ମହାରାଷ୍ଟ୍ର: ଶରଦ ପାୱାର ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଏନ୍ସିପିର ମିଶ୍ରଣ ଓ କୃଷକ ଆନ୍ଦୋଳନ ଉପରେ ହେବ ଆଲୋଚନା
ମୁମ୍ବାଇ, ୨୬ ନଭେମ୍ବର (ହି.ସ.) - ମହାରାଷ୍ଟ୍ର ରାଜନୀତିରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ର ଉଭୟ ଗୋଷ୍ଠୀର ସମ୍ଭାବ୍ୟ ମିଶ୍ରଣକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ଏନ୍ସିପି (ଶରଦଚନ୍ଦ୍ର ପାୱାର)ର ମୁଖ୍ୟ ଶରଦ ପାୱାର ଗୁରୁବାର ମୁମ୍ବାଇସ୍ଥିତ ୱାଇ.ବି. ଚଭନ୍ ସେଂଟରରେ ଦଳ
एनसीपी प्रमुख शरद पवार की फाइल फोटो


ମୁମ୍ବାଇ, ୨୬ ନଭେମ୍ବର (ହି.ସ.) - ମହାରାଷ୍ଟ୍ର ରାଜନୀତିରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ର ଉଭୟ ଗୋଷ୍ଠୀର ସମ୍ଭାବ୍ୟ ମିଶ୍ରଣକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ଏନ୍ସିପି (ଶରଦଚନ୍ଦ୍ର ପାୱାର)ର ମୁଖ୍ୟ ଶରଦ ପାୱାର ଗୁରୁବାର ମୁମ୍ବାଇସ୍ଥିତ ୱାଇ.ବି. ଚଭନ୍ ସେଂଟରରେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ମହାରାଷ୍ଟ୍ରର ବର୍ତମାନର ରାଜନୈତିକ ପରିସ୍ଥିତି ଦୃଷ୍ଟିରୁ ଏହି ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି।

ଏହି ବୈଠକରେ ସାଂସଦ ସୁପ୍ରିୟା ସୁଲେ, ବିଧାୟକ ରୋହିତ ପାୱାରଙ୍କ ସମେତ ଦଳର ବରିଷ୍ଠ ନେତା ଏବଂ ବିଭିନ୍ନ ଜିଲ୍ଲାର ସଭାପତିମାନେ ଯୋଗ ଦେଇପାରନ୍ତି। ବୈଠକରେ ଏନ୍ସିପିର ଉଭୟ ଗୋଷ୍ଠୀର ସମ୍ଭାବ୍ୟ ମିଶ୍ରଣ, ମହିଳା ସଂରକ୍ଷଣ ବିଲ୍, ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ଏବଂ ଆଗାମୀ ଶୀତକାଳୀନ ବିଧାନସଭା ଅଧିବେଶନର ରଣନୀତି ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

ବୈଠକର ଅନ୍ୟ ଏକ ପ୍ରମୁଖ ପ୍ରସଙ୍ଗ ବିଧାୟକ ରୋହିତ ପାୱାରଙ୍କ ପ୍ରସ୍ତାବିତ କୃଷକ ଟ୍ରାକ୍ଟର ରାଲି ହୋଇପାରେ। ବିଦର୍ଭ ଅଂଚଳରେ ମରୁଡ଼ି ଏବଂ କୃଷକମାନଙ୍କ କ୍ଷୟକ୍ଷତି ପ୍ରସଙ୍ଗକୁ ନେଇ ରୋହିତ ପାୱାର ଡିସେମ୍ବର ୪ ତାରିଖରୁ ଶେଗାଓଁରୁ ନାଗପୁର ପର୍ଯ୍ୟନ୍ତ ଛଅ ଦିନିଆ ଟ୍ରାକ୍ଟର ରାଲି ବାହାର କରିବାକୁ ଘୋଷଣା କରିଛନ୍ତି। ଏହି ରାଲି ଡିସେମ୍ବର ୯ ତାରିଖରେ ନାଗପୁରସ୍ଥିତ ବିଧାନସଭା ଭବନ ନିକଟରେ ଶେଷ ହେବ।

ଏହି ଆନ୍ଦୋଳନ ମାଧ୍ୟମରେ କୃଷକମାନଙ୍କ ପାଇଁ ଉଚିତ କ୍ଷତିପୂରଣ ଏବଂ ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ୍ ଦାବି ଉଠାଯିବ। କୁହାଯାଉଛି ଯେ, ରୋହିତ ପାୱାର ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା ନକରି ଏହି ଆନ୍ଦୋଳନର ଘୋଷଣା କରିଥିଲେ। ତେଣୁ ଦଳ ଆନୁଷ୍ଠାନିକ ଭାବେ ଏହି ଆନ୍ଦୋଳନକୁ ସମର୍ଥନ କରିବ କି ନାହିଁ, ତାହା ବୈଠକରେ ସ୍ଥିର ହୋଇପାରେ। ତେବେ ଏହି ଆନ୍ଦୋଳନକୁ ବିରୋଧ କରାଯାଉଥିବା ସମ୍ପର୍କିତ ଖବରକୁ ରାଜ୍ୟ ସଭାପତି ଶଶିକାନ୍ତ ସିନ୍ଦେ ଭୁଲ୍ ବୋଲି କହିଛନ୍ତି।

ମହାରାଷ୍ଟ୍ର ରାଜନୀତିରେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍ସିପିର ଉଭୟ ଗୋଷ୍ଠୀ ଏକାଠି ହେବାର ସମ୍ଭାବନାକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଚାଲିଛି। ଏଭଳି ସ୍ଥିତିରେ ଆଜିର ବୈଠକରେ ଏହି ପ୍ରସଙ୍ଗକୁ ନେଇ ଦଳୀୟ ନେତାମାନଙ୍କ ମତାମତକୁ ବେଶ୍ ଗୁରୁତ୍ୱ ଦିଆଯାଉଛି। ତେବେ ଉଭୟ ଗୋଷ୍ଠୀର ମିଶ୍ରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତିର ଆଧିକାରିକ ସୂଚନା ମିଳିନାହିଁ।

ଏହାବ୍ୟତୀତ ମହିଳା ସଂରକ୍ଷଣ ବିଲ୍ ଏବଂ ଲୋକସଭା-ବିଧାନସଭା ଆସନଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ ଭଳି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପ୍ରସଙ୍ଗ ଉପରେ ମଧ୍ୟ ଦଳ ନିଜର ରଣନୀତି ପ୍ରସ୍ତୁତ କରିପାରେ।

ମୋଟାମୋଟି ଭାବେ ଶରଦ ପାୱାରଙ୍କ ଏହି ବୈଠକ ମହାରାଷ୍ଟ୍ର ରାଜନୀତିକୁ ଏକ ନୂଆ ଦିଗ ଦେଇପାରେ। ଗୋଟିଏ ପଟେ ଏନ୍ସିପିର ଉଭୟ ଗୋଷ୍ଠୀର ସମ୍ଭାବ୍ୟ ମିଶ୍ରଣକୁ ନେଇ ରାଜନୈତିକ ଚର୍ଚ୍ଚା ଚାଲିଥିବା ବେଳେ ଅନ୍ୟପଟେ ରୋହିତ ପାୱାରଙ୍କ କୃଷକ ଆନ୍ଦୋଳନକୁ ନେଇ ଦଳର ଆଭିମୁଖ୍ୟ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ବୈଠକ ପରେ ସାମ୍ନାକୁ ଆସିବାକୁ ଥିବା ନିଷ୍ପତିଗୁଡ଼ିକରୁ ରାଜ୍ୟର ଆଗାମୀ ରାଜନୈତିକ ରଣନୀତି ସମ୍ପର୍କରେ ଅନେକାଂଶରେ ସ୍ପଷ୍ଟ ଚିତ୍ର ମିଳିପାରେ।

----------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande