
୪ ବର୍ଷ ଧରି ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ, ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଦାବି
ଝାରସୁଗୁଡା , ୨୮ ନଭେମ୍ବର (ହି.ସ.) : ଦୀର୍ଘ ୪ ବର୍ଷ ଧରି ଶୋଚନୀୟ ଅବସ୍ଥାରେ ପଡ଼ି ରହିଥିବା ନାଚେନମୁରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ମରାମତିକୁ ନେଇ ଏବେ ପୁଣି ଅସନ୍ତୋଷ ଦେଖାଦେଇଛି। ଗଣମାଧ୍ୟମରେ ଖବର ପ୍ରକାଶ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ପର ହୋଇ ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ତାହା କେବଳ ଠାଏ ଠାଏ ପ୍ୟାଚ୍ କାମରେ ସୀମିତ ରହିଛି। ରାସ୍ତାର ସମ୍ପୂର୍ଣ୍ଣ ଦୁରବସ୍ଥାକୁ ଅଣଦେଖା କରି ଏଭଳି ନାମକୁ ମାତ୍ର ମରାମତି କରାଯିବାକୁ ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଏ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ରାସ୍ତାର ଗୁଣାତ୍ମକ ମାନ ଯାଞ୍ଚ କରିବା ସହ ସମ୍ପୂର୍ଣ୍ଣ ମରାମତି ସୁନିଶ୍ଚିତ କରିବାକୁ ଦାବି ହୋଇଛି।
ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ପଲସଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଚେନମୁରା ଗ୍ରାମକୁ ସଂଯୋଗ କରୁଥିବା ୪୯ ନମ୍ବର (୨୦୦) ଜାତୀୟ ରାଜପଥଠାରୁ ଗ୍ରାମ ପର୍ଯ୍ୟନ୍ତ ୧.୧୮୨ କିଲୋମିଟର ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିଲା। ଏଥିପାଇଁ ୧୨ ଲକ୍ଷ ୭୨ ହଜାର ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ୨୦୨୨ ମାର୍ଚ୍ଚ ୩ରେ କାର୍ଯ୍ୟ ଆରମ୍ଭ ହୋଇ ସେହିବର୍ଷ ମେ ୨ରେ ସମ୍ପୂର୍ଣ୍ଣ ହୋଇଥିଲା। ଏଥିସହ ନିର୍ମାଣ ପରବର୍ତ୍ତୀ ୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୫ ଲକ୍ଷ ୭୭ ହଜାର ଟଙ୍କାର ଅଟକଳ ମଧ୍ୟ ସୂଚନା ଫଳକରେ ଉଲ୍ଲେଖ ରହିଛି।
ତେବେ ନିର୍ମାଣର ଅଳ୍ପ କିଛିଦିନ ପରେ ହିଁ ରାସ୍ତାରୁ ପିଚୁ ଉଠିବା ସହ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିଲା। ଧୀରେ ଧୀରେ ରାସ୍ତାର ଅବସ୍ଥା ଏତେ ଖରାପ ହୋଇପଡ଼ିଥିଲା ଯେ ଏହା ଦେଇ ଯାତାୟାତ କରିବା ଗ୍ରାମବାସୀଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ବିଶେଷକରି ଛାତ୍ରଛାତ୍ରୀ, ବୟସ୍କ ବ୍ୟକ୍ତି ଓ ରୋଗୀମାନେ ନିୟମିତ ଯାତାୟାତ ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ଷାଦିନେ ଖାଲଖମାରେ ପାଣି ଜମି ରହୁଥିବାରୁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଯାଉଛି।
ଆଶ୍ଚର୍ଯ୍ୟର ବିଷୟ, ରାସ୍ତାର ନିର୍ମାଣ ସହିତ ୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ବ୍ୟବସ୍ଥା ଥିବା ସତ୍ତ୍ୱେ ଏହାର ଉପଯୁକ୍ତ ତଦାରଖ ହେଲା ନାହିଁ କାହିଁକି, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି। ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଭୂମିକା ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠୁଛି।
ଗତ ସେପ୍ଟେମ୍ବର ମାସରେ ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ କିଛିଦିନ ତଳେ ରାସ୍ତାର ବିଭିନ୍ନ ସ୍ଥାନରେ ପ୍ୟାଚ୍ କାମ କରାଯାଇଥିଲା। ମାତ୍ର ଏହି ମରାମତି ରାସ୍ତାର ପ୍ରକୃତ ସମସ୍ୟାର ସମାଧାନ କରିପାରିନାହିଁ। ଅନେକ ସ୍ଥାନରେ ପୂର୍ବଭଳି ରାସ୍ତା ଖରାପ ରହିଥିବାରୁ ଲୋକଙ୍କ ଅସନ୍ତୋଷ ଦ୍ୱିଗୁଣିତ ହୋଇଛି।
ଏବେ ପ୍ରଶ୍ନ ଉଠୁଛି, ସରକାରୀ ଅର୍ଥ ବ୍ୟୟରେ ନିର୍ମିତ ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ଥାଇ ମଧ୍ୟ ଗ୍ରାମବାସୀ କାହିଁକି ଏଭଳି ଦୁର୍ଦ୍ଦଶା ଭୋଗିବେ? କେବଳ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଅସ୍ଥାୟୀ ମରାମତି କରି ବିଭାଗ ନିଜ ଦାୟିତ୍ୱ ସାରିଦେବା ଉଚିତ କି? ଜିଲ୍ଲାପାଳ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ସମ୍ପୃକ୍ତ ବିଭାଗକୁ ତୁରନ୍ତ ସମ୍ପୂର୍ଣ୍ଣ ରାସ୍ତାର ଯାଞ୍ଚ ଓ ଆବଶ୍ୟକ ମରାମତି ପାଇଁ ନିର୍ଦ୍ଦେଶ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏଥିସହ ରାସ୍ତାର ମାନ ଯାଞ୍ଚ, ରକ୍ଷଣାବେକ୍ଷଣ ଅର୍ଥର ବିନିଯୋଗ ଓ ଦାୟିତ୍ୱରେ ଥିବା ଠିକା ସଂସ୍ଥାର କାର୍ଯ୍ୟକଳାପର ତଦନ୍ତ କରିବାକୁ ମଧ୍ୟ ଦାବି ହୋଇଛି। ଲୋକଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ଆଉ ବିଳମ୍ବ ନକରି ସ୍ଥାୟୀ ସମାଧାନ କରିବା ଜିଲ୍ଲା ପ୍ରଶାସନର ଦାୟିତ୍ୱ ବୋଲି ମତ ପ୍ରକାଶ ପାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ