ନଭେମ୍ବର ୨୭ରୁ ଦିଲ୍ଲୀରେ ଆୟୋଜିତ ହେବ ‘କାରିଗର ବଜାର’
ନୂଆଦିଲ୍ଲୀ, ୨୬ ନଭେମ୍ବର (ହି.ସ.)। ଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ଆସନ୍ତା ଶୁକ୍ରବାରଠାରୁ ୧୦ ଦିନିଆ ‘କାରିଗର ବଜାର’ର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହେବ। ଭାରତର ସମୃଦ୍ଧ ପାରମ୍ପରିକ କଳା ଓ ହସ୍ତଶିଳ୍ପ ଐତିହ୍ୟର ପ୍ରଚାରପ୍ରସାର କରିବା ଏହାର ଉଦ୍ଦେଶ୍ୟ। କ୍ରାଫ୍ଟ ଆଣ୍ଡ ଆର୍ଟିଜାନ ରିଭା
ନଭେମ୍ବର ୨୭ରୁ ଦିଲ୍ଲୀରେ ଆୟୋଜିତ ହେବ ‘କାରିଗର ବଜାର’


ନୂଆଦିଲ୍ଲୀ, ୨୬ ନଭେମ୍ବର (ହି.ସ.)। ଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ଆସନ୍ତା ଶୁକ୍ରବାରଠାରୁ ୧୦ ଦିନିଆ ‘କାରିଗର ବଜାର’ର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହେବ। ଭାରତର ସମୃଦ୍ଧ ପାରମ୍ପରିକ କଳା ଓ ହସ୍ତଶିଳ୍ପ ଐତିହ୍ୟର ପ୍ରଚାରପ୍ରସାର କରିବା ଏହାର ଉଦ୍ଦେଶ୍ୟ।

କ୍ରାଫ୍ଟ ଆଣ୍ଡ ଆର୍ଟିଜାନ ରିଭାଇଭାଲ ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ୨୬ରୁ ଅଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୫୦ରୁ ଅଧିକ କାରିଗର ଓ ଶିଳ୍ପୀ ଅଂଶଗ୍ରହଣ କରିବେ। ଏଥିରେ ଜାତୀୟ ପୁରସ୍କାର ଏବଂ ସନ୍ଥ କବୀର ପୁରସ୍କାରରେ ସମ୍ମାନିତ ଶିଳ୍ପୀଙ୍କ ସହ ଜିଆଇ ଟ୍ୟାଗ୍ପ୍ରାପ୍ତ କଳାର ବିଶେଷଜ୍ଞ, ପାରମ୍ପରିକ ବୁଣାକାର, ମହିଳା କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ନୂତନ ଉଦ୍ୟୋଗୀମାନେ ସାମିଲ ହେବେ।

ଏହି ବଜାରରେ ଦେଶର ବିଭିନ୍ନ ଅଞ୍ଚଳର ହାତ ତିଆରି କଳାକୃତି ଓ ପାରମ୍ପରିକ ସାମଗ୍ରୀର ବ୍ୟାପକ ସମ୍ଭାର ଦେଖିବାକୁ ମିଳିବ। ଏଥିରେ ମୁଖ୍ୟତଃ ବୟନ ଓ କାରୁକାର୍ଯ୍ୟ କ୍ଷେତ୍ରରେ ବନାରସୀ, ଚନ୍ଦେରୀ, ମହେଶ୍ୱରୀ, ଇକତ୍, ବ୍ଲକ୍ ପ୍ରିଣ୍ଟିଂ, ଚିକନକାରୀ ଓ କଚ୍ଛ କଢ଼େଇ; ଚିତ୍ରକଳା ଓ ହସ୍ତଶିଳ୍ପ କ୍ଷେତ୍ରରେ ମଧୁବନୀ ଓ ଗୋଣ୍ଡ ଚିତ୍ରକଳା, ଟେରାକୋଟା, ବ୍ଲୁ ପଟେରୀ ଏବଂ ଧାତୁ ଓ କାଠରେ ଖୋଦେଇ କାମ ଆଦି ସ୍ଥାନ ପାଇବ। ଏହାବ୍ୟତୀତ ପାରମ୍ପରିକ ଅଳଙ୍କାର ଏବଂ ପରିବେଶ ଅନୁକୂଳ ହସ୍ତଶିଳ୍ପ ସାମଗ୍ରୀ ମଧ୍ୟ ପ୍ରଦର୍ଶିତ ହେବ।

ଏହି ସଂସ୍କରଣରେ ‘କାରିଗର ଏକ୍ସପିରିଏନ୍ସ ସେଣ୍ଟର’ ଏକ ବିଶେଷ ଆକର୍ଷଣର କେନ୍ଦ୍ର ହେବ। ଏଠାକୁ ଆସୁଥିବା ଲୋକମାନେ ବୁଣାକାମ, କଢ଼େଇ, ମାଟିପାତ୍ର ତିଆରି, ଚିତ୍ରକଳା ଓ ଖୋଦେଇ ଭଳି ପାରମ୍ପରିକ କଳାର ସିଧାସଳଖ ପ୍ରଦର୍ଶନ ଦେଖିପାରିବେ। ଏହାର ଉଦ୍ଦେଶ୍ୟ କେବଳ ଉତ୍ପାଦ ସହିତ ନୁହେଁ, ବରଂ ସେଗୁଡ଼ିକ ପଛରେ ଥିବା କୌଶଳ ଏବଂ ପିଢ଼ି ପରେ ପିଢ଼ି ଧରି ଚାଲିଆସୁଥିବା କାରିଗରମାନଙ୍କ ଐତିହ୍ୟ ସହିତ ଲୋକଙ୍କୁ ପରିଚିତ କରାଇବା।

କାରିଗର ବଜାରର ନିର୍ଦ୍ଦେଶକ ତଥା ସହ-ପ୍ରତିଷ୍ଠାତା ଆମିର ଖାନ କହିଛନ୍ତି ଯେ, ପ୍ରଥମ ସଂସ୍କରଣର ଅଭୂତପୂର୍ବ ସଫଳତା ପରେ ଏଥର ଏହି ଆୟୋଜନକୁ ଆହୁରି ବ୍ୟାପକ ସ୍ତରରେ କରାଯାଉଛି। ଏହି ମଞ୍ଚର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କାରିଗରମାନଙ୍କୁ ପରିଚୟ ଓ ସ୍ୱୀକୃତି ପ୍ରଦାନ କରିବା ସହ ସେମାନଙ୍କୁ ସିଧାସଳଖ ଗ୍ରାହକଙ୍କ ସହ ଯୋଡ଼ିବା।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande