ସମ୍ଭାବ୍ୟ ବାତ୍ୟା ଅକ୍ୱାନ୍ ମୁକାବିଲା ପାଇଁ ସତର୍କ ଓ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର ,୧୮ ନଭେମ୍ବର (ହି.ସ.) - ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’କୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବାତ
ସମ୍ଭାବ୍ୟ ବାତ୍ୟା ଅକ୍ୱାନ୍ ମୁକାବିଲା ପାଇଁ ସତର୍କ ଓ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ


ଭୁବନେଶ୍ୱର ,୧୮ ନଭେମ୍ବର (ହି.ସ.) - ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’କୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପରିସ୍ଥିତି ସମୟରେ ଯେପରି ସ୍ୱାସ୍ଥ୍ୟସେବା ବ୍ୟାହତ ନ ହୁଏ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଛି ।

ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ଏସ୍.ଏନ୍. ଗିରିଶ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପ୍ରସ୍ତୁତିକୁ ସୁଦୃଢ଼ କରିବା ସହ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ଓ ବ୍ଲକ୍ ସ୍ତରରେ ନୋଡାଲ୍ ଅଧିକାରୀ ନିଯୁକ୍ତ କରିବା ଏବଂ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରଖିବା ସହ ଆବଶ୍ୟକ କର୍ମଚାରୀ ଓ ଯୋଗାଯୋଗ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ରହିଛି । ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକର ନିରବଚ୍ଛିନ୍ନ ସେବା ସହ କାର୍ଯ୍ୟକ୍ଷମ ଡିଜି ସେଟ୍, ଇନଭର୍ଟର, ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା, ଇନ୍ଧନ, ପାଣି ଓ ଯୋଗାଯୋଗ ବ୍ୟବସ୍ଥା ମହଜୁଦ ରଖିବାକୁ କୁହାଯାଇଛି । ଏଥିସହ ଆବଶ୍ୟକ ପରିମାଣର ଇନ୍ଧନ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ବିକଳ୍ପ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ପ୍ରଭାବିତ ତଥା ଯୋଗାଯୋଗ ବିଚ୍ଛିନ୍ନ ଓ ତଳିଆ ଅଞ୍ଚଳଗୁଡ଼ିକରେ ଯଥାଶୀଘ୍ର ମେଡିକାଲ୍ ରିଲିଫ୍ ସେଂଟର ଖୋଲିବା ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ବିଭାଗ ପରାମର୍ଶ ଦେଇଛି । ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଦୁର୍ଘଟଣାଜନିତ ଆହତଙ୍କ ଚିକିତ୍ସା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ଗର୍ଭବତୀ ମହିଳାମାନଙ୍କୁ ଆଭ୍ୟନ୍ତରୀଣ ଅଞ୍ଚଳରୁ ନିର୍ଦ୍ଧାରିତ ପ୍ରସବ କେନ୍ଦ୍ର କିମ୍ବା ମା ଗୃହକୁ ସ୍ଥାନାନ୍ତର କରିବା ପାଇଁ ଆଗୁଆ ଯୋଜନା କରିବାକୁ କୁହାଯାଇଛି। ଏଥିସହ ବିପଦପ୍ରବଣ ଭୌଗୋଳିକ ଅଂଚଳ, ସ୍ୱାସ୍ଥ୍ୟକେନ୍ଦ୍ର, ଟିକାକରଣ କେନ୍ଦ୍ର ଓ ମା' ଗୃହଗୁଡ଼ିକୁ ଚିହ୍ନଟ କରି ସେଠାରେ ବିଶେଷ ପ୍ରସ୍ତୁତି ରଖିବାକୁ ନିର୍ଦ୍ଦେଶ ରହିଛି।

ଜିଲ୍ଲା ଓ ବ୍ଲକ୍ ସ୍ତରରେ ଆମ୍ବୁଲାନ୍ସ ଏବଂ ରୋଗୀ ସ୍ଥାନାନ୍ତରଣ ସେବାର ସମନ୍ୱୟ ରକ୍ଷା କରିବା ସହ ଜଳବାହିତ, ଭେକ୍ଟରବାହିତ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗର ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ କୁହାଯାଇଛି। ବାତ୍ୟା ଓ ବନ୍ୟା ପରିସ୍ଥିତି ସମୟରେ ଏବଂ ପରବର୍ତୀ ସମୟରେ ଦୈନିକ ରୋଗ ସମ୍ପର୍କିତ ରିପୋର୍ଟ ପ୍ରଦାନ ସୁନିଶ୍ଚିତ କରାଯିବ।

ସମସ୍ତ ସ୍ତରର ଡାକ୍ତରଖାନାଗୁଡ଼ିକରେ ଜ୍ୱର ନିରୋଧକ ଔଷଧ, ଆଂଟିବାୟୋଟିକ୍, ଝାଡ଼ା ନିରୋଧକ ଔଷଧ, ଓଆରଏସ୍, ହାଲାଜୋନ୍/କ୍ଲୋରିନ୍ ଟାବଲେଟ୍, ସାପ କାମୁଡ଼ା ପ୍ରତିଷେଧକ ଔଷଧ, ଆଇଭି ଫ୍ଲୁଇଡ୍ ଓ ଅନ୍ୟାନ୍ୟ ଜରୁରୀ ଔଷଧ ତଥା ଉପକରଣ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମୋବାଇଲ୍ ହେଲ୍ଥ ୟୁନିଟ୍ , ମୋବାଇଲ୍ ହେଲ୍ଥ ଟିମ୍ ଏବଂ ଜିଲ୍ଲା/ବ୍ଲକ୍ ରାପିଡ୍ ରେସପନ୍ସ ଟିମ୍ ଗୁଡ଼ିକୁ ଆବଶ୍ୟକ ସ୍ଥଳେ ପ୍ରଭାବିତ ଓ ଅପହଞ୍ଚ ଅଂଚଳରେ ତୁରନ୍ତ ନିୟୋଜିତ ହେବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସରକାରୀ ଓ ଘରୋଇ ହସ୍ପିଟାଲ୍ ଗୁଡ଼ିକରେ ଜରୁରୀକାଳୀନ ଯନ୍ତ୍ରପାତି ଓ ମେସିନ୍ଗୁଡ଼ିକର କାର୍ଯ୍ୟକ୍ଷମତା ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।ବାତ୍ୟା ଓ ବନ୍ୟା ପରବର୍ତୀ ସମୟରେ ସଂକ୍ରାମକ ରୋଗର ପ୍ରକୋପ ରୋକିବା ପାଇଁ ସୁରକ୍ଷିତ ପାନୀୟ ଜଳ ଯୋଗାଣ, ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା , ପ୍ରଭାବିତ ଅଞ୍ଚଳର ବିଶୋଧନ, ଜଳ ଉତ୍ସଗୁଡ଼ିକରେ କ୍ଲୋରିନେସନ୍ ଏବଂ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବାକୁ ବିଭାଗ ନିର୍ଦ୍ଦେଶ ଦେଇଛି ।

ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଜରୁରୀକାଳୀନ ଚିକିତ୍ସା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା, ଟିକାକରଣ, ଅତ୍ୟାବଶ୍ୟକ ଔଷଧ ଯୋଗାଣ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ବାତ୍ୟା ଓ ବନ୍ୟା ସମୟରେ ଏବଂ ତା' ପରବର୍ତୀ ସମୟରେ ଅବ୍ୟାହତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ଓ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସମସ୍ତ ଅଧିକାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ତତ୍ପରତାର ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande