
ନୂଆଦିଲ୍ଲୀ, ୨୬ ନଭେମ୍ବର (ହି.ସ.)। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ନେତା ଗୁରୁବାର ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ପ୍ରାଣ ହରାଇଥିବା ନିରୀହ ଲୋକ ଏବଂ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ରାଷ୍ଟ୍ରପତି ମୁର୍ମୁ ଏକ୍ସରେ ଲେଖିଛନ୍ତି, “ଆମର ସାହସୀ ସୈନିକ, ପୁଲିସ କର୍ମଚାରୀ ଏବଂ ଆତଙ୍କବାଦ ବିରୋଧରେ ନିର୍ଭୀକ ଭାବେ ଠିଆ ହୋଇଥିବା ସମସ୍ତଙ୍କ ସାହସକୁ ମୁଁ ସଲାମ କରୁଛି। ସେମାନଙ୍କ ବଳିଦାନ ଓ ନିଃସ୍ୱାର୍ଥପର ସେବା ଆମ ଦେଶର ଆତ୍ମାରେ ସର୍ବଦା ଅମର ହୋଇ ରହିବ। ଆତଙ୍କବାଦ ଜୀବନକୁ ଧ୍ୱଂସ କରିପାରେ, କିନ୍ତୁ ସାହସ, କରୁଣା ଓ ଦୃଢ଼ତା ସହ ଏକଜୁଟ ହୋଇଥିବା ରାଷ୍ଟ୍ରର ମନୋବଳକୁ କେବେ ଭାଙ୍ଗିପାରିବ ନାହିଁ। ଆଜି ଆମେ ପୀଡ଼ିତ ଏବଂ ସେମାନଙ୍କ ପରିବାର ସହ ଠିଆ ହୋଇଛୁ। ଆତଙ୍କବାଦକୁ ସବୁ ରୂପରେ ସମାପ୍ତ କରିବା ଏବଂ ଏକ ଅଧିକ ଶାନ୍ତିପୂର୍ଣ୍ଣ ଓ ମାନବୀୟ ବିଶ୍ୱ ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ଆମର ସାମୂହିକ ସଂକଳ୍ପକୁ ଆମେ ପୁନର୍ବାର ଦୋହରାଉଛୁ।”
ଉପରାଷ୍ଟ୍ରପତି କହିଛନ୍ତି ଯେ, ଭାରତ ଆତଙ୍କବାଦର ସମସ୍ତ ରୂପ ପ୍ରତି ‘ଶୂନ୍ୟ ସହନଶୀଳତା’ ନୀତିରେ ଅଟଳ ରହିଛି ଏବଂ ଏଥିପାଇଁ ଦାୟୀ ଲୋକଙ୍କୁ ନ୍ୟାୟିକ ପ୍ରକ୍ରିୟାର ସମ୍ମୁଖୀନ କରାଇବାକୁ ପ୍ରତିବଦ୍ଧ। ଆତଙ୍କବାଦକୁ ପରାସ୍ତ କରିବା ଏବଂ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ସଂକଳ୍ପ ସହ ସମଗ୍ର ଦେଶ ଏକଜୁଟ ହୋଇଛି।
ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ, ସାହସୀ ସୁରକ୍ଷାକର୍ମୀଙ୍କ ଅଦମ୍ୟ ସାହସ, କର୍ତ୍ତବ୍ୟ ପ୍ରତି ସମର୍ପଣ ଏବଂ ମାତୃଭୂମି ପ୍ରତି ଅତୁଟ ନିଷ୍ଠା ସର୍ବଦା ଦେଶବାସୀଙ୍କ ସ୍ମୃତିରେ ଅଙ୍କିତ ହୋଇ ରହିବ। ଏହି ଦିନ ଆତଙ୍କବାଦ ବିରୋଧରେ ଏକଜୁଟ ରହିବା, ଜାତୀୟ ସୁରକ୍ଷା ପ୍ରତି ସତର୍କ ରହିବା ଏବଂ ଶାନ୍ତି ଓ ମାନବୀୟ ମୂଲ୍ୟବୋଧର ସୁରକ୍ଷା କରିବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିବାର ପ୍ରେରଣା ଦେଇଥାଏ। ଦେଶ ସେହି ସମସ୍ତ ସାହସୀ ବୀର ଏବଂ ନିରୀହ ନାଗରିକଙ୍କ ବଳିଦାନକୁ ସର୍ବଦା କୃତଜ୍ଞତାର ସହ ସ୍ମରଣ କରିବ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଆତଙ୍କବାଦ ସମ୍ମୁଖରେ ଦୃଢ଼ତାର ସହ ଠିଆ ହୋଇଥିବା ପୁଲିସ ଓ ସୁରକ୍ଷା ବାହିନୀର ସାହସ, ବୀରତ୍ୱ ଏବଂ ଅତୁଟ ସମର୍ପଣ ଭାବକୁ ମୁଁ ନମନ କରୁଛି। ସେମାନଙ୍କ ସାହସ କର୍ତ୍ତବ୍ୟ, ବଳିଦାନ ଓ ରାଷ୍ଟ୍ରସେବାର ସର୍ବୋଚ୍ଚ ପରମ୍ପରାକୁ ପ୍ରତିଫଳିତ କରେ। ସେମାନଙ୍କ ମହାନ ବଳିଦାନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ଆତଙ୍କବାଦକୁ ସବୁ ରୂପରେ ସମାପ୍ତ କରିବା ପାଇଁ ଭାରତ ନିଜ ସଂକଳ୍ପରେ ଅଟଳ ରହିଛି।
କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଆତଙ୍କବାଦ ମାନବତା ବିରୋଧରେ ସବୁଠାରୁ ଜଘନ୍ୟ ଅପରାଧ। ଆତଙ୍କବାଦ ପ୍ରତି ମୋଦୀ ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ନୀତିକୁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଉଛି। ଆଜି ଭାରତ ଆତଙ୍କବାଦ ବିରୋଧରେ ବିଶ୍ୱସ୍ତରୀୟ ଲଢ଼େଇରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି ଏବଂ ଆତଙ୍କବାଦର ପ୍ରତ୍ୟେକ ରୂପ ଓ ଷଡ଼ଯନ୍ତ୍ର ବିରୋଧରେ ନିର୍ଣ୍ଣାୟକ ପଦକ୍ଷେପ ନେଉଛି।
ବୈଦେଶିକ ମନ୍ତ୍ରୀ ଡ. ଏସ୍. ଜୟଶଙ୍କର କହିଛନ୍ତି ଯେ, ଆତଙ୍କବାଦର ପ୍ରତ୍ୟେକ ରୂପ ବିରୋଧରେ ଲଢ଼ିବା ଏବଂ ଏଥିରେ ସାମିଲ ଥିବା ଲୋକଙ୍କୁ ନ୍ୟାୟର କାଠଗଡ଼ାକୁ ଆଣିବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ। ଆତଙ୍କବାଦ ପ୍ରତି ମୋଦୀ ସରକାରଙ୍କ ନୀତି ହେଉଛି ‘ଶୂନ୍ୟ ସହନଶୀଳତା’।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା