକର୍ଷଣୀୟ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।ପ୍ରଦର୍ଶନୀକୁ ସକାଳ ୧୦ଟା ୩୦ରେ ଜୟପୁର ତେଲୁଗୁ ସାଂସ୍କୃତିକ ସମିତିର ସଭାପତି ଶ୍ରୀ ବିରେଶ କୁମାର ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଉନ୍ନତ ଜୀବନ ପାଇଁ କୃତ୍ରିମ ବୁଦ୍ଧିମତ୍ତା, ସବୁଜ ଶକ୍ତି ଓ ପରିବେଶ ସୁରକ୍ଷା, ଗଣିତୀୟ ମଡେଲିଂ ଓ କମ୍ପ୍ୟୁଟେସନାଲ ଚିନ୍ତାଧାରା, ସ୍ୱାସ୍ଥ୍ୟ ଓ ପରିମଳ, ପାରମ୍ପରିକ କୃଷି ପଦ୍ଧତି (ଯେପରିକି ବାଉଁଶ ଜଳସେଚନ ଓ ଜାବୋ ପଦ୍ଧତି), ବିଜ୍ଞାନ ଓ ଗ୍ରାମୀଣ ରୂପାନ୍ତରଣ ଏବଂ ବିପର୍ଯ୍ୟୟ ପରିଚାଳନା ଆଦି ବିଷୟ ଉପରେ ଛାତ୍ରଛାତ୍ରୀମାନେ ଚମତ୍କାର ମଡେଲ୍ ପ୍ରସ୍ତୁତ କରିଥିଲେ।ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ବନ୍ଦିତା ପାଣିଗ୍ରାହୀ ପ୍ରଦର୍ଶନୀର ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରତାପ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ବିଚାରକ ଭାବେ ନବରଙ୍ଗପୁରର ଅବସରପ୍ରାପ୍ତ CDAO ଶ୍ରୀ ଜି. ଭେଙ୍କଟ ରେଡ୍ଡୀ, ସିଟି ଇଂଲିଶ ମିଡିୟମ ସ୍କୁଲର ଅଧ୍ୟକ୍ଷ ଶ୍ରୀ ସୁଧାକର ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ଗଣିତ ଶିକ୍ଷକ ଶ୍ରୀ ବି. ଶ୍ରୀନିବାସ ରାଓ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ।ପ୍ରଦର୍ଶନୀର ବିଭିନ୍ନ ବିଷୟବସ୍ତୁରେ କୃତିତ୍ୱ ଅର୍ଜନ କରିଥିବା ବିଜେତାମାନେ ହେଲେ: ଉନ୍ନତ ଜୀବନ ପାଇଁ କୃତ୍ରିମ ବୁଦ୍ଧିମତ୍ତା ଏ. କୀର୍ତ୍ତି କୋମଳୀ (ଅଷ୍ଟମ ଶ୍ରେଣୀ) ସବୁଜ ଶକ୍ତି ଓ ପରିବେଶ ସୁରକ୍ଷା : ଆୟୁଷ ପଟ୍ଟନାୟକ ଓ ଉମଙ୍ଗ ଚାୱଡା (ଦଶମ ଶ୍ରେଣୀ) ଗଣିତୀୟ ମଡେଲିଂ ଓ କମ୍ପ୍ୟୁଟେସନାଲ ଚିନ୍ତାଧାରା : ଜେ. ଚାନ୍ଦିନୀ ଓ ୟୁ. ସେଜଲ ପାତ୍ର (ନବମ ଶ୍ରେଣୀ) ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ପରିମଳ ଏ. ହରିଣୀ ଓ ସାଇ ଶ୍ରୁତି ପଟ୍ଟନାୟକ (ଦଶମ ଶ୍ରେଣୀ) ପାରମ୍ପରିକ କୃଷି ପଦ୍ଧତି : ସିଏଚ୍. ସୁପ୍ରିୟା ଓ ଭି. ସୁପ୍ରିୟା (ଦଶମ ଶ୍ରେଣୀ) ବିଜ୍ଞାନ ଓ ଗ୍ରାମୀଣ ରୂପାନ୍ତରଣ ମୋହିତ ଭାର୍ଗବ ଓ ଦେବ ବାହାଦୂର (ଦଶମ ଶ୍ରେଣୀ) ବିପର୍ଯ୍ୟୟ ପରିଚାଳନା କୁମାରୀ ସୃଷ୍ଟି ରାଣୀ (ଅଷ୍ଟମ ଶ୍ରେଣୀ)ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷୟିତ୍ରୀ କେ. ପଦ୍ମାଦେବୀ, ଶିକ୍ଷୟିତ୍ରୀ ଶ୍ରୀମତୀ ରୀତା ସାମନ୍ତରାୟ, ଶିକ୍ଷକ ଶ୍ରୀ ଉମେଶ ବେହେରା ଏବଂ ସହାୟକ କର୍ମଚାରୀ ଜି. ସାଇ ଶେଖର ଓ ଧନପତି ଭତ୍ରା ଉପସ୍ଥିତ ରହି ସହଯୋଗ କରିଥିଲେ। ସିଟି ଇଂଲିଶ ମିଡିୟମ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ମଧ୍ୟ ପ୍ରଦର୍ଶନୀ ପରିଦର୍ଶନ କରି ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିଥିଲେ ଏବଂ କୁନି ବୈଜ୍ଞାନିକମାନଙ୍କ ପ୍ରୟାସର ଭୂୟସୀ ପ୍ରଶଂସା କରିଥିଲେ।ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ସୃଜନଶୀଳତା, ନବସୃଜନ ଓ ବ୍ୟବହାରିକ ଜ୍ଞାନ ବିକାଶର ଏକ ଉତ୍କୃଷ୍ଟ ମଞ୍ଚ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି