ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନର ଦୁଇ ବର୍ଷ ପୂର୍ତ୍ତି ଅବସରରେ ୨୭ ନଭେମ୍ବରରେ କାର୍ଯ୍ୟକ୍ରମ ଆୟୋଜନ କରିବ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ
ନୂଆଦିଲ୍ଲୀ, ୨୬ ନଭେମ୍ବର (ହି.ସ.) : ଦେଶରୁ ବାଲ୍ୟବିବାହ ଭଳି କୁପ୍ରଥାକୁ ଦୂର କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ‘ବାଲ୍ୟବିବାହ ମୁକ୍ତ ଭାରତ’ ଅଭିଯାନର ଦୁଇ ବର୍ଷ ପୂର୍ତ୍ତି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର, ୨୭ ନଭେମ୍ବରରେ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯି
बाल विवाह मुक्त भारत अभियान पर प्रतिकात्मक चित्र


ନୂଆଦିଲ୍ଲୀ, ୨୬ ନଭେମ୍ବର (ହି.ସ.) : ଦେଶରୁ ବାଲ୍ୟବିବାହ ଭଳି କୁପ୍ରଥାକୁ ଦୂର କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ‘ବାଲ୍ୟବିବାହ ମୁକ୍ତ ଭାରତ’ ଅଭିଯାନର ଦୁଇ ବର୍ଷ ପୂର୍ତ୍ତି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର, ୨୭ ନଭେମ୍ବରରେ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସମେତ ବିଭିନ୍ନ ସଂସ୍ଥା ଏବଂ ସାମାଜିକ ସଂଗଠନର ପ୍ରତିନିଧିମାନେ ଯୋଗଦେବେ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୦୨୪ ନଭେମ୍ବର ୨୭ ତାରିଖରେ ‘ବାଲ୍ୟବିବାହ ମୁକ୍ତ ଭାରତ’ ଅଭିଯାନର ଶୁଭାରମ୍ଭ ହୋଇଥିଲା। ସରକାର ଏବଂ ସମାଜର ସମସ୍ତ ବର୍ଗର ସାମୂହିକ ସହଯୋଗ ମାଧ୍ୟମରେ ଦେଶରୁ ବାଲ୍ୟବିବାହ ପ୍ରଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହା ଅଧୀନରେ ଜନସଚେତନତା ବୃଦ୍ଧି, ସମୁଦାୟର ସକ୍ରିୟ ଅଂଶଗ୍ରହଣ ଏବଂ ବାଲ୍ୟବିବାହ ରୋକିବା ପାଇଁ ଅନୁଷ୍ଠାନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଜାତୀୟସ୍ତରୀୟ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି, ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଅଧିକାରୀ, ବାଲ୍ୟବିବାହ ନିଷେଧ ଅଧିକାରୀ, ଶିଶୁ କଲ୍ୟାଣ କମିଟିର ସଦସ୍ୟ, ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲ୍ସା), ବେସରକାରୀ ସାମାଜିକ ସଂଗଠନ ଏବଂ ଅନ୍ୟ ସମ୍ପୃକ୍ତ ପକ୍ଷ ଯୋଗଦେବେ।

ଏହି ଅବସରରେ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯିବ। ଏଥିସହ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ ଅନ୍ୟ ସମ୍ପୃକ୍ତ ପକ୍ଷଙ୍କ ଅବଦାନକୁ ସ୍ୱୀକୃତି ଦିଆଯିବ। ବାଲ୍ୟବିବାହ ରୋକିବା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ ଆରମ୍ଭ ହୋଇଥିବା ପଦକ୍ଷେପଗୁଡ଼ିକୁ ମଧ୍ୟ ପ୍ରଦର୍ଶିତ କରାଯିବ। ଏହି କୁପ୍ରଥାର ନିରାକରଣ ପାଇଁ ପ୍ରୟାସକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା ହେବ।

ଉଲ୍ଲେଖନୀୟ ଯେ, ମିଳିତ ଜାତିସଂଘ ମହାସଭା ନଭେମ୍ବର ୨୭ ତାରିଖକୁ ଶିଶୁ, ଅଳ୍ପ ବୟସର ଏବଂ ବାଧ୍ୟତାମୂଳକ ବିବାହର ଅବସାନ ପାଇଁ ଅନ୍ତର୍ଜାତୀୟ ଦିବସ ଭାବେ ଘୋଷଣା କରିଥିବାରୁ ଏହି ଆୟୋଜନର ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି।

ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ଦେଶବ୍ୟାପୀ ଜନସଚେତନତା କାର୍ଯ୍ୟକ୍ରମ, ସାମୁଦାୟିକ ସମ୍ପର୍କ ଅଭିଯାନ ଏବଂ ବାଲ୍ୟବିବାହ ବିରୋଧରେ ଶପଥ ଗ୍ରହଣ ଭଳି କାର୍ଯ୍ୟକଳାପ ଆୟୋଜିତ ହୋଇଛି। ଏଥିସହ ବାଲ୍ୟବିବାହ ନିଷେଧ ଅଧିକାରୀଙ୍କ ଭୂମିକାକୁ ସୁଦୃଢ଼ କରିବା, ଏଭଳି ଘଟଣା ସମ୍ପର୍କରେ ଠିକ୍ ସମୟରେ ସୂଚନା ଦେବା ଏବଂ ଝିଅମାନଙ୍କ ଶିକ୍ଷା, ସଶକ୍ତୀକରଣ ଓ ଉନ୍ନତ ଜୀବନଧାରଣକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି।

ଅଭିଯାନର ଦ୍ୱିତୀୟ ବାର୍ଷିକୀ ଅବସରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ରାଜ୍ୟ, ଜିଲ୍ଲା, ବ୍ଲକ୍ ଏବଂ ଗ୍ରାମସ୍ତରରେ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମନ୍ତ୍ରଣାଳୟ ଅନୁରୋଧ କରିଛି। ଏଥିରେ ପଞ୍ଚାୟତିରାଜ ସଂସ୍ଥା, ସହରାଞ୍ଚଳ ସ୍ଥାନୀୟ ନିକାୟ, ଶିକ୍ଷାନୁଷ୍ଠାନ, ତୃଣମୂଳସ୍ତରର କର୍ମଚାରୀ, ଯୁବଗୋଷ୍ଠୀ, ସାମୁଦାୟିକ ଓ ଧାର୍ମିକ ନେତା, ସାମାଜିକ ସଂଗଠନ ଏବଂ ସାଧାରଣ ନାଗରିକଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଏହି ଅଭିଯାନ ଅଧୀନରେ ସ୍ୱତନ୍ତ୍ର ଗ୍ରାମସଭା, ସଚେତନତା ଅଭିଯାନ, ବାଲ୍ୟବିବାହ ବିରୋଧୀ ଶପଥ କାର୍ଯ୍ୟକ୍ରମ ଏବଂ ଡିଜିଟାଲ୍ ମାଧ୍ୟମରେ ଲୋକଙ୍କୁ ଯୋଡ଼ିବା ଭଳି ପଦକ୍ଷେପ ନେବାକୁ ଉତ୍ସାହିତ କରାଯାଉଛି। ଏହାଦ୍ୱାରା ବାଲ୍ୟବିବାହ ବିରୋଧରେ ସ୍ଥାନୀୟସ୍ତରରେ ଜନସହଭାଗିତା ବୃଦ୍ଧି କରିବା ସହ ଏହି ସାମାଜିକ କୁପ୍ରଥାର ନିରାକରଣ ପାଇଁ ସାମୂହିକ ପ୍ରୟାସ ସୁନିଶ୍ଚିତ କରିବା ଲକ୍ଷ୍ୟ ରଖାଯାଇଛି।

‘ବାଲ୍ୟବିବାହ ମୁକ୍ତ ଭାରତ’ ପୋର୍ଟାଲ୍ ମାଧ୍ୟମରେ ନାଗରିକମାନେ ବାଲ୍ୟବିବାହ ଘଟଣା ସମ୍ପର୍କରେ ସୂଚନା ଦେଇପାରିବେ। ଏହି ପୋର୍ଟାଲ୍ରେ ବାଲ୍ୟବିବାହ ନିଷେଧ ଅଧିକାରୀଙ୍କ ବିବରଣୀ ଉପଲବ୍ଧ ରହିଛି। ଏଥିସହ ସଚେତନତା କାର୍ଯ୍ୟକଳାପ ସମ୍ପର୍କିତ ସୂଚନା ଅପଲୋଡ୍ କରିବା ଏବଂ ବାଲ୍ୟବିବାହ ବିରୋଧରେ ଶପଥ ନେବାର ସୁବିଧା ମଧ୍ୟ ରହିଛି।

ମନ୍ତ୍ରଣାଳୟ ପକ୍ଷରୁ ନାଗରିକ ଓ ବିଭିନ୍ନ ସଂସ୍ଥାଗୁଡ଼ିକୁ ‘ବାଲ୍ୟବିବାହ ମୁକ୍ତ ଭାରତ’ ପୋର୍ଟାଲ୍, ମାଇଁଗଭ୍ ଏବଂ ମାଇଁ ଭାରତ ମଞ୍ଚ ମାଧ୍ୟମରେ ଏହି ଅଭିଯାନରେ ସାମିଲ ହେବା ସହ ବାଲ୍ୟବିବାହ ଉଚ୍ଛେଦ ପାଇଁ ଶପଥ ନେବାକୁ ଆହ୍ୱାନ କରାଯାଇଛି।

ଜାତୀୟସ୍ତରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବାଲ୍ୟବିବାହ ଉଚ୍ଛେଦ ଦିଗରେ ନିରନ୍ତର, ସମନ୍ୱିତ ଏବଂ ସମୁଦାୟଭିତ୍ତିକ ପ୍ରୟାସ ପ୍ରତି ଦେଶର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇବ। ପ୍ରତ୍ୟେକ ଶିଶୁଙ୍କ ପାଇଁ ସୁରକ୍ଷିତ, ସୁସ୍ଥ, ଶିକ୍ଷିତ ଓ ସଶକ୍ତ ଶୈଶବ ସୁନିଶ୍ଚିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande