
ଅଙ୍ଗନୱାଡ଼ି କର୍ମୀଙ୍କ ଦରମା ବୃଦ୍ଧି ନିଷ୍ପତି
-
ଭୁବନେଶ୍ୱର,୨୮ ନଭେମ୍ବର (ହି.ସ.) - ବିଜେପି ସରକାର ରାଜ୍ୟର ୭୫,୦୦୦ରୁ ଊର୍ଦ୍ଧ୍ୱ ଅଙ୍ଗନୱାଡ଼ି କେନ୍ଦ୍ରରେ କାର୍ଯ୍ୟରତ ପ୍ରାୟ ଦେଢ଼ ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ଦୀର୍ଘଦିନର ଦାବି ପୂରଣ କରିଛି। ଏହା ଆଗାମୀ ଦିନରେ ଶିଶୁ ବିକାଶ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ବିଜେପି ରାଜ୍ୟ ସମ୍ପାଦିକା ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ,ତତ୍କାଳୀନ ବିଜେଡି ସରକାର ସମୟରେ ଅଙ୍ଗନୱାଡ଼ି କର୍ମୀଙ୍କୁ ଅବସରକାଳୀନ ସହାୟତା ବାବଦକୁ ମାତ୍ର ୧ ଲକ୍ଷ ଟଙ୍କା ମିଳୁଥିବା ବେଳେ, ବର୍ତମାନର ଡବଲ ଇଞ୍ଜିନ୍ ସରକାର ଏହାକୁ ତିନିଗୁଣା ବୃଦ୍ଧି କରି ୩ ଲକ୍ଷ ଟଙ୍କା କରିଛନ୍ତି। କାର୍ଯ୍ୟରତ ଅବସ୍ଥାରେ କୌଣସି ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ ଘଟିଲେ ମିଳୁଥିବା ଅନୁକମ୍ପାମୂଳକ ସହାୟତା ରାଶିକୁ ୨ ଲକ୍ଷ ଟଙ୍କାରୁ ବୃଦ୍ଧି କରି ୪ ଲକ୍ଷ ଟଙ୍କା କରାଯାଇଛି।ସେହିପରି ରାଜ୍ୟରୁ ଶିଶୁ ଅପପୁଷ୍ଟି ଏବଂ ଶିଶୁ ମୃତ୍ୟୁହାର ହ୍ରାସ କରିବା ଓ ୨୦୪୭ ବିକଶିତ ଭାରତ ଗଠନ ପାଇଁ ଭବିଷ୍ୟତର ସୁନାଗରିକ ଗଢ଼ିତୋଳିବା ଲକ୍ଷ୍ୟରେ ରାଜ୍ୟ ସରକାର ୬୩୫ କୋଟି ଟଙ୍କାର ‘ସମୃଦ୍ଧ ଅଙ୍ଗନୱାଡ଼ି ଯୋଜନା’ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଅଙ୍ଗନୱାଡ଼ି କେନ୍ଦ୍ରର ଉନ୍ନତିକରଣ ନିମନ୍ତେ ୨୦୨୬-୨୭ ଆର୍ôଥକ ବର୍ଷରେ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏପ୍ରିଲ ୨୦୨୬ରେ ୧,୮୮୯ଟି ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଉଦ୍ଘାଟନ କରାଯାଇଛି। ୧୨,୪୮୧ଟି କେନ୍ଦ୍ରରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ଏବଂ ୫,୦୭୮ଟି କେନ୍ଦ୍ରରେ ଶୌଚାଳୟ ନିର୍ମାଣ କରାଯିବ। ୭,୦୫୦ଟି ଅଙ୍ଗନୱାଡ଼ି କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ କେନ୍ଦ୍ରରେ ପରିଣତ କରାଯିବ। ୨,୮୨୭ଟି କେନ୍ଦ୍ରରେ ରୋଷେଇ ଘର ଏବଂ ୩,୦୦୦ଟି କେନ୍ଦ୍ରରେ ପାଚେରି ନିର୍ମାଣ କରାଯିବା ପାଇଁ ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।
ତତ୍କାଳୀନ ବିଜେଡି ସରକାର ସମୟରେ ଅଙ୍ଗନୱାଡ଼ି ଦିଦିମାନେ ଦୀର୍ଘ ଦିନ ଧରି ଉପେକ୍ଷିତ ହୋଇ ରହିଥିଲେ। କିନ୍ତୁ ବିଜେପି ସରକାର ‘ସଙ୍କଳ୍ପ ପତ୍ର’ରେ ଦେଇଥିବା ପ୍ରତ୍ୟେକ ପ୍ରତିଶ୍ରୁତିକୁ ପୂରଣ କରିଛି ଏବଂ ଅଙ୍ଗନୱାଡି କର୍ମୀଙ୍କ ପାଇଁ ଐତିହାସିକ ନିଷ୍ପତି ନେଇଛି। ଏହାପରେ ସେମାନେ ଖୁସିରେ ନିଜ କର୍ମସ୍ଥଳକୁ ଫେରିଥିବାବେଳେ ଆଜିଠାରୁ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ସ୍ୱାଭାବିକ ଭାବେ ଖୋଲିଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା