
ନୂଆଦିଲ୍ଲୀ, ୨୬ ନଭେମ୍ବର (ହି.ସ.)।
ସରକାରୀ ଯୋଜନା ଓ ସେବାଗୁଡ଼ିକୁ ଦେଶର ପ୍ରତ୍ୟେକ ନାଗରିକଙ୍କ ନିକଟରେ ତାଙ୍କ ନିଜ ଭାଷାରେ ପହଞ୍ଚାଇବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଉଦ୍ଦେଶ୍ୟରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଡିଜିଟାଲ ଇଣ୍ଡିଆ ଭାଷିଣୀ ଡିଭିଜନ ଏବଂ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ଆଦାନପ୍ରଦାନ କରାଯାଇଛି। ଏହି ସହଭାଗିତା ଜରିଆରେ ସାମାଜିକ ନ୍ୟାୟ ମନ୍ତ୍ରଣାଳୟର ଡିଜିଟାଲ ପ୍ଲାଟଫର୍ମରେ ଭାଷିଣୀର କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ ଭାଷା ପ୍ରଯୁକ୍ତିକୁ ଯୋଡ଼ାଯିବ। ଏହାଦ୍ୱାରା ନାଗରିକ ଓ ହିତାଧିକାରୀମାନେ ୨୨ରୁ ଅଧିକ ଭାଷାରେ ସରକାରୀ ଯୋଜନା ଓ ସେବା ସମ୍ପର୍କରେ ସୂଚନା ପାଇପାରିବେ।
ଏହି ବୁଝାମଣାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାଷାଗତ ପ୍ରତିବନ୍ଧକ ଦୂର କରିବା ସହ ସରକାରୀ ସେବାଗୁଡ଼ିକୁ ଅଧିକ ସମାବେଶୀ ଓ ସୁଲଭ କରିବା। ବୁଝାମଣା ସମୟରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡ. ବୀରେନ୍ଦ୍ର କୁମାର, ରାଷ୍ଟ୍ରମନ୍ତ୍ରୀ ବି.ଏଲ୍. ବର୍ମା, ବିଭାଗର ସଚିବ ସୁଧାଂଶ ପନ୍ତ ଏବଂ ଡିଜିଟାଲ ଇଣ୍ଡିଆ ଭାଷିଣୀ ଡିଭିଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ ନାଗଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ସହଭାଗିତା ଅନୁଯାୟୀ, ଭାଷିଣୀର ଭାଷା ପ୍ରଯୁକ୍ତିକୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ‘ସମାବେଶ’ (ସିଙ୍ଗଲ ଆକ୍ସେସ୍ ମେକାନିଜମ୍ ଫର୍ ଅଲ୍ ଭର୍ଟିକାଲ୍ସ ଅଫ୍ ଏମ୍ପାୱାରମେଣ୍ଟ ଆଣ୍ଡ ସୋସିଆଲ ହାର୍ମୋନି) ସହ ଯୋଡ଼ାଯିବ।
ସମାବେଶ ପୋର୍ଟାଲର ଉଦ୍ଦେଶ୍ୟ ହେଉଛି ମନ୍ତ୍ରଣାଳୟର ବିଭିନ୍ନ ଯୋଜନା, ସେବା ଓ ସଂଗଠନ ସହ ଜଡ଼ିତ ସୂଚନାକୁ ଗୋଟିଏ ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ କରାଇବା। ଏବେ ଭାଷିଣୀର ପ୍ରଯୁକ୍ତି ଯୋଡ଼ାଯିବା ଫଳରେ ଲୋକମାନେ ନିଜ ପସନ୍ଦର ଭାଷାରେ ଯୋଜନା ସମ୍ପର୍କିତ ସୂଚନା ପାଇପାରିବେ। ଏହାବ୍ୟତୀତ ଦସ୍ତାବିଜର ସାରାଂଶ ପ୍ରସ୍ତୁତ କରିବା ଭଳି ବୈଷୟିକ ସୁବିଧା ମଧ୍ୟ ଉପଲବ୍ଧ ହେବ।
ଏହି ପଦକ୍ଷେପ ଅନ୍ତର୍ଗତ ସମାବେଶ ପ୍ଲାଟଫର୍ମରେ ଉପଲବ୍ଧ ଏଆଇ ଆଧାରିତ ଚାଟ୍ବଟ୍ ‘ସାମାଜିକ ସହାୟକ’କୁ ମଧ୍ୟ ଭାଷିଣୀର ପ୍ରଯୁକ୍ତି ଅଧିକ ସୁଦୃଢ଼ କରିବ। ୨୨ରୁ ଅଧିକ ଭାଷାରେ ଲୋକଙ୍କୁ ସରକାରୀ ଯୋଜନା ଓ ସେବା ସମ୍ପର୍କିତ ସୂଚନା ଏବଂ ସହାୟତା ପ୍ରଦାନ କରିବା ପାଇଁ ଏହି ଚାଟ୍ବଟ୍ ପ୍ରସ୍ତୁତ କରାଯାଇଛି।
ଏହାଦ୍ୱାରା ବିଭିନ୍ନ ଭାଷାଭାଷୀ ପୃଷ୍ଠଭୂମିର ନାଗରିକମାନଙ୍କୁ ସରକାରୀ ଯୋଜନା ସମ୍ପର୍କିତ ସୂଚନା ବୁଝିବା ଏବଂ ସମ୍ପୃକ୍ତ ସେବାଗୁଡ଼ିକର ସୁବିଧା ପାଇବା ସହଜ ହେବ। ବିଶେଷକରି ଭାଷାଗତ ସମସ୍ୟା ଯୋଗୁଁ ଡିଜିଟାଲ ସରକାରୀ ସେବା ବ୍ୟବହାର କରିବାରେ ଅସୁବିଧା ଭୋଗୁଥିବା ଲୋକମାନେ ଏଥିରୁ ଲାଭବାନ ହେବେ ବୋଲି ଆଶା କରାଯାଉଛି।
ଅନୁବାଦ, ଭଏସ୍ ଓ ଭିଡିଓ ପ୍ରଯୁକ୍ତି ଉପରେ ମଧ୍ୟ ଗୁରୁତ୍ୱ
ଡିଜିଟାଲ ଇଣ୍ଡିଆ ଭାଷିଣୀ ଡିଭିଜନର ସିଇଓ ଅମିତାଭ ନାଗ କହିଛନ୍ତି ଯେ, ସରକାରୀ ସୂଚନା ଓ ସେବା ପାଇବାରେ ଭାଷା ଯେପରି କେବେ ବି ପ୍ରତିବନ୍ଧକ ନହୁଏ, ତାହା ସୁନିଶ୍ଚିତ କରିବା ସେମାନଙ୍କର ଲକ୍ଷ୍ୟ। ଭାଷିଣୀ ଟେକ୍ସଟ୍, ସ୍ପିଚ୍ ଓ ଭିଡିଓ ଅନୁବାଦ ଜରିଆରେ ବହୁଭାଷୀ ଏଆଇ ପ୍ରଯୁକ୍ତିକୁ ଆଗକୁ ବଢ଼ାଉଛି।
ସେ କହିଛନ୍ତି ଯେ, ଆଦିବାସୀ ଓ କମ୍ ସମ୍ବଳ ଥିବା ଭାଷାଗୁଡ଼ିକୁ ମଧ୍ୟ ଡିଜିଟାଲ ଇକୋସିଷ୍ଟମ୍ ସହ ଯୋଡ଼ିବା ପାଇଁ ଉଦ୍ୟମ କରାଯାଉଛି। ଏହି ଅନ୍ତର୍ଗତ ଭିଲି ଭଳି ଜନଜାତି ଭାଷା ଏବଂ ମିଜୋ ଭଳି କମ୍ ସମ୍ବଳ ଥିବା ଭାଷାକୁ ଡିଜିଟାଲ ରୂପ ଦେବା ଉପରେ କାମ କରାଯାଉଛି।
ଆଗାମୀ ଦିନରେ ସରକାରୀ ରିପୋର୍ଟ, ଯୋଜନା ସମ୍ପର୍କିତ ଦସ୍ତାବିଜ ଏବଂ ଭିଡିଓଗୁଡ଼ିକୁ ମଧ୍ୟ ବିଭିନ୍ନ ଭାଷାରେ ଉପଲବ୍ଧ କରାଇବା ଦିଗରେ କାମ କରାଯିବ। ଏଥିସହ ଡିଜିଟାଲ ପ୍ଲାଟଫର୍ମରେ ସ୍ୱର ଆଧାରିତ ସୁବିଧାଗୁଡ଼ିକୁ ମଧ୍ୟ ଅଧିକ ସୁଦୃଢ଼ କରାଯିବ।
ଡିଜିଟାଲ ଇଣ୍ଡିଆ ଭାଷିଣୀ ଡିଭିଜନ, ଡିଜିଟାଲ ଇଣ୍ଡିଆ କର୍ପୋରେସନ ଅଧୀନରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏକ ଜାତୀୟ ପଦକ୍ଷେପ। ଏଆଇ ଆଧାରିତ ପ୍ରଯୁକ୍ତି ଜରିଆରେ ଦେଶରେ ବହୁଭାଷୀ ଡିଜିଟାଲ ସମାବେଶକୁ ପ୍ରୋତ୍ସାହନ ଦେବା ଏହାର ଉଦ୍ଦେଶ୍ୟ।
ସରକାରଙ୍କ ଅନୁଯାୟୀ, ଭାଷିଣୀ ଏପର୍ଯ୍ୟନ୍ତ ୮୦୦ରୁ ଅଧିକ ସରକାରୀ ୱେବସାଇଟ୍କୁ ଭାଷା ପ୍ରଯୁକ୍ତି ସହ ଯୋଡ଼ିସାରିଛି। ଏହା ମାଧ୍ୟମରେ ୧୧ ବିଲିୟନରୁ ଅଧିକ ଏଆଇ ଇନଫରେନ୍ସ କରାଯାଇଥିବା ବେଳେ ପ୍ରତିଦିନ ୨.୪ କୋଟିରୁ ଅଧିକ ଏଆଇ ଇନଫରେନ୍ସ ପ୍ରକ୍ରିୟାକରଣ କରାଯାଉଛି। ଏହା ୩୬ଟି ଭାରତୀୟ ଟେକ୍ସଟ୍ ଭାଷା, ୨୩ଟି ଭାରତୀୟ ଭଏସ୍ ଭାଷା ଏବଂ ୩୫ଟି ଅନ୍ତର୍ଜାତୀୟ ଭାଷାକୁ ସମର୍ଥନ କରୁଛି।
ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଏବଂ ଭାଷିଣୀ ମଧ୍ୟରେ ହୋଇଥିବା ଏହି ବୁଝାମଣାକୁ ସରକାରୀ ଯୋଜନା ସମ୍ପର୍କିତ ସୂଚନା ଅଧିକରୁ ଅଧିକ ଲୋକଙ୍କ ନିକଟରେ ସେମାନଙ୍କ ନିଜ ଭାଷାରେ ପହଞ୍ଚାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଏଆଇ ଆଧାରିତ ଅନୁବାଦ, ସ୍ୱର ଏବଂ ଦସ୍ତାବିଜର ସାରାଂଶ ପ୍ରସ୍ତୁତି ଭଳି ସୁବିଧା ଯୋଗୁଁ ଡିଜିଟାଲ ସେବାର ବ୍ୟବହାର ଅଧିକ ସହଜ ହୋଇପାରିବ।
ଏହି ପଦକ୍ଷେପ ଜରିଆରେ ସରକାରଙ୍କ ଗୁରୁତ୍ୱ କେବଳ ଡିଜିଟାଲ ସୁବିଧା ଯୋଗାଇବାରେ ସୀମିତ ନରଖି, ଭାଷାଗତ ପ୍ରତିବନ୍ଧକରୁ ମୁକ୍ତ କରି ସମାଜର ପ୍ରତ୍ୟେକ ବର୍ଗ ପର୍ଯ୍ୟନ୍ତ ପ୍ରଯୁକ୍ତିକୁ ପହଞ୍ଚାଇବା ଉପରେ ରହିଛି। ଯାହାଦ୍ୱାରା ଦେଶର ବିଭିନ୍ନ ଅଞ୍ଚଳରେ ରହୁଥିବା ନାଗରିକମାନେ ନିଜ ଭାଷାରେ ସରକାରୀ ଯୋଜନା ଓ ସେବାର ଲାଭ ଉଠାଇପାରିବେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା