ବାଲ୍ୟବିବାହ ମୁକ୍ତ ଝାରସୁଗୁଡ଼ା ଜିଲ୍ଲା ଗଠନ ପାଇଁ ସାମୂହିକ ସଂକଳ୍ପ
A Collective Pledge to Make Jharsuguda District Child Marriage-Free
ବାଲ୍ୟବିବାହ ମୁକ୍ତ ଝାରସୁଗୁଡ଼ା ଜିଲ୍ଲା ଗଠନ ପାଇଁ ସାମୂହିକ ସଂକଳ୍ପ


ଝାରସୁଗୁଡ଼ା, , 28 ନଭେମ୍ବର (ହି.ସ.) ବାଲ୍ୟବିବାହ ଭଳି ଏକ ସାମାଜିକ କୁପ୍ରଥାର ମୂଳୋତ୍ପାଟନ କରିବା ସହିତ ଏକ ସୁସ୍ଥ ଓ ‘ବାଲ୍ୟବିବାହ ମୁକ୍ତ ଭାରତ’ ଗଠନ ଲକ୍ଷ୍ୟରେ ଆଜି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଭିଯୋଗ ପ୍ରକୋଷ୍ଠଠାରେ “ବାଲ୍ୟବିବାହ ମୁକ୍ତ ଭାରତ” ଅଭିଯାନ ଅନ୍ତର୍ଗତ ଏକ ସଚେତନତା କାର୍ଯ୍ୟକ୍ରମ ଓ ସାମୂହିକ ଅନ୍ଲାଇନ୍ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ପ୍ରକଳ୍ପ ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ) ଲଳିତ ସୋରେଙ୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ , 28 ନଭେମ୍ବର (ହି.ସ.) ଯାଜ୍ଞସେନୀ ମହାନନ୍ଦ ପରିଚାଳନା କରିଥିଲେ। ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

ଏହି ଅବସରରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା କୁମାରୀ ସଂଯୁକ୍ତା ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ୟାନେଲଭୁକ୍ତ ଆଇନଜୀବୀ କୁମାରୀ ବି. ନାଗେଶ୍ୱରୀ, ଜିଲ୍ଲା ପୋଲିସ କାର୍ଯ୍ୟାଳୟ ନିରୀକ୍ଷକ ହେମାଙ୍ଗିନୀ ଗାର୍ଡିଆ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସେହାଦା’ ର ନିର୍ଦ୍ଦେଶିକା ଶ୍ରୀମତୀ ଆନନ୍ଦିନୀ ପାଢ଼ୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସେମାନେ ବାଲ୍ୟବିବାହର ସାମାଜିକ, ଶାରୀରିକ ଓ ମାନସିକ କୁପ୍ରଭାବ, କିଶୋରୀ ଓ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କ୍ଷତିକାରକ ପ୍ରଭାବ, ଏଥିପାଇଁ ରହିଥିବା କଠୋର ଆଇନଗତ ବ୍ୟବସ୍ଥା ଏବଂ ବାଲ୍ୟବିବାହ ରୋକିବାରେ ବିଭିନ୍ନ ବିଭାଗ ଓ ସଂସ୍ଥାର ଭୂମିକା ସମ୍ପର୍କରେ ଉପସ୍ଥିତ ଅଂଶଗ୍ରହଣକାରୀମାନଙ୍କୁ ବିସ୍ତୃତ ଭାବେ ସଚେତନ କରାଇଥିଲେ।

ବକ୍ତାମାନେ ମତବ୍ୟକ୍ତ କରିଥିଲେ ଯେ ବାଲ୍ୟବିବାହ ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତକୁ ନଷ୍ଟ କରିଦେଇଥାଏ। ଏହାକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ପରିବାର, ସମାଜ, ଶିକ୍ଷାନୁଷ୍ଠାନ, ପଞ୍ଚାୟତ ପ୍ରତିନିଧି ଏବଂ ସମସ୍ତ ସରକାରୀ ବିଭାଗର ସମନ୍ୱିତ ପ୍ରୟାସ ଅତ୍ୟନ୍ତ ଜରୁରୀ।

କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଉପସ୍ଥିତ ସମସ୍ତ ଅଧିକାରୀ ଓ ଅଂଶଗ୍ରହଣକାରୀ ଅନ୍ଲାଇନ୍ ମାଧ୍ୟମରେ ବାଲ୍ୟବିବାହ ବିରୋଧୀ ଶପଥ ପାଠ କରିଥିଲେ। ଏଥିସହ ସମଗ୍ର ଝାରସୁଗୁଡ଼ା ଜିଲ୍ଲାକୁ ଏକ ବାଲ୍ୟବିବାହ ମୁକ୍ତ ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ଉପସ୍ଥିତ ସମସ୍ତେ ସାମୂହିକ ସଂକଳ୍ପ ଗ୍ରହଣ କରିଥିଲେ।

ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ଜିଲ୍ଲା ସଂଯୋଜକ ଶ୍ରୀ ଲିଲେଶ୍ୱର ସାହୁ, ‘ସାମର୍ଥ୍ୟ’ ଯୋଜନାର ଜେଣ୍ଡର ସ୍ପେଶାଲିଷ୍ଟ ଶ୍ରୀମତୀ ଜୁବିଲିରାଣୀ ପଟେଲ ଏବଂ DHEW ର ସମସ୍ତ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ପରିଶେଷରେ ଉପଖଣ୍ଡ ପି ଓ ଶ୍ରୀମତୀ ମୀନାକ୍ଷୀ ରାଜ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande