
ନାଥଦ୍ୱାରା, ୨୬ ନଭେମ୍ବର (ହି.ସ.)- ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗୁରୁବାର ସକାଳେ ପ୍ରଭୁ ଶ୍ରୀନାଥଜୀଙ୍କ ଦର୍ଶନ ପାଇଁ ନାଥଦ୍ୱାରାରେ ପହଂଚିଥିଲେ। ପରିବାର ସହ ମନ୍ଦିରରେ ମଙ୍ଗଳା ଝାଙ୍କି ଦର୍ଶନ କରି ବାହାରକୁ ଆସିବା ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ତୁରନ୍ତ ମନ୍ଦିର ପରିସରରେ ଥିବା ମୋତି ମହଲ ନିକଟରେ ଏକ ଚେୟାରରେ ବସାଯାଇ ଡାକ୍ତରଙ୍କୁ ଡକାଯାଇଥିଲା।
ଡାକ୍ତର ସତୀଶ ଚୌଧୁରୀ ଘଟଣାସ୍ଥଳରେ ତାଙ୍କର ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାପରେ ଧନଖଡ଼ଙ୍କୁ ଆମ୍ବୁଲାନ୍ସ ଯୋଗେ ସହରର ଗୋବର୍ଦ୍ଧନ ସରକାରୀ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ହସ୍ପିଟାଲରେ ଡାକ୍ତରମାନେ ତାଙ୍କର ପରୀକ୍ଷା କରିବା ପରେ ଉନ୍ନତ ଚିକିତ୍ସା ପାଇଁ ଉଦୟପୁର ପଠାଇଥିଲେ। ହସ୍ପିଟାଲରୁ ଧନଖଡ଼ କାର ଯୋଗେ ଉଦୟପୁର ଅଭିମୁଖେ ଯାତ୍ରା କରିଥିଲେ।
ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପୂର୍ବରୁ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ନିଜ ପତ୍ନୀଙ୍କ ସହ ପ୍ରଭୁ ଶ୍ରୀନାଥଜୀଙ୍କ ମଙ୍ଗଳା ଝାଙ୍କି ଦର୍ଶନ କରିଥିଲେ। ମନ୍ଦିରର ପରମ୍ପରା ଅନୁଯାୟୀ, ଦର୍ଶନ ପରେ ମନ୍ଦିର ମଣ୍ଡଳ ପକ୍ଷରୁ ଧନଖଡ଼ ଏବଂ ତାଙ୍କ ପତ୍ନୀଙ୍କୁ ଉପରଣା ପିନ୍ଧାଇ ସମ୍ମାନିତ କରାଯାଇଥିଲା ଏବଂ ପ୍ରଭୁ ଶ୍ରୀନାଥଜୀଙ୍କ ପ୍ରସାଦ ଭେଟି ଦିଆଯାଇଥିଲା। ଏହି ସମୟରେ ମନ୍ଦିରର ସହକାରୀ ଅଧିକାରୀ ଅନିଲ ସନାଢ୍ୟ, ଲୀଳାଧର ପୁରୋହିତ, ଜମାଦାର ବିଠଲ ସନାଢ୍ୟଙ୍କ ସମେତ ମନ୍ଦିରର ଅନ୍ୟ ସେବାୟତମାନେ ଉପସ୍ଥିତ ଥିଲେ। ନାଥଦ୍ୱାରାରେ ପହଂଚିବା ପରେ ଜିଲ୍ଲାପାଳ ଅରୁଣ କୁମାର ହସିଜା ଏବଂ ପୋଲିସ ଅଧୀକ୍ଷକ ହେମନ୍ତ କୁମାରଙ୍କ ସମେତ ଅନ୍ୟ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ।
ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପ୍ରଭୁ ଶ୍ରୀନାଥଜୀଙ୍କ ଜଣେ ପରମ ଭକ୍ତ ଭାବେ ପରିଚିତ। ରାଜ୍ୟପାଳ ଏବଂ ଉପରାଷ୍ଟ୍ରପତି ପଦରେ ଥିବା ସମୟରେ ମଧ୍ୟ ସେ ଅନେକଥର ନାଥଦ୍ୱାରା ଆସି ପ୍ରଭୁ ଶ୍ରୀନାଥଜୀଙ୍କ ଦର୍ଶନ କରିଛନ୍ତି। ଗୁରୁବାର ଦର୍ଶନ ପରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାର ଖବର ମିଳିବା ମାତ୍ରେ ପ୍ରଶାସନ ଏବଂ ମନ୍ଦିର ପରିଚାଳନା କମିଟି ସକ୍ରିୟ ହୋଇଉଠିଥିଲେ ଏବଂ ତାଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ