
ବଲାଙ୍ଗିର, ୨୮ ନଭେମ୍ବର (ହି.ସ)- ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ସହିତ ଶୁକ୍ରବାର ସନ୍ଧ୍ୟାରେ ବଲାଙ୍ଗିର ଲୋକ ଉତ୍ସବ ଆୟୋଜନ ସମ୍ବନ୍ଧରେ ଆଲୋଚନା କରିଛନ୍ତି । କମିଟିର ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ କମିଟି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି କହିଛି ଯେ, ଗତ ବର୍ଷ ଭଳି ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲାର କୋଣ ଅନୁକୋଣରୁ ଆସୁଥିବା କଳାକାରଙ୍କୁ ମର୍ଯ୍ୟାଦା ଓ ସମ୍ମାନର ସହ କଳା ପ୍ରଦର୍ଶନ କରିବାକୁ ସମାନ ସୁଯୋଗ ପ୍ରଦାନ କରାଯାଉ । ଲୋକ ଉତ୍ସବରେ କେବଳ ସହରର କିଛି କଳାକାରଙ୍କୁ ପ୍ରାଧାନ୍ୟ ଦିଆଯାଉଥିବାରୁ ଗ୍ରାମାଂଚଳର ପ୍ରକୃତ କଳାକାର ଧିରେ ଧିରେ ମରିଯାଉଛି । ଅତଏବ୍ ଐତିହ୍ୟ ସମ୍ପନ୍ନ ବଲାଙ୍ଗିର ଜିଲ୍ଲାରେ ଲୋକ ମହୋତ୍ସବ ଠିକ୍ ସମୟରେ ଆୟୋଜନ ହେଉ ଓ ଅସଲି କଳାକାର ମଂଚକୁ ପ୍ରତିନିଧିତ୍ୱ କରନ୍ତୁ ବୋଲି କମିଟି ଜୋର୍ ଦେଇଛି ।
ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସହରର କୋଶଳ କଳା ମଣ୍ଡଳ ପଡିଆ କଳାକାରଙ୍କ ପ୍ରାଣସ୍ଥଳି । ୧୯୯୯ ମସିହାରେ ପ୍ରଥମ କରି ଆୟୋଜିତ ହୋଇଥିବା ବଲାଙ୍ଗିର ଲୋକ ଉତ୍ସବ ଲୋକଙ୍କ ଉତ୍ସବ ନ ହୋଇ ଧିରେ ଧିରେ ଏହା ଦିଗହରା ହୋଇଯାଉଛି । ଏଠି କଳାକାରଙ୍କ ଅପେକ୍ଷା ରାଜନୀତି ପଶୁଛି । ଲୋକଉତ୍ସବ ହେଉଛି ଜନସାଧାରଣ ତଥା ଲୋକ କଳାକାରଙ୍କ ଉତ୍ସବ । ଏହାର ପରିଚାଳନା ଓ ନୀତିଗତ ନିଷ୍ପତ୍ତି କଳାକାରମାନଙ୍କ ଉପରେ ଛାଡିଦେବା ପାଇଁ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ଆହ୍ୱାନ ଦେଇଛି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ବଲାଙ୍ଗିରର ଭୁଲ୍ ନିଷ୍ପତ୍ତି ଯୋଗୁଁ ଚଳିତ ବର୍ଷ ଲୋକ ଉତ୍ସବ ବିଳମ୍ବ ହେଉଛି । ବର୍ତ୍ତମାନ ସୁଦ୍ଧା ଏହି ଲୋକ ମହୋତ୍ସବର ପ୍ରସ୍ତୁତି ମଧ୍ୟ ହୋଇନାହିଁ । ହଠାତ୍ ବିଭାଗୀୟ ଅଧିକାରୀ କିଛି ଲୋକଙ୍କୁ ନେଇ ବିଜ୍ଞପ୍ତି ପ୍ରକାଶ କରି ତରତରରେ ଲୋକଉତ୍ସବ ଆୟୋଜନ କରୁଥିବା ବେଳେ ଗ୍ରାମାଂଚଳର ପ୍ରକୃତ କଳାକାର କଳା ପ୍ରଦର୍ଶନରୁ ବଂଚିତ ହୋଇ ଆସୁଛନ୍ତି । ଲୋକ ଉତ୍ସବ ଆୟୋଜନ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ସହ ପୁର୍ଣ୍ଣାଙ୍ଗ ତାରିଖ କଳାକାରଙ୍କୁ ଜଣାଇବା ପାଇଁ କମିଟି ଦାବି କରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକ ଉତ୍ସବ ପାଇଁ ବିଭିନ୍ନ ଜିଲ୍ଲାକୁ ପାଣ୍ଠି ଯୋଗାଇ ଦିଆଯାଉଥିବା ବେଳେ ବଲାଙ୍ଗିର ଜିଲ୍ଲା ପାଇଁ ସ୍ୱତନ୍ତ୍ର ଅନୁଦାନ ରାଜ୍ୟ ସରକାର ଘୋଷଣା କରନ୍ତୁ । ସରକାର ଦେଉଥିବା ଅର୍ଥକୁ ସଠିକ୍ ପରିଚାଳନା ଓ ଠିକ୍ ଜାଗାରେ ଖର୍ଚ୍ଚ କରିବାକୁ ଜିଲ୍ଲାପାଳଙ୍କ ଠାରେ ଦାବି ରଖିଛି କମିଟି । ଏହି ଉତ୍ସବ ଆୟୋଜନ ହେଲେ କଳା ଓ କଳାକାରଙ୍କ ବିକାଶ ହେବ ତଥା ଜିଲ୍ଲାର ସଂସ୍କୃତି ଐତିହ୍ୟ ସମଗ୍ର ରାଜ୍ୟ ତଥା ରାଜ୍ୟ ବାହାରେ ଉଜ୍ଜିବିତ ହେବ । ଆଗକୁ ବିଭିନ୍ନ ସ୍କୁଲ ଓ କଲେଜର ବାର୍ଷିିକ ପରୀକ୍ଷା ହେବାକୁ ଥିବାବେଳେ ଲୋକ ଉତ୍ସବ ଠିକ୍ ସମୟରେ ଆୟୋଜନ କରିବା ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି ହୋଇଛି । ଜିଲ୍ଲାପାଳ ଶ୍ରୀ ଇସଲୱାର କମିଟିର ଦାବି ଗୁଡିକ ଶୁଣିବା ପରେ ଆସୁଥିବା ସମସ୍ୟାକୁ ଗୁରୁତ୍ଵର ସହ ଗ୍ରହଣ କରି ତା'ର ସମାଧାନ କରାଯିବ ବୋଲି ନିର୍ଭର ପ୍ରତିଶୃତି ଆଲୋଚନା ସମୟରେ ଦେଇଥିଲେ ।
ଆଲୋଚନା ବେଳେ ଅନ୍ୟମାନଙ୍କ ମଧ୍ୟରେ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟିର ସଂପାଦକ ପ୍ରଶାନ୍ତ ମହାକୁର, ଭବାନୀ ଶଙ୍କର ଭୋଇ, ଶମ୍ଭୁ ପ୍ରସାଦ ଶତପଥୀ ଓ ବିଭୁ କଲ୍ୟାଣ ଗଡତ୍ୟା ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ