
ନୂଆଦିଲ୍ଲୀ, ୨୬ ନଭେମ୍ବର (ହି.ସ.)- ଆମ୍ ଆଦମୀ ପାର୍ଟି (ଆପ୍) ଗୁରୁବାର ନିଜର ପ୍ରତିଷ୍ଠା ଦିବସ ପାଳନ କରୁଛି। ଭାରତୀୟ ସମ୍ବିଧାନ ଦିବସ ଅବସରରେ ୨୬ ନଭେମ୍ବର ୨୦୧୨ରେ ଦିଲ୍ଲୀର ଯନ୍ତରମନ୍ତରଠାରୁ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ସହଯୋଗୀମାନେ ଏହି ଦଳର ଆନୁଷ୍ଠାନିକ ଘୋଷଣା କରିଥିଲେ।
ଏହି ଅବସରରେ ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଦଳର କାର୍ଯ୍ୟକର୍ତା ଓ ସମର୍ଥକମାନଙ୍କୁ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି।
ଅରବିନ୍ଦ କେଜ୍ରିୱାଲ ନିଜ ବାର୍ତାରେ ଆପ୍ର ଏପର୍ଯ୍ୟନ୍ତର ଯାତ୍ରାକୁ ମନେ ପକାଇ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ଖୁବ୍ କମ୍ ସମୟ ମଧ୍ୟରେ ଏକ ଦୀର୍ଘ ଯାତ୍ରା ଅତିକ୍ରମ କରିଛି। ଦଳ ଗଠନ ହେବା ସମୟରେ ଏହାକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ଉଠିଥିଲା। ଦଳ କେତେଦିନ ତିଷ୍ଠି ରହିବ ଏବଂ ଏହାର ନେତାମାନେ ରାଜନୀତିରେ କିଛି କରିପାରିବେ କି ନାହିଁ, ସେନେଇ ଲୋକଙ୍କ ମନରେ ସନ୍ଦେହ ଥିଲା। ସେ କହିଛନ୍ତି ଯେ, ସମସ୍ତ ପ୍ରଶ୍ନ ଓ ଆହ୍ୱାନ ସତ୍ୱେ ଦଳ ସମଗ୍ର ଦେଶର ଲୋକଙ୍କ ହୃଦୟ ଓ ବିଶ୍ୱାସ ଜିତିବାରେ ସଫଳ ହୋଇଛି। ଆପ୍ ଦିଲ୍ଲୀ ଓ ପଞ୍ଜାବରେ ସରକାର ଗଠନ କରିଛି। ଜମ୍ମୁ-କାଶ୍ମୀର, ଗୋଆ ଓ ଗୁଜରାଟ ସମେତ ଦେଶର ବିଭିନ୍ନ ଅଂଚଳରେ ମଧ୍ୟ ଦଳକୁ ଲୋକଙ୍କ ସମର୍ଥନ ଓ ଭଲପାଇବା ମିଳିଛି।
କେଜ୍ରିୱାଲ କହିଛନ୍ତି ଯେ, ଆପ୍ ସବୁବେଳେ କାର୍ଯ୍ୟଭିତିକ ରାଜନୀତିକୁ ପ୍ରାଥମିକତା ଦେଇଆସିଛି ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ରାଜନୀତିର ପ୍ରଭାବରେ ନିଜକୁ ବଦଳାଇବା ପରିବର୍ତେ ଦଳ ରାଜନୀତିରେ ପରିବର୍ତନ ଆଣିବାରେ ସଫଳ ହୋଇଛି ବୋଲି ସେ ଦାବି କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଦେଶ ପାଇଁ ଏବେ ମଧ୍ୟ ଅନେକ କିଛି କରିବା ବାକି ରହିଛି। ଆମ୍ ଆଦମୀ ପାର୍ଟି ନା ଡରିବ ନା ପଛକୁ ହଟିବ। ଶେଷରେ ସେ ଦଳର ସମସ୍ତ କାର୍ଯ୍ୟକର୍ତା ଓ ସମର୍ଥକମାନଙ୍କୁ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଅବଦାନ ପାଇଁ କୃତଜ୍ଞତା ଜଣାଇଛନ୍ତି।
------------------
ହିନ୍ଦୁସ୍ଥାନ ସମାଚାର / ଗଗନ