
ଭୁବନେଶ୍ୱର, 18
ନଭେମ୍ବର (ହି.ସ.) ଆଜି ବିଧାନସଭାର ଶୀତକାଳୀନ
ଅଧିବେଶନର ପ୍ରଥମ ଦିନରୁ ହଟ୍ଟଗୋଳ ଦେଖା ଦେଇଛି । ବିରୋଧୀ ଦଳ ବିଧାୟକ ମାନଙ୍କର ହଟ୍ଟଗୋଳ
କାରଣରୁ ଆଜି ଗୃହରେ ନିର୍ଧାରିତ ପ୍ରଶ୍ନକାଳ ଓ ଶୂନ୍ୟକାଳ କାର୍ଯ୍ୟକ୍ରମ ହୋଇ ପାରି ନାହିଁ।
ହଟ୍ଟଗୋଳ କାରଣରୁ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ନ 4ଟା ଯାଏ ମୁଲତବୀ ଘୋଷଣା
କରିଛନ୍ତି ।
ଆଜି ଅଧିବେଶନ ଆରମ୍ଭ ହେବା
ପରେ ପ୍ରଥମେ ଶୋକ ପ୍ରସ୍ତାବ ପାରିତ ହୋଇଥିଲା । ଶୋକ ପ୍ରସ୍ତାବ ସୁରୁଖୁରୁରେ ପାରିତ ହେବା ପରେ
ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବାକୁ ଚାହିଁଥିଲେ । ପ୍ରଥମେ ସେ ଖାଦ୍ୟ ଯୋଗାଣ ଓ ଖାଉଟି
କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଉତ୍ତର ଦେବାକୁ ଡାକିଥିଲେ । ତେବେ ବିରୋଧୀ ବିଜେଡି
ଓ କଂଗ୍ରେସର ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ନାବାବାଜୀ କରିବା ଆରମ୍ଭ କରି ଦେଇଥିଲେ ।
କଂଗ୍ରେସ ବିଧାୟକ ମାନେ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିବା ବେଳେ
ବିଜେଡି ବିଧାୟକ ମାନେ ବନ୍ୟା ମୁକାବିଲାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି
ନାରାବାଜୀ କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସଚିବଙ୍କ ଟେବୁଲ ଉପରେ ଚଢି
ଯାଇ ନାରାବାଜୀ କରୁଥିବା ଦେଖିବାକୁ ମିଳିଥିଲା । ଉଭୟ ବିରୋଧୀ ଦଳର ବିଧାୟକ ମାନଙ୍କ ହାତରେ
ପ୍ଲାକାର୍ଡ ଥିଲା । ବାଚସ୍ପତି ହଟ୍ଟଗୋଳ କରୁଥିବା ବିଧାୟକ ମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ
କରିବାକୁ ବାରମ୍ବାର ନିବେଦନ କରିଥିଲେ । ହେଲେ ଏହାର କୌଣସି ପ୍ରକାର ପ୍ରଭାବ ବିରୋଧୀ ବିଧାୟକ
ମାନଙ୍କ ଉପରେ ପ଼଼ଡି ନ ଥିଲା । ତେଣୁ ଶେଷରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଗୃହକୁ ଅପରାହ୍ନ
4ଟା ଯାଏ
ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା