
ଧର୍ମଶାଳା,୧୮ନଭେମ୍ବର(ହି.ସ.) - ଗ୍ରାମାଚଂଳରେ କୃଷି ଓ କୃଷକମାନଙ୍କର ସର୍ବାଙ୍ଗୀନ ଉନ୍ନତିକରଣ ନିମନ୍ତେ କୃଷି ସମବାୟ ସମିତି ଗଠନ କରାଯାଇଛି । ବିଭିନ୍ନ ବର୍ଗର ଚାଷୀମାନଙ୍କୁ ଆର୍ଥୀକ ସ୍ଥିତିରେ ସୁଧାର ଆଣିବା ସରକାରୀ ନିୟମ ରହିଛି । ଚାଷୀମାନେ କିପରି ସୁବିଧା ଓ ସହଯୋଗ ପାଇବେ ଏନେଇ ପଦ ପଦବୀରେ କର୍ମଚାରୀ ନିଯୁକ୍ତି କରାଯାଇ ଲକ୍ଷଲକ୍ଷ ଟଙ୍କାର ବେତନ ଦିଆ ଯାଉଛି । ହେଲେ କିଛି ଅସାଧୁ କର୍ମଚାରୀ ନିରୀହ ଚାଷୀଙ୍କ ଅଜାଣତେ ଋଣ ପ୍ରଦାନ ଓ ପରିଶୋଧ କରାଯାଇ ସେମାନଙ୍କୁ ଆଜି କାଲି କହି ଭୁତାଇ ଚାଲିଥିବା ନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଚାଷୀ । ଏଭଳି ବ୍ୟାପକ ଜାଲିଆତି ହୋଇଥିବା ଘଟଣା ଦେଖିବାକୁ ମିଳିଛି ବଡଚଣା ବ୍ଲକ ସାଉଡିଆ ପ୍ରାଥମିକ କୃଷି ସମବାୟ ସମିତି କ୍ଷେତ୍ରରେ। ଏହି ଅଭିଯୋଗ ଆଣିଛନ୍ତି ବଡଚଣା ବ୍ଲକ ଜନକ ଗ୍ରାମ ତଥା ଏହି କୃଷି ସମବାୟ ସମିତିର ଜଣେ ପୁରୁଣା ସଭ୍ୟ ପତିତ କୁମାର ଜେନା ।
ଅଭିଯୋଗ ମୁତବାକ, ପତିତ ସାଉଡିଆ ପ୍ରାଥମିକ କୃଷି ସମବାୟ ସମିତିରୁ ୯୫ ହଜାର ଟଙ୍କା ଋଣ ଆଣିଥିଲେ। ଏହି ଋଣକୁ ଶୁଝିବା ପାଇଁ ୨୯ା୩ା୨୦୨୪ ମସିହାରେ ସମବାୟ ସମିତିର ସମ୍ପାଦକ ପ୍ରଶାନ୍ତ କୁମାର ରାଉତଙ୍କୁ ଉକ୍ତ ଟଙ୍କା ଦେଇଥିଲେ । ଏବଂ ଆଉ ସେ ସମିତିରୁ ଋଣ କରିବେ ନାହିଁ ବୋଲି କହିଥିଲେ । ସମ୍ପାଦକ ସୁଧ ମୂଳ ଋଣ ଟଙ୍କା ଜମା କରି ରସିଦ ଓ ଖାତା ଫେରାଇ ଦେବାକୁ କହିଥିଲେ । ହେଲେ ସମ୍ପାଦକ ଦିନ ପରେ ଦିନ ଗଡାଇ ଚାଲିଥିଲେ ମଧ୍ୟ ଆଜି କହି ତାଙ୍କୁ ବୁଝାଇ ଚାଲିଥିଲେ । ଅତି ଯିଦ୍ କରିବାରୁ ସମ୍ପାଦକ ରସିଦ ଓ ବ୍ୟାଙ୍କ ପାସବୁକ୍ ହଜି ଯାଇଥିବା କହିଥିଲେ । ତେବେ ସେ ନିରାଶ ହୋଇ ୧୩ା୧୦ା୨୦୨୬ରେ କେନ୍ଦ୍ର ସମବାୟ ବ୍ୟାଙ୍କ ବାଲିଚନ୍ଦ୍ରପୁର ଶଖାକୁ ଯାଇଥିଲେ । ସେଠାରେ ପୂର୍ବ ଋଣା ଶୁଝି ଯାଇଥିବା ବେଳେ ୧ା୧୦ା୨୦୨୬ ରେ ତାଙ୍କ ନାମରେ ପୁଣି ଋଣ ହୋଇଥିବା ଜାଣିବାକୁ ପାଇ ଥିଲେ । ସେ ଏ ବାବଦରେ କୌଣସି କେସିସି ଫର୍ମ ଓ ବ୍ୟାଙ୍କ ଚେକ୍ ବହିରେ ଦସ୍ତଖତ କରି ନାହାନ୍ତି । ଦିନ ମଜୁରୀଆ ହୋଇଥିବାରୁ ଓ ବ୍ୟାଙ୍କ ସମ୍ବଦ୍ଧରେ କିଛି ଜାଣି ନ ଥିବାରୁ ତାଙ୍କ ନାମରେ ସମ୍ପାଦକ ପ୍ରଶାନ୍ତ ଏଭଳି ଜାଲିଆତି କରି ଋଣ ଟଙ୍କା ହଡପ କରିଥିବା ନେଇ ସେ ଚଳିତ ମାସ ୧୫ ତାରିଖରେ ଏସ୍ଏଆରସିଏସ ଯାଜପୁର ମଣ୍ଡଳଙ୍କ ଓ କଟକ ସିସିସିବି ସମ୍ପାଦକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏବଂ ଏହି ଅଭିଯୋଗ ପତ୍ର ଆରସିଏସ୍ ଭୁନେଶ୍ୱର,ଯାଜପୁର ଜିଲାପାଳ,ବାଲିଚନ୍ଦ୍ରପୁର ଥାନା ଓ ଯାଜପୁର ଭିଜିଲାନ୍ସକୁ ପ୍ରେରଣ କରିଥିବା ଦର୍ଶାଇଛନ୍ତି । ଏହି ଘଟଣାରେ ଆର୍ଥୀକ କାରବାରରେ ଅନିୟମିତତା ହୋଇଥିବା ଜାଣି ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ କୃଷି ସମବାୟ ସମିତିର ସମସ୍ତ ଋଣ ରେକର୍ଡ,ବ୍ୟାଙ୍କ ଷ୍ଟେଟମେଂଟ ଓ ଆର୍ଥୀକ କାରବାର ଅଡିଟ୍ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ସେ ଦାବି କରିଛନ୍ତି ।
ଏହି ସମବାୟ ସମିତିରୁ ଋଣ ଆଣିଥିବା ଚାଷୀମାନଙ୍କୁ ସମବାୟ ସମିତି ପକ୍ଷରୁ କୌଣସି ତଥ୍ୟ ଦେବାକୁ ମନା କରି ଦିଆ ଯାଉଛି । କିଷାନ କାର୍ଡରେ କେତେ ଟଙ୍କା ଅଛି ତାହା ଜାଣିବାକୁ ଚାହୁଁ ଥିଲେ ମଧ୍ୟ କିଛି ସମଯୋଗ କରାଯାଉ ନାହିଁ । ଏବଂ ଚେକ୍ ମାଧ୍ୟମରେ ଟଙ୍କା ଉଠାଣ କରା ନ ଯାଇ ଉଇଥ୍ଡ୍ରାଲ ଫର୍ମରେ ଜାଲି ଦସ୍ତଖତ କରି ବ୍ୟାଙ୍କ କର୍ମଚାରୀଙ୍କୁ ହାତବାରିଶି କରି ଟଙ୍କା ଉଠାଣ ଓ ହଡପ କରାଯାଉଛି । ଚେକ୍ ବହିରେ ଦସ୍ତଖତ ଓ ଉଇଥଡ୍ରାଲ ଫର୍ମରେ ଦସ୍ତଖତ ତନଖି କରାଗଲେ ସବୁ ତଥ୍ୟ ପଦାକୁ ଆସିବ ବୋଲି ଋଣକାରୀ ସୁବୋଧ ଜେନା,ବିକ୍ରମ ଜେନା,ବିନୋଦ ବିହାରୀ ଜେନା,କରୁଣାକର ସାମଲ,ଧନଞ୍ଜୟ ସାମଲ,ଶମ୍ଭୁନାଥ ଜେନା,ବାସୁଦେବ ଜେନା,ଇନ୍ଦୁପ୍ରଭା ଜେନା ଓ ସେବତୀ ବିଶ୍ୱାଳ ପ୍ରମୁଖ କଟକ ସିସିସିବି ସମ୍ପାଦକଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ