
ମାଲକାନଗିରି, ୨୮ ନଭେମ୍ବର (ହି.ସ.)- ମାଲକାନଗିରି ସହରରେ ଦିନକୁ ଦିନ ଟ୍ରାଫିକ୍ ସମସ୍ୟା ଜଟିଳ ହେବାରେ ଲାଗିଛି। ସହର ମଧ୍ୟରେ ବଢ଼ୁଥିବା ଯାନବାହନ ଚଳାଚଳ ଯୋଗୁଁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମାଲକାନଗିରି ସହରରେ ବାଇପାସ୍ ରାସ୍ତା ନିର୍ମାଣ କରିବାକୁ ଦାବି ଜୋରଦାର ହୋଇଛି। ଏନେଇ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆଜି ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସହରରେ ଟ୍ରାଫିକ୍ ଚାପ ହ୍ରାସ କରିବା ସହ ଭାରୀଯାନ ଚଳାଚଳକୁ ସହର ବାହାର ଦେଇ ଯାତାୟାତର ବ୍ୟବସ୍ଥା କରିବା ଏହି ଦାବିର ମୁଖ୍ୟ ଉଦ୍ଦେଶ୍ୟ।
ବର୍ତ୍ତମାନ ସହର ମଧ୍ୟରେ ଯାନବାହନ ସଂଖ୍ୟା ବୃଦ୍ଧି ଯୋଗୁଁ ଦୈନନ୍ଦିନ ଯାତାୟାତରେ ବାଧା ସୃଷ୍ଟି ହେଉଛି। ବାଇପାସ୍ ରାସ୍ତା ନିର୍ମାଣ ହେଲେ ଭାରୀଯାନଗୁଡ଼ିକ ସହର ମଧ୍ୟକୁ ପ୍ରବେଶ ନକରି ବାହାର ରାସ୍ତା ଦେଇ ଯାଇପାରିବେ। ଫଳରେ ଟ୍ରାଫିକ୍ ସମସ୍ୟା ହ୍ରାସ ପାଇବା ସହ ସହରବାସୀଙ୍କ ଯାତାୟାତ ଅଧିକ ସୁଗମ ହୋଇପାରିବ। ତେଣୁ ଜନସାଧାରଣଙ୍କ ସ୍ୱାର୍ଥ ତଥା ସହରର ଭବିଷ୍ୟତ ବିକାଶକୁ ଦୃଷ୍ଟିରେ ରଖି ବାଇପାସ୍ ରାସ୍ତା ନିର୍ମାଣ ଦାବିକୁ ଗୁରୁତ୍ୱ ଦେଇ ଶୀଘ୍ର ପଦକ୍ଷେପ ନେବାକୁ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଦାବି କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ