
ହାତୀଆନାଳା ଡ୍ୟାମର ଜଳ ପରିଚାଳନାକୁ ନେଇ ଚାଷୀ ଅସନ୍ତୋଷ, ତୁରନ୍ତ ପଦକ୍ଷେପ ଦାବି
ଝାରସୁଗୁଡା, ୨୮ ନଭେମ୍ବର (ହି.ସ.)- ଯେଉଁ ସମୟରେ ଚାଷୀଙ୍କ କ୍ଷେତରେ ପାଚିଲା ଧାନ ଅମଳର ହସଖୁସି ରହିବା କଥା, ସେହି ସମୟରେ ଚାଷ ଜମିରେ ଜମି ରହିଛି କେନାଲ ପାଣି। ଫଳରେ ଅମଳ ଋତୁରେ ଲଇକେରା ଅଞ୍ଚଳର ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ହାତୀଆନାଳା ଡ୍ୟାମରୁ ଅନିୟନ୍ତ୍ରିତ ଭାବେ ପାଣି ଛଡ଼ାଯିବା ଯୋଗୁଁ ଅନେକ ଚାଷ ଜମି ଜଳମଗ୍ନ ହୋଇପଡ଼ିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଚାଷୀଙ୍କୁ ଠିକ୍ ସମୟରେ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଲଇକେରାସ୍ଥିତ ହାତୀଆନାଳା କେନାଲ ନିର୍ମାଣ କରାଯାଇଥିଲା। ମାତ୍ର ଜଳ ପରିଚାଳନାରେ ଅବ୍ୟବସ୍ଥା ଯୋଗୁଁ ଏବେ ଏହି କେନାଲ ଚାଷୀଙ୍କ ପାଇଁ ଆଶୀର୍ବାଦ ବଦଳରେ ଅଭିଶାପ ପାଲଟିଥିବା ଅଭିଯୋଗ ହେଉଛି।
ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ଫସଲ ପାଇଁ ଆବଶ୍ୟକ ପାଣି ନମିଳିବାରୁ ଚାଷୀମାନେ ଚିନ୍ତାରେ ଥିଲେ। ହାତୀଆନାଳା ଡ୍ୟାମରୁ ଠିକ୍ ସମୟରେ ଜଳ ଯୋଗାଣ ହୋଇନଥିବାରୁ ଫସଲ ପ୍ରଭାବିତ ହେବାର ଆଶଙ୍କା ରହିଥିଲା। ହେଲେ ଏବେ ଧାନ ପାଚି ଅମଳ ପାଇଁ ପ୍ରସ୍ତୁତ ହେବା ବେଳକୁ ଡ୍ୟାମରୁ ପାଣି ଛଡ଼ାଯିବା ଫଳରେ ଜମିରେ ପାଣି ଲହଡ଼ି ମାରୁଛି। ଏହାଦ୍ୱାରା ଧାନ କାଟିବା, ବିଡ଼ା ବାନ୍ଧିବା ଓ ଫସଲ ଘରକୁ ଆଣିବାରେ ଚାଷୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।
ଜମିରେ ଦୀର୍ଘ ସମୟ ଧରି ପାଣି ଜମି ରହିଲେ ପାଚିଲା ଧାନ ନଷ୍ଟ ହେବା ସହ ଅମଳରେ ବିଳମ୍ବ ହେବାର ଆଶଙ୍କା ରହିଛି। ଧାନ ଅମଳ ପାଇଁ ଶ୍ରମିକ ଓ ଯନ୍ତ୍ରପାତିର ବ୍ୟବସ୍ଥା କରିଥିବା ଚାଷୀମାନେ ଏବେ ପାଣି ଶୁଖିବାକୁ ଅପେକ୍ଷା କରିବେ ନା ଅମଳ କରିବେ, ସେହି ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ ଚାଷୀଙ୍କ ଆର୍ଥିକ କ୍ଷତି ବଢ଼ିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି।
ଏ ସମ୍ପର୍କରେ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ମେଘା ମହାପାତ୍ର କହିଛନ୍ତି ଯେ, ଏକ ବୈଷୟିକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛି। ସମ୍ବଲପୁରରୁ ଆଉ ଏକ ବୈଷୟିକ ଟିମ୍ ଆସି କେନାଲ ଗେଟ୍ ବନ୍ଦ କରିବାକୁ ଉଦ୍ୟମ କରିବ। ଆବଶ୍ୟକ ପଡ଼ିଲେ ଜଳ ନିୟନ୍ତ୍ରଣ ପାଇଁ ବିକଳ୍ପ ପଦକ୍ଷେପ ଗ୍ରହଣ କରାଯିବ।
ଅନ୍ୟପକ୍ଷରେ, ଧାନ ଅମଳର ଗୁରୁତ୍ୱପୂର୍ଣ୍ଣ ସମୟରେ ଚାଷୀଙ୍କୁ ଏଭଳି ସମସ୍ୟାରେ ପକାଇଥିବା ଜଳ ପରିଚାଳନା ଅବ୍ୟବସ୍ଥାର ସ୍ଥାୟୀ ସମାଧାନ ପାଇଁ ଦାବି ଜୋର୍ ଧରିଛି। କେନାଲ ଗେଟ୍ ତୁରନ୍ତ ମରାମତି କରିବା ସହ ଜମିରେ ଜମିଥିବା ଅତିରିକ୍ତ ପାଣି ଶୀଘ୍ର ନିଷ୍କାସନ କରିବାକୁ ଚାଷୀମାନେ ଜଳସେଚନ ବିଭାଗ ନିକଟରେ ଦାବି ଜଣାଇଛନ୍ତି। ଚାଷୀଙ୍କ ପରିଶ୍ରମର ଫସଲ ଯେପରି ପାଣିରେ ନଷ୍ଟ ନହୁଏ, ସେଥିପାଇଁ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ଆବଶ୍ୟକ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ