ବାଲ୍ୟବିବାହ ରୋକିବା ଦିଗରେ ସଚେତନତା ଓ ସାମୂହିକ ପ୍ରୟାସ ଜରୁରୀ
Awareness program on child marriage
ବାଲ୍ୟବିବାହ ରୋକିବା ଦିଗରେ ସଚେତନତା ଓ ସାମୂହିକ ପ୍ରୟାସ ଜରୁରୀ


ଝାରସୁଗୁଡ଼ା, ୨୮ ନଭେମ୍ବର (ହି.ସ.) : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଝାରସୁଗୁଡ଼ା ପକ୍ଷରୁ ଝାରସୁଗୁଡ଼ାସ୍ଥିତ ପଞ୍ଚପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆଜି ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା), ଝାରସୁଗୁଡ଼ାର ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଆଲୋକମୟୀ ପ୍ରଧାନ, ଶିଶୁ କଲ୍ୟାଣ ସମିତି, ଝାରସୁଗୁଡ଼ାର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ଜେଣ୍ଡର ସ୍ପେସାଲିଷ୍ଟ ଜୁବଲିରାଣୀ ପଟେଲ ଏବଂ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁନନ୍ଦା ଚୌଧୁରୀ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ବାଲ୍ୟବିବାହର କୁପରିଣାମ, ଶିଶୁ ଅଧିକାରର ସୁରକ୍ଷା, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ତଥା ଅପ୍ରାପ୍ତ ବୟସରେ ବିବାହ ଦ୍ୱାରା ଶିଶୁମାନଙ୍କ ଭବିଷ୍ୟତ କିପରି ପ୍ରଭାବିତ ହୁଏ, ସେ ସମ୍ପର୍କରେ ଉପସ୍ଥିତ ଅତିଥିମାନେ ଆଲୋକପାତ କରିଥିଲେ। ବାଲ୍ୟବିବାହ କେବଳ ଏକ ସାମାଜିକ କୁପ୍ରଥା ନୁହେଁ, ଏହା ଶିଶୁମାନଙ୍କ ମୌଳିକ ଅଧିକାର, ସ୍ୱାଧୀନତା, ଶିକ୍ଷା ଓ ସୁରକ୍ଷିତ ଜୀବନ ଧାରଣର ଅଧିକାରକୁ କ୍ଷୁଣ୍ଣ କରୁଥିବା ଏକ ଗୁରୁତର ସମସ୍ୟା ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ବାଲ୍ୟବିବାହ ନିଷେଧ ଆଇନ, ୨୦୦୬ର ବିଭିନ୍ନ ବ୍ୟବସ୍ଥା, ବାଲ୍ୟବିବାହ କରାଇବା, ଏଥିରେ ସହଯୋଗ କରିବା କିମ୍ବା ଏହାକୁ ପ୍ରୋତ୍ସାହନ ଦେବା ଦଣ୍ଡନୀୟ ଅପରାଧ ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ଅବଗତ କରାଯାଇଥିଲା। ଝିଅ ଓ ପୁଅମାନଙ୍କ ପାଇଁ ଆଇନସମ୍ମତ ବିବାହ ବୟସ, ବାଲ୍ୟବିବାହ ରୋକିବାରେ ପ୍ରଶାସନ, ଶିକ୍ଷାନୁଷ୍ଠାନ, ଅଭିଭାବକ ଓ ସମାଜର ଭୂମିକା ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା। ବାଲ୍ୟବିବାହ ଭଳି ସାମାଜିକ ସମସ୍ୟାର ନିରାକରଣ ପାଇଁ ଶିଶୁମାନଙ୍କୁ ଶିକ୍ଷିତ ଓ ସଚେତନ କରିବା ସହିତ ସେମାନଙ୍କ ଅଧିକାର ଉଲ୍ଲଂଘନ ଘଟଣାରେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ଏବଂ ସମାଜର ସମସ୍ତ ବର୍ଗର ଲୋକଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏଥିସହିତ ଶିଶୁ ସୁରକ୍ଷା ଓ ଆଇନଗତ ସହାୟତା ଆବଶ୍ୟକ କରୁଥିବା ବ୍ୟକ୍ତିମାନେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସହାୟତା ନେଇପାରିବେ ବୋଲି ସୂଚନା ଦିଆଯାଇଥିଲା। ସମାଜରୁ ବାଲ୍ୟବିବାହ ଭଳି କୁପ୍ରଥାର ସମ୍ପୂର୍ଣ୍ଣ ଉଚ୍ଛେଦ କରି ପ୍ରତ୍ୟେକ ଶିଶୁଙ୍କୁ ଏକ ସୁରକ୍ଷିତ, ସମ୍ମାନଜନକ ଓ ସ୍ୱାଧୀନ ଜୀବନ ପ୍ରଦାନ କରିବା ଦିଗରେ ସାମୂହିକ ସଚେତନତା ଓ ସହଯୋଗ ହିଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande