
ନୂଆଦିଲ୍ଲୀ, ୨୬ ନଭେମ୍ବର (ହି.ସ.)। ଲେଖକ ସାମ୍ ଡାଲରିମ୍ପଲ୍ଙ୍କୁ ତାଙ୍କର ଚର୍ଚ୍ଚିତ ପୁସ୍ତକ ‘ଶ୍ୟାଟର୍ଡ ଲ୍ୟାଣ୍ଡସ୍: ଫାଇଭ୍ ପାର୍ଟିସନ୍ସ ଆଣ୍ଡ୍ ଦି ମେକିଂ ଅଫ୍ ମଡର୍ଣ୍ଣ ଏସିଆ’ ପାଇଁ କମଳାଦେବୀ ଚଟ୍ଟୋପାଧ୍ୟାୟ ନ୍ୟୁ ଇଣ୍ଡିଆ ଫାଉଣ୍ଡେସନ୍ (ଏନ୍ଆଇଏଫ୍) ବୁକ୍ ପ୍ରାଇଜ୍ ୨୦୨୬ର ବିଜେତା ଘୋଷଣା କରାଯାଇଛି। ହାର୍ପର କଲିନ୍ସର ଫୋର୍ଥ ଏଷ୍ଟେଟ୍ ଇମ୍ପ୍ରିଣ୍ଟ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ବ୍ରିଟିଶ ଭାରତର ପାଞ୍ଚଟି ବିଭାଜନ ଏବଂ ଆଧୁନିକ ଦକ୍ଷିଣ ଏସିଆର ସୀମା, ରାଜନୀତି ଓ ପରିଚୟ ଗଠନ ଉପରେ ଏହାର ପ୍ରଭାବ ସମ୍ପର୍କରେ ବିଶ୍ଳେଷଣ କରାଯାଇଛି।
ନ୍ୟୁ ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ଘୋଷିତ ଏହି ପୁରସ୍କାର ଅନ୍ତର୍ଗତ ବିଜେତା ଲେଖକଙ୍କୁ ୧୫ ଲକ୍ଷ ଟଙ୍କାର ନଗଦ ରାଶି ସହ ଟ୍ରଫି ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯିବ। ଡିସେମ୍ବର ୧୨ ତାରିଖରେ ବେଙ୍ଗାଲୁରୁ ଲିଟରେଚର୍ ଫେଷ୍ଟିଭାଲର ୧୫ତମ ସଂସ୍କରଣରେ ଏହି ସମ୍ମାନ ପ୍ରଦାନ ଉତ୍ସବ ଆୟୋଜିତ ହେବ।
ଭାରତୀୟ ଉପମହାଦେଶର ରୂପରେଖ ନିର୍ଦ୍ଧାରଣ କରିଥିବା ଐତିହାସିକ ଓ ରାଜନୈତିକ ଶକ୍ତିଗୁଡ଼ିକର ଗଭୀର ଅନୁଧ୍ୟାନ ପାଇଁ ବିଚାରକ ମଣ୍ଡଳୀ ‘ଶ୍ୟାଟର୍ଡ ଲ୍ୟାଣ୍ଡସ୍’ ପୁସ୍ତକକୁ ପ୍ରଶଂସା କରିଛନ୍ତି। ଏହି ପୁସ୍ତକରେ ଲେଖକ ବ୍ରିଟିଶ ସାମ୍ରାଜ୍ୟର ଅନ୍ତକୁ କେବଳ ୧୯୪୭ ମସିହାର ଭାରତ ବିଭାଜନ ମଧ୍ୟରେ ସୀମିତ ରଖିନାହାନ୍ତି। ବରଂ ବର୍ମାଠାରୁ ଆଦେନ ପର୍ଯ୍ୟନ୍ତ ହୋଇଥିବା ପାଞ୍ଚଟି ବଡ଼ ବିଭାଜନ ଏବଂ ଏହାର ଦୀର୍ଘକାଳୀନ ପ୍ରଭାବକୁ ଉପସ୍ଥାପନ କରିଛନ୍ତି।
ବିଚାରକ ମଣ୍ଡଳୀଙ୍କ ପ୍ରଶସ୍ତିପତ୍ରରେ କୁହାଯାଇଛି ଯେ, ଗଭୀର ଗବେଷଣା ଓ ପ୍ରଭାବଶାଳୀ କାହାଣୀ କଥନ ଶୈଳୀ ମାଧ୍ୟମରେ ସାମ୍ ଡାଲରିମ୍ପଲ୍ ଏପରି ଏକ ଅଞ୍ଚଳର ଇତିହାସକୁ ଜୀବନ୍ତ କରିଛନ୍ତି, ଯାହା ରାଜନୈତିକ ସୀମା ଦ୍ୱାରା ବିଭାଜିତ ହୋଇଥିଲେ ମଧ୍ୟ ଏକ ସାଧାରଣ ଇତିହାସ ସହ ଜଡ଼ିତ। ବିଭାଜନ ଓ ଏହାର ବ୍ୟାପକ ପ୍ରଭାବକୁ ବୁଝିବା ପାଇଁ ଏହି ପୁସ୍ତକ ଏକ ନୂତନ ଦୃଷ୍ଟିକୋଣ ଉପସ୍ଥାପନ କରିଛି।
୨୦୨୬ ମସିହାର ପୁରସ୍କାର ପାଇଁ ସଂକ୍ଷିପ୍ତ ତାଲିକାର ଚୟନ ଏକ ପ୍ରତିଷ୍ଠିତ ବିଚାରକ ମଣ୍ଡଳୀ କରିଥିଲେ। ଏଥିରେ ଟାଟା ସନ୍ସ ଏବଂ ଟାଟା ଗ୍ରୁପ୍ର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ୍, ରାଜନୈତିକ ବିଜ୍ଞାନୀ ତଥା ବିଚାରକ ମଣ୍ଡଳୀର ଅଧ୍ୟକ୍ଷ ନୀରଜା ଗୋପାଳ ଜୟାଲ୍, ଟ୍ରାଇଲିଗାଲ୍ର ଅଂଶୀଦାର ରାହୁଲ ମାଥନ୍, ବିଜ୍ଞାନ ଇତିହାସକାର ଜାହ୍ନବୀ ଫାଲ୍କେ, ଇତିହାସକାର ଶ୍ରୀନାଥ ରାଘବନ୍, ଭାରତର ପୂର୍ବତନ ବୈଦେଶିକ ସଚିବ ନିରୁପମା ରାଓ ଏବଂ ଉଦ୍ୟୋଗୀ ମନୀଷ ସଭରୱାଲ୍ ସାମିଲ ଥିଲେ।
ଚଳିତ ବର୍ଷ ଏହି ପୁରସ୍କାର ପାଇଁ ପାଞ୍ଚଟି ପୁସ୍ତକକୁ ସଂକ୍ଷିପ୍ତ ତାଲିକାରେ ସ୍ଥାନ ମିଳିଥିଲା। ସେଗୁଡ଼ିକ ହେଲା ନାରାୟଣୀ ବସୁଙ୍କ ‘ଏ ମ୍ୟାନ୍ ଫର୍ ଅଲ୍ ସିଜନ୍ସ: ଦି ଲାଇଫ୍ ଅଫ୍ କେ.ଏମ୍. ପାଣିକ୍କର’, ସାମ୍ ଡାଲରିମ୍ପଲ୍ଙ୍କ ‘ଶ୍ୟାଟର୍ଡ ଲ୍ୟାଣ୍ଡସ୍: ଫାଇଭ୍ ପାର୍ଟିସନ୍ସ ଆଣ୍ଡ୍ ଦି ମେକିଂ ଅଫ୍ ମଡର୍ଣ୍ଣ ଏସିଆ’, ରୋହିତ ଦେ ଓ ଅର୍ଣ୍ଣିତ ଶାନୀଙ୍କ ‘ଆସେମ୍ବଲିଂ ଇଣ୍ଡିଆଜ୍ କନଷ୍ଟିଚ୍ୟୁସନ୍: ଏ ନ୍ୟୁ ଡେମୋକ୍ରାଟିକ୍ ହିଷ୍ଟ୍ରି’, ସୁମନା ରମଣନ୍ଙ୍କ ‘ଦି ସିକ୍ରେଟ୍ ମାଷ୍ଟର୍: ଅରୁଣ କାଶଲକର୍ ଆଣ୍ଡ୍ ଏ ଜର୍ଣ୍ଣି ଟୁ ଦି ଏଜ୍ ଅଫ୍ ମ୍ୟୁଜିକ୍’ ଏବଂ ଅରବିନ୍ଦ ସୁବ୍ରମଣ୍ୟମ୍ ଓ ଦେବେଶ କପୁରଙ୍କ ‘ଏ ସିକ୍ସଥ୍ ଅଫ୍ ହ୍ୟୁମାନିଟି: ଇଣ୍ଡିପେଣ୍ଡେଣ୍ଟ ଇଣ୍ଡିଆଜ୍ ଡେଭଲପମେଣ୍ଟ ଓଡିସି’।
ଉଲ୍ଲେଖଯୋଗ୍ୟ, ନ୍ୟୁ ଇଣ୍ଡିଆ ଫାଉଣ୍ଡେସନ୍ ଦେଶର ଇତିହାସ, ସମାଜ ଓ ସମସାମୟିକ ଭାରତ ସହ ଜଡ଼ିତ ଗଭୀର ଗବେଷଣା ଏବଂ ଲେଖାଲେଖିକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରୁଛି। ଏହାର ତିନୋଟି ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ଏନ୍ଆଇଏଫ୍ ବୁକ୍ ଫେଲୋସିପ୍, ଅନୁବାଦ ଫେଲୋସିପ୍ ଏବଂ କମଳାଦେବୀ ଚଟ୍ଟୋପାଧ୍ୟାୟ ଏନ୍ଆଇଏଫ୍ ବୁକ୍ ପ୍ରାଇଜ୍ ଅନ୍ତର୍ଭୁକ୍ତ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା