
ନୂଆଦିଲ୍ଲୀ /ଭୁବନେଶ୍ୱର, ୨୬ ନଭେମ୍ବର(ହି.ସ) - ୪୫ତମ ଇଣ୍ଡିଆ ଇଂଟରନ୍ୟାସନାଲ୍ ଟ୍ରେଡ୍ ଫେୟାର (ଆଇଆଇଟିଏଫ୍)-୨୦୨୬ରେ ଓଡ଼ିଶା ପାଭିଲିୟନକୁ ବିଷୟଭିତିକ ଉପସ୍ଥାପନା-ରାଜ୍ୟ ବର୍ଗରେ ସମ୍ମାନଜନକ ରୌପ୍ୟ ପଦକ ମିଳିଛି । ରାଜ୍ୟର ସମୃଦ୍ଧ ଐତିହ୍ୟ, ପାରମ୍ପରିକ ଉତ୍କର୍ଷ ଏବଂ ଉଦୀୟମାନ ଆର୍ôଥକ ସମ୍ଭାବନାର ଅନନ୍ୟ ଓ ବ୍ୟାପକ ଉପସ୍ଥାପନାକୁ ଏହି ସମ୍ମାନ ସ୍ୱୀକୃତି ପ୍ରଦାନ କରିଛି। ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳ, ପାଭିଲିୟନ୍ ନିର୍ଦ୍ଦେଶକ ତଥା ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ଅଶ୍ୱିନୀ ଭୋଇ ଏବଂ ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀ ଦୀପକ କୁମାର ସାହୁ ଇଣ୍ଡିଆ ଟ୍ରେଡ୍ ପ୍ରମୋସନ୍ ଅର୍ଗାନାଇଜେସନ୍ ର ଅଧିକାରୀମାନଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ଗ୍ରହଣ କରି ଏହା ଓଡିଶା ପାଇଁ ଗର୍ବ ଓ ଗୌରବର ମୁହୂର୍ତ ବୋଲି ନିର୍ଦ୍ଦେଶକ ଶ୍ରୀ ବିଶ୍ୱାଳ କହିଛନ୍ତି ।
ଓଡ଼ିଶା ପାଭିଲିୟନ୍ ରେଆଇଆଇଟିଏଫ୍ -୨୦୨୬ର ମୁଖ୍ୟ ବିଷୟବସ୍ତୁ ‘ବିକାଶ ଓ ଐତିହ୍ୟ’ ସହ ସମନ୍ୱୟ ରକ୍ଷା କରି ରାଜ୍ୟର ସଭ୍ୟତାଗତ ଐତିହ୍ୟ, କଳାତ୍ମକ ଉତ୍କର୍ଷ, ପାରମ୍ପରିକ ଜ୍ଞାନ, ପ୍ରାକୃତିକ ସମ୍ପଦ, ପାଇକ ନାଚ ଓ ଛଉ ଭଳି ସଂସ୍କୃତିକ ବିଭବ ଏବଂ ବିକାଶମୂଳକ ଆକାଂକ୍ଷାର ଏକ ସାମଗ୍ରିକ ଚିତ୍ର ଉପସ୍ଥାପିତ ହୋଇଥିଲା । ପାଭିଲିୟନର ପରିକଳ୍ପନା, ଡିଜାଇନ୍ ଓ ନିର୍ମାଣରେ ପ୍ରାଚୀନ କଳିଙ୍ଗର ଐତିହ୍ୟ, ଜଗନ୍ନାଥ ସଂସ୍କୃତି, ଜନଜାତୀୟ ପରମ୍ପରା, ପାରମ୍ପରିକ ହସ୍ତଶିଳ୍ପ ଏବଂ ସମସାମୟିକ ଆର୍ôଥକ ସୁଯୋଗକୁ ସମନ୍ୱିତ ରୂପରେ ପ୍ରଦର୍ଶିତ କରାଯାଇଥିଲା। ଓଡ଼ିଶାର ସମୃଦ୍ଧ ଐତିହ୍ୟ କିପରି ନବସୃଜନ, ଉଦ୍ୟୋଗିତା, ମୂଲ୍ୟଯୁକ୍ତ ଉତ୍ପାଦନ ଏବଂ ସ୍ଥାୟୀ ବିକାଶକୁ ନିରନ୍ତର ପ୍ରେରଣା ଯୋଗାଇ ଆସୁଛି, ତାହା ଏହି ପ୍ରଦର୍ଶନୀ ମାଧ୍ୟମରେ ପ୍ରତିଫଳିତ ହୋଇଥିଲା।
ଓଡ଼ିଶାର ଅଂଶଗ୍ରହଣର ସମନ୍ୱୟ କ୍ଷେତ୍ରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନୋଡାଲ୍ ବିଭାଗ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏକ ବ୍ୟାପକ ଦୃଷ୍ଟିକୋଣ ନେଇ ବିଭିନ୍ନ ରାଜ୍ୟ ବିଭାଗ, ସଂସ୍ଥା, ଅନୁଷ୍ଠାନ, ସମବାୟ ସଂଗଠନ, ଉତ୍ପାଦକ ସଂଗଠନ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ଏକତ୍ରିତ କରିବାରେ ବିଭାଗର ଭୂମିକା ଉଲ୍ଲେଖନୀୟ ଥିଲା। ସମଗ୍ର ପ୍ରଦର୍ଶନୀ, ବିଭାଗୀୟ ସମନ୍ୱୟ ଏବଂ ପ୍ରଚାରପ୍ରସାରର ସଫଳ ପରିଚାଳନା ମାଧ୍ୟମରେ ରାଜ୍ୟର ସାଂସ୍କୃତିକ ପରିଚୟ, ଉତ୍ପାଦନ କ୍ଷମତା ଓ ଉଦୀୟମାନ ସୁଯୋଗଗୁଡ଼ିକୁ ସମନ୍ୱିତ ରୂପରେ ଉପସ୍ଥାପନ କରାଯାଇଥିଲା। ପାଭିଲିୟନରେ ଓଡ଼ିଶାର ସୁପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରାର ପ୍ରଦର୍ଶନ କରାଯାଇଥିଲା। ଏଥିରେ ସମ୍ବଲପୁରୀ ବସ୍ତ୍ର, ସୂତା, ଟସର ଓ ରେଶମ ଉତ୍ପାଦ, ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, ରୁପା ତାରକସି କାମ, ଢୋକ୍ରା ଶିଳ୍ପ, ପଥର ଓ କାଠ ଖୋଦେଇ ଏବଂ ଆପ୍ଲିକ୍ କାମ ଆଦି ସ୍ଥାନ ପାଇଥିଲା। ରୁପା ତାରକସି, ଢୋକ୍ରା ଢଳେଇ, ପଥର ଖୋଦେଇ ଓ ପାରମ୍ପରିକ ବୁଣାକାମର ପ୍ରତ୍ୟକ୍ଷ ପ୍ରଦର୍ଶନ ମାଧ୍ୟମରେ ଦର୍ଶକମାନେ ସ୍ଥାନୀୟ କାରିଗରଙ୍କ ଦକ୍ଷତା ଓ କଳାକୃତିକୁ ନିକଟରୁ ଦେଖିବାର ସୁଯୋଗ ପାଇଥିଲେ। ସେହିପରି, ବ୍ଲକଚେନ୍ ଆଧାରିତ ହସ୍ତତନ୍ତ ବୁଣାକାମ ପାରମ୍ପରିକ କାରିଗରୀ ସହ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସମନ୍ୱୟକୁ ପ୍ରଦର୍ଶିତ କରିଥିଲା।ମିଶନ ଶକ୍ତି ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସବାଇ ଘାସ ଶିଳ୍ପ, ଜନଜାତୀୟ ଅଳଙ୍କାର, ପେପର୍ ମାଶେ, ମିଲେଟ୍-ଭିତ୍ତିକ ଉତ୍ପାଦ, ପ୍ରସ୍ତୁତ ଖାଦ୍ୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା।
୨୫ ନଭେମ୍ବର ସୁଦ୍ଧା ମୋଟ ବିକ୍ରି ୬୨ ଲକ୍ଷ ଟଙ୍କା ଅତିକ୍ରମ କରିଥିବାବେଳେ ମୋଟ ଦର୍ଶକଙ୍କ ସଂଖ୍ୟା ୨.୫୮ ଲକ୍ଷରୁ ଅଧିକ ହୋଇଥିଲା। ଏହି ପରିସଂଖ୍ୟାନ ଓଡ଼ିଶାର ବିବିଧ ହସ୍ତତନ୍ତ, ହସ୍ତଶିଳ୍ପ, ଜନଜାତୀୟ ଉତ୍ପାଦ, କୃଷିଜାତ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରତି ଦର୍ଶକଙ୍କ ବିପୁଳ ଆଗ୍ରହକୁ ପ୍ରତିଫଳିତ କରିଛି। ଏଥିସହ ସ୍ଥାନୀୟ ଉତ୍ପାଦକ ଓ ଉଦ୍ୟୋଗଗୁଡ଼ିକୁ ବ୍ୟାପକ ବଜାର ସହ ଯୋଡ଼ିବାର ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା