ସମ୍ଭାବ୍ୟ ବାତ୍ୟା ‘ଅକଓ୍ୱାନ’ ମୁକାବିଲା ପାଇଁ ବିଏମ୍ସିର ବ୍ୟାପକ ପ୍ରସ୍ତୁତି
ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ, ହେଡ୍ କ୍ୱାର୍ଟର ନ ଛାଡିବାକୁ ନିର୍ଦେଶ ମୁଖ୍ୟାଳୟରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଭୁବନେଶ୍ୱର , 18 ନଭେମ୍ବର (ହି.ସ.) ସମ୍ଭାବ୍ୟ ବାତ୍ୟା ‘ଅକଓ୍ୱନ’ର ମୁକାବିଲା ଏବଂ ସହରବାସୀଙ୍କ ଧନଜୀବନ ସୁରକ୍ଷା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି
ସମ୍ଭାବ୍ୟ ବାତ୍ୟା ‘ଅକଓ୍ୱାନ’ ମୁକାବିଲା ପାଇଁ ବିଏମ୍ସିର ବ୍ୟାପକ ପ୍ରସ୍ତୁତି


ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ, ହେଡ୍ କ୍ୱାର୍ଟର ନ ଛାଡିବାକୁ ନିର୍ଦେଶ

ମୁଖ୍ୟାଳୟରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର , 18 ନଭେମ୍ବର (ହି.ସ.) ସମ୍ଭାବ୍ୟ ବାତ୍ୟା ‘ଅକଓ୍ୱନ’ର ମୁକାବିଲା ଏବଂ ସହରବାସୀଙ୍କ ଧନଜୀବନ ସୁରକ୍ଷା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ପାଣିପାଗ ବିଭାଗର ସତର୍କ ସୂଚନା ଅନୁଯାୟୀ, ନଭେମ୍ବର ୧୯ରୁ ୨୨ ତାରିଖ ପର୍ୟ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସହରର ଜଳବନ୍ଦୀ ଅଞ୍ଚଳ, ତଳିଆ ଅଞ୍ଚଳ ଓ ବିପଦସଙ୍କୁଳ ସ୍ଥାନଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ଏଥିପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହ ଆସନ୍ତା ୨୪ ତାରିଖ ପର୍ୟ୍ୟନ୍ତ କେହି ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଏମ୍ସି କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଆଜି ଆୟୋଜିତ ପ୍ରସ୍ତୁତି ବୈଠକରେ ବିଏମ୍ସିର ସମସ୍ତ ବିଭାଗୀୟ ଅଧିକାରୀଙ୍କ ସମେତ ୱାଟକୋ ଓ ଅଗ୍ନିଶମ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ବାତ୍ୟାର ମୁକାବିଲା ପାଇଁ ଆବଶ୍ୟକ ମାନବ ସମ୍ବଳ, ଗାଡ଼ି ଓ ଯନ୍ତ୍ରପାତିକୁ ଆଜି ରାତି ସୁଦ୍ଧା ପ୍ରସ୍ତୁତ ରଖିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ବିଏମ୍ସି ମୁଖ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ୟ୍ୟକ୍ଷମ ରହିବ। ଜଣେ ଡେପୁଟି କମିଶନର କିମ୍ବା ସହକାରୀ କମିଶନର ଏହାର ଦାୟିତ୍ୱରେ ରହିବେ ଏବଂ ଅତିରିକ୍ତ କମିଶନର ସମଗ୍ର କାର୍ୟ୍ୟର ତଦାରଖ କରିବେ। ପ୍ରତ୍ୟେକ ୱାର୍ଡରେ ଜଣେ ଅଧିକାରୀ ଓ ଜଣେ ଯନ୍ତ୍ରୀ ଦାୟିତ୍ୱରେ ରହିବେ। ପମ୍ପ ଚାଳକ ଓ ରାପିଡ୍ ଆକ୍ସନ ଟିମ୍ (ରାଟ୍) ୨୪ ଘଣ୍ଟିଆ ଡ୍ୟୁଟି କରିବା ସହ ୱାର୍ଡ କାର୍ୟ୍ୟାଳୟରେ ଦିନରାତି ଉପସ୍ଥିତ ରହିବେ।

ଜଳବନ୍ଦୀ ଆଶଙ୍କା ଥିବା ଅଞ୍ଚଳରେ ଆଗୁଆ ପାଣି ପମ୍ପ ମୁତୟନ କରିବାକୁ ଇଞ୍ଜିନିୟରିଂ ବିଭାଗ, ଜୋନାଲ ଡେପୁଟି କମିଶନର ଓ ଅଗ୍ନିଶମ ବିଭାଗକୁ କୁହାଯାଇଛି। ଡ୍ରେନ୍ରୁ ପଙ୍କ ଉଦ୍ଧାର, ଜାମ୍ ହୋଇଥିବା ଅଂଶ ସଫା ଏବଂ ଜଳ ନିଷ୍କାସନ ପଥରେ ଥିବା ଅବରୋଧ ହଟାଇବା କାର୍ୟ୍ୟ ତୁରନ୍ତ ଶେଷ କରାଯିବ। ଡ୍ରେନ୍ର ଭେଣ୍ଟ ଓ ଖୋଲା ଡ୍ରେନ୍ ନିକଟରେ ଆବଶ୍ୟକ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ। ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ ରହିବା ସହ ଆବଶ୍ୟକ ପଡ଼ିଲେ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବାକୁ ପରାମର୍ଶ ଦିଆଯାଇଛି। ଜଳବନ୍ଦୀ ସମସ୍ୟା ତୁରନ୍ତ ଦୂର କରିବା ସମ୍ଭବ ନ ହେଲେ ମାଇକିଂ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ।

ବାତ୍ୟା ସମୟରେ ଗଛ ଉପୁଡ଼ି ପଡ଼ିବା କିମ୍ବା ଡାଳ ଭାଙ୍ଗି ରାସ୍ତା ଅବରୋଧ ହେବା ଆଶଙ୍କା ଥିବାରୁ ଟ୍ରିମିଂ ଟିମ୍, ଜେସିବି, କଟର ଓ ଆବଶ୍ୟକ ମାନବ ସମ୍ବଳ ପ୍ରସ୍ତୁତ ରଖାଯିବ। ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହି ଟିମ୍ଗୁଡ଼ିକୁ ଆଗୁଆ ମୁତୟନ କରାଯିବ। ଏହି କାର୍ୟ୍ୟରେ ଅଗ୍ନିଶମ ବିଭାଗ ସହଯୋଗ କରିବ। ସେହିପରି ନିର୍ମାଣାଧୀନ ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ନିର୍ମାଣ କାର୍ୟ୍ୟ ବନ୍ଦ ରଖିବା ସହ କ୍ରେନ୍ଗୁଡ଼ିକୁ ସୁରକ୍ଷିତ ଓ ବନ୍ଦ କରିବାକୁ ବିଲ୍ଡରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବାତ୍ୟାରେ ଦୁର୍ଘଟଣା ଏଡ଼ାଇବା ପାଇଁ ସହରର ବଡ଼ ବଡ଼ ହୋର୍ଡିଂ ହଟାଇବା, ପୂଜା ଅବସରରେ ନିର୍ମିତ ଅସ୍ଥାୟୀ ତୋରଣ ଅପସାରଣ କରିବା ସହ ନୂତନ ତୋରଣ ନିର୍ମାଣ ପାଇଁ ଦିଆଯାଇଥିବା ଅନୁମତି ବାତିଲ କରାଯାଇଛି। ସହରର ପରିମଳ ବ୍ୟବସ୍ଥାକୁ ସ୍ୱାଭାବିକ ରଖିବା ପାଇଁ ସମସ୍ତ ସଫେଇ ଏଜେନ୍ସି ଓ ସ୍ୱେଚ୍ଛାସେବୀ ସଂଗଠନକୁ ଆବଶ୍ୟକ ଲୋକବଳ, ଗାଡ଼ି ଓ ମେସିନ୍ ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଅଭିଯୋଗ ଗ୍ରହଣ ଓ ତ୍ୱରିତ ସମାଧାନ ପାଇଁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଗ୍ରୁପ୍ ଗଠନ କରାଯାଇଛି । ସମସ୍ତ ଏଜେନ୍ସି ନିଜ କର୍ମଚାରୀଙ୍କ ମାଧ୍ୟମରେ ସମସ୍ୟାର ତୁରନ୍ତ ସମାଧାନ ସୁନିଶ୍ଚିତ କରିବେ।

ବାତ୍ୟା ସମୟରେ ସହରର ପ୍ରତ୍ୟେକ ଅଞ୍ଚଳ ଉପରେ ନିରନ୍ତର ନଜର ରଖିବା ସହ ଜରୁରିକାଳୀନ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ସମସ୍ତ ବିଭାଗକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ବିଏମ୍ସି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ରାଣା କହିଛନ୍ତି।

ବାତ୍ୟା ଆଶ୍ରୟସ୍ଥଳଗୁଡିକୁ ଆଜି ରାତି ସୁଦ୍ଧା ତଦାରଖ କରିବାକୁ କୁହାଯାଇଛି। ସେଠାରେ ଆଲୋକ, ପାନୀୟ ଜଳ ଓ ପାଇଖନା ସ୍ଥିତି ପରକ୍ଷିବାକୁ କୁହାଯାଇଛି । ଏହି ସମସ୍ତ କାର୍ୟ୍ୟ କରିବା ସହ ସ୍ଥାନୀୟ କର୍ପୋରେଟରଙ୍କ ସହ ନିୟମିତ ଯୋଗାଯୋଗରେ ରହିବା ଏବଂ ସେମାନଙ୍କର ପରାମର୍ଶ କ୍ରମେ କାମ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande