
ଭୁବନେଶ୍ୱର ,୧୮ ନଭେମ୍ବର (ହି.ସ.) - ଓଡ଼ିଶା ସମବାୟ ସମିତି ଓ ଲ୍ୟାମ୍ପ କର୍ମଚାରୀ ମାନଙ୍କ ତରଫରୁ ବିଧାନସଭା ଆଗରେ ୭ଦଫା ଦାବୀରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଧାରଣାରେ ଅନ୍ୟୁନ ୩୮୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ୩୦ଟି ଜିଲ୍ଲାରୁ ମାଷ୍ଟର କ୍ୟାଂଟିନ ଠାରୁ ଏକ ବିରାଟ ରାଲିରେ ଆସି ଧାରଣା ସ୍ଥଳରେ ପହଂଚି ଥିଲେ। ଏହି ପ୍ରତିବାଦ ସଭାରେ ବିଭିନ୍ନ ଜିଲ୍ଲାର ପ୍ରତିନିଧି ଗଣ ୭ଦଫା ଉପରେ ମତାମତ ଦେଇ କହିଲେ ଯେ ସମସ୍ତ ବର୍ଗର କର୍ମଚାରୀ ଯଥା ସଂପାଦକ, ସହସମ୍ପାଦକ, ପିଅନ, ଡି.ଇ.ଓ, କିରାନୀ, ୱାଚମ୍ୟାନ, ରାତ୍ର ଜଗୁଆଳୀକୁ ସରକାରୀ ୭ମ ବେତନ ହାରରେ ଦରମା ପ୍ରଦାନ଼ କରାଯାଉ। ଓଡ଼ିଶାରେ ୮୦ପ୍ରତିଶତରୁ ଉର୍ଦ୍ଧ୍ୱ ସେବାସମବାୟ ସମିତି ଓ ଲ୍ୟାମ୍ପସ୍ କ୍ଷତିରେ ଚାଲୁଥିବାରୁ ସେମାନଙ୍କର ଦରମା ପାଇଁ ରାଜ୍ୟ ସରକାର ୭୦୦ କୋଟି ଟଙ୍କା ବଜେଟ ଉପସ୍ଥାପନ କରନ୍ତୁ। ଆଜି ସୁଧା କାର୍ଯ୍ୟରତ ସମସ୍ତ ବର୍ଗର କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ସଂଗେ ସଂଗେ ନୂତନ ନିଯୁକ୍ତି ବାତିଲ କରନ୍ତୁ। କ୍ୟାଡର ସର୍ଭିସ୍ ରୁଲ୍କୁ ସ୍ଥଗିତ ରଖି କେନ୍ଦ୍ର ସରକାରଙ୍କର ତରଫରୁ ପ୍ରକାଶିତ କ୍ୟାଡର ସର୍ଭିସ୍ ରୁଲ୍କୁ ପ୍ରଣୟନ କରାଯାଉ। ଆମର ୭ଦଫା ଦାବୀ ପୁରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆଜିକାର ପଥପ୍ରାନ୍ତ ସଭାରେ ନିଷ୍ପତି ଗ୍ରହଣ କରାଗଲା। ଏହି ଆନ୍ଦୋଳନରେ ସଭାପତି ଗୋଲକ ମହାପାତ୍ର, ପବିତ୍ର ମୋହନ ଦାସ, ସୌଭାଗ୍ୟ ପାତ୍ର, କେଳୁଚରଣ ଜଗଦେବ ସମେତ ବହୁ କର୍ମଚାରୀ ଯୋଗଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା