
ମାଲକାନଗିରି, ୨୮ ନଭେମ୍ବର(ହି.ସ.) – ଧାନ କ୍ରୟ ପରିମାଣ ବୃଦ୍ଧି ଓ ମଣ୍ଡି ଖୋଲିବା ଦିନ ସଂଖ୍ୟା ବଢ଼ାଇବା ଦାବିରେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ତର୍ଲାକୋଟା ପଂଚାୟତର ଚାଷୀ। ୭୦୦ରୁ ଊର୍ଦ୍ଧ୍ୱ ପଞ୍ଜୀକୃତ ଚାଷୀଙ୍କ ପାଇଁ ମାତ୍ର ୨ ହଜାର କୁଇଂଟାଲ ଧାନ କ୍ରୟ ନିଷ୍ପତି ହୋଇଥିବାରୁ ଏହାକୁ ୪ ହଜାର କୁଇଂଟାଲକୁ ବୃଦ୍ଧି କରିବା ସହ ସପ୍ତାହକୁ ଅନ୍ତତଃ ଦୁଇଦିନ ମଣ୍ଡି ଖୋଲିବାକୁ ଦାବି କରିଛନ୍ତି ଚାଷୀ। କୋରୁକୋଣ୍ଡା ଲ୍ୟାମ୍ପ ଅଧୀନ ତର୍ଲାକୋଟା ଗ୍ରାମ ପଂଚାୟତର ୭୦୦ରୁ ଅଧିକ ଚାଷୀ ଚଳିତ ଖରିଫ ଋତୁରେ ସରକାରୀ ମଣ୍ଡିରେ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। ମାତ୍ର ଏତେ ସଂଖ୍ୟକ ଚାଷୀଙ୍କ ଧାନ କ୍ରୟ ପାଇଁ ୨ ହଜାର କୁଇଂଟାଲର ସୀମା ଧାର୍ଯ୍ୟ କରାଯାଇଥିବାବେଳେ ସପ୍ତାହକୁ କେବଳ ଗୋଟିଏ ଦିନ ମଣ୍ଡି ଖୋଲିବା ବ୍ୟବସ୍ଥା ରହିଛି। ଏହାଦ୍ୱାରା ସମସ୍ତ ଚାଷୀ ନିଜ ଉତ୍ପାଦିତ ଧାନ ବିକ୍ରି କରିବାର ସୁଯୋଗ ପାଇବେ କି ନାହିଁ, ସେନେଇ ଆଶଙ୍କା ଓ ଅସନ୍ତୋଷ ଦେଖାଦେଇଛି। ଚାଷୀଙ୍କ କହିବା ଅନୁଯାୟୀ, ଧାନ ଚାଷ ପାଇଁ ବର୍ଷସାରା ପରିଶ୍ରମ ସହ ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ ଚାଷ ସାମଗ୍ରୀରେ ଅର୍ଥ ବ୍ୟୟ କରିଥାନ୍ତି। ଏଭଳି ସ୍ଥିତିରେ ସରକାରୀ ମଣ୍ଡିରେ ଧାନ ବିକ୍ରି ସୁଯୋଗ ସୀମିତ ରହିଲେ ଅନେକ ଚାଷୀ ନିଜ ଉତ୍ପାଦନର ଉଚିତ ମୂଲ୍ୟ ପାଇବାରୁ ବଂଚିତ ହେବେ। ବାଧ୍ୟହୋଇ ଅନ୍ୟତ୍ର ଧାନ ବିକ୍ରି କରିବାକୁ ପଡ଼ିପାରେ ବୋଲି ମଧ୍ୟ ସେମାନେ ଆଶଙ୍କା କରିଛନ୍ତି। ତେଣୁ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ଓ ଉତ୍ପାଦନକୁ ଆଧାର କରି ଧାନ କ୍ରୟ ପରିମାଣ ୨ ହଜାରରୁ ୪ ହଜାର କୁଇଂଟାଲକୁ ବୃଦ୍ଧି କରିବା ସହ ସପ୍ତାହକୁ ଦୁଇଦିନ ମଣ୍ଡି ଖୋଲିବାକୁ ଦାବି ଉଠିଛି। ମଣ୍ଡି ଆରମ୍ଭ ପୂର୍ବରୁ ଏହି ସମସ୍ୟାର ସମାଧାନ କରାଗଲେ ସମସ୍ତ ଚାଷୀ ଉପକୃତ ହେବେ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏନେଇ ସୋମନାଥ ବାର୍ସେ, କାର୍ତିକ ଖେମୁଡୁ, ନରସିଂହ ମାଢ଼ି, ଆଡମା ମାଡକାମି, ମୂର୍ତି ପାଙ୍ଗି, ଦାମୁ ଖେମୁଡୁଙ୍କ ସମେତ ବହୁ ଚାଷୀ ଏକଜୁଟ ହୋଇ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ଏହି ଦାବି ଉପରେ ତ୍ୱରିତ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ