
ଏସ୍ସିବି ମେଡିକାଲ କଲେଜରେ ମେଡିଭିଜନ ରାଜ୍ୟ ସମ୍ମିଳନୀ-୨୦୨୬ରେ ଯୋଗଦେଲେ; ଆଧୁନିକ ଚିକିତ୍ସା ବିଜ୍ଞାନ, ଗବେଷଣା ଓ ମାନବସେବାର ସମନ୍ୱୟ ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର, ୨୮ ନଭେମ୍ବର (ହି.ସ.) : ଯୁବ ଡାକ୍ତର ଓ ମେଡିକାଲ ଛାତ୍ରଛାତ୍ରୀମାନେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା, ଚିକିତ୍ସା ଗବେଷଣା ଏବଂ ମାନବସେବା ପ୍ରତି ସମର୍ପିତ ରହିବା ଆବଶ୍ୟକ। ସେମାନଙ୍କ ଜ୍ଞାନ, ବୃତ୍ତିଗତ ଦକ୍ଷତା ଓ ସେବା ମନୋଭାବ ଏକ ସୁସ୍ଥ ଓ ବିକଶିତ ଭାରତ ସହିତ 'ବିକଶିତ ଓଡ଼ିଶା @୨୦୩୬'ର ଲକ୍ଷ୍ୟ ହାସଲରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ।ଶନିବାର କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମ୍ଠାରେ ଆୟୋଜିତ 'ମେଡିଭିଜନ ରାଜ୍ୟ ସମ୍ମିଳନୀ, ଓଡ଼ିଶା-୨୦୨୬'ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଏହି ଆହ୍ୱାନ ଦେଇଥିଲେ। ଏହି ଅବସରରେ ସେ ଯୁବ ଡାକ୍ତର, ମେଡିକାଲ ଓ ଡେଣ୍ଟାଲ ଛାତ୍ରଛାତ୍ରୀ ତଥା ଅଭିଜ୍ଞ ଚିକିତ୍ସକମାନଙ୍କ ସହ ଭାବ ବିନିମୟ କରିଥିଲେ। ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଆଗାମୀ ସ୍ୱାସ୍ଥ୍ୟଗତ ଆହ୍ୱାନଗୁଡ଼ିକର ମୁକାବିଲାରେ ଚିକିତ୍ସା କ୍ଷେତ୍ରର ଭୂମିକା ଉପରେ ସେ ଆଲୋକପାତ କରିଥିଲେ।ନିଜ ଅଭିଭାଷଣରେ ଡା. ମହାଲିଙ୍ଗ ଏସ୍ସିବି ମେଡିକାଲ କଲେଜର ଐତିହାସିକ ପରିସରରେ ଉପସ୍ଥିତ ହୋଇ ଗର୍ବ ଅନୁଭବ କରୁଥିବା କହିଥିଲେ। 'ବଡ଼ ମେଡିକାଲ' ଭାବେ ପରିଚିତ ଏହି ଅନୁଷ୍ଠାନକୁ ସେ ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରାଣକେନ୍ଦ୍ର ବୋଲି ଅଭିହିତ କରିଥିଲେ। ଏହି ଅନୁଷ୍ଠାନରୁ ଶିକ୍ଷାଲାଭ କରିଥିବା ଅନେକ ପିଢ଼ିର ଡାକ୍ତର ଦେଶ ଓ ବିଦେଶରେ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସିଛନ୍ତି ବୋଲି ସେ କହିଥିଲେ।ଆଧୁନିକ ସ୍ୱାସ୍ଥ୍ୟସେବାର ବଢ଼ୁଥିବା ଜଟିଳତା ସମ୍ପର୍କରେ ମତ ରଖି ମନ୍ତ୍ରୀ କହିଥିଲେ ଯେ, ଚିକିତ୍ସାର ବିଭିନ୍ନ କ୍ଷେତ୍ର ଏକାକୀ କାର୍ଯ୍ୟ କରିବା ପରିବର୍ତ୍ତେ ପରସ୍ପର ସହ ସମନ୍ୱୟ ରକ୍ଷା କରି ଆଗକୁ ବଢ଼ିବା ଆବଶ୍ୟକ। ରୋଗ ନିରାକରଣ, ପ୍ରାରମ୍ଭିକ ରୋଗ ଚିହ୍ନଟ ଓ ସମନ୍ୱିତ ଚିକିତ୍ସାକୁ ସୁଦୃଢ଼ କରିବା ପାଇଁ ଆଧୁନିକ ଚିକିତ୍ସା ବିଜ୍ଞାନ ଓ ଦନ୍ତ ଚିକିତ୍ସା ମଧ୍ୟରେ ଉତ୍ତମ ସମନ୍ୱୟ ଆବଶ୍ୟକ। ବିଶେଷକରି ମୁଖ ଗହ୍ୱର କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ ଓ ଜଟିଳ ରୋଗର ପ୍ରଭାବଶାଳୀ ଚିକିତ୍ସା ପାଇଁ ଏମ୍ବିବିଏସ୍ ଓ ବିଡିଏସ୍ ଡାକ୍ତରଙ୍କ ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମେଡିଭିଜନର ଅବଦାନକୁ ପ୍ରଶଂସାଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଡାକ୍ତର ସଂଗଠନ ମେଡିଭିଜନର କାର୍ଯ୍ୟକୁ ମନ୍ତ୍ରୀ ପ୍ରଶଂସା କରିଥିଲେ। ଡାକ୍ତରଖାନା ଓ ଚିକିତ୍ସା ଅନୁଷ୍ଠାନ ବାହାରେ ସମାଜର ଆବଶ୍ୟକତା ଥିବା ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ଏହି ସଂଗଠନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ।ଜ୍ଞାନ, ଶୀଳ, ଏକତା ଓ ରାଷ୍ଟ୍ର ନିର୍ମାଣର ଆଦର୍ଶରେ ଅନୁପ୍ରାଣିତ ମେଡିଭିଜନ ସ୍ୱାସ୍ଥ୍ୟ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଓ ରକ୍ତଦାନ ଅଭିଯାନ ମାଧ୍ୟମରେ ସାମାଜିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅବଦାନ ରଖୁଛି।ପୁରୀ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ଚିକିତ୍ସା ସେବା, କଟକ ବାଲିଯାତ୍ରାରେ ସ୍ୱାସ୍ଥ୍ୟ ଶିବିର ଏବଂ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାର ପ୍ରୟାସକୁ ସେ ବିଶେଷ ଭାବେ ପ୍ରଶଂସା କରିଥିଲେ। ଏଭଳି କାର୍ଯ୍ୟ ଡାକ୍ତରମାନଙ୍କ ମଧ୍ୟରେ ଥିବା ମାନବିକତା, ସାମାଜିକ ଦାୟିତ୍ୱବୋଧ ଓ ସେବା ମନୋଭାବର ପରିଚୟ ଦେଉଥିବା ସେ କହିଥିଲେ। ଏହାଦ୍ୱାରା ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚିପାରୁଛି।ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା ଓ ରୋଗ ନିରାକରଣ ଉପରେ ଗୁରୁତ୍ୱରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଡାକ୍ତରଖାନାଗୁଡ଼ିକର ଦ୍ରୁତ ଉନ୍ନତୀକରଣ, ଡାକ୍ତରୀ ଶିକ୍ଷାର ଆସନ ସଂଖ୍ୟା ବୃଦ୍ଧି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଆଧୁନିକୀକରଣ କରାଯାଉଛି।ତେବେ କେବଳ ଆଧୁନିକ କୋଠା ଓ ଚିକିତ୍ସା ସୁବିଧା ଦ୍ୱାରା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ହୋଇପାରିବ ନାହିଁ। ଏଥିପାଇଁ ଡାକ୍ତରମାନଙ୍କ ମଧ୍ୟରେ ମାନବିକତା, ନୈତିକ ପ୍ରତିବଦ୍ଧତା ଓ ଚିକିତ୍ସାଗତ ଦକ୍ଷତା ରହିବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ସ୍ପଷ୍ଟ କରିଥିଲେ।ଯୁବ ଡାକ୍ତରମାନେ ମେଡିଭିଜନ ସମ୍ମିଳନୀକୁ ରାଜ୍ୟର ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ନୂତନ ଚିନ୍ତାଧାରା ଓ ଅଭିନବ ପଦକ୍ଷେପ ଉପରେ ଆଲୋଚନା କରିବାର ମଞ୍ଚ ଭାବେ ଉପଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। ବିଶେଷକରି ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା ଓ ରୋଗ ନିରାକରଣ ଉପରେ ଅଧିକ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ।ଦୁର୍ଗମ ଗ୍ରାମାଞ୍ଚଳରୁ ଦୀର୍ଘ ରାସ୍ତା ଅତିକ୍ରମ କରି ଡାକ୍ତରଙ୍କ ଉପରେ ଭରସା ରଖି ଆସୁଥିବା ଗରିବ ରୋଗୀଙ୍କ ପ୍ରତି ଚିକିତ୍ସକମାନଙ୍କ ଦାୟିତ୍ୱ ସମ୍ପର୍କରେ ମଧ୍ୟ ସେ ସ୍ମରଣ କରାଇଥିଲେ। ରୋଗୀଙ୍କ ଆର୍ଥିକ ଓ ସାମାଜିକ ପୃଷ୍ଠଭୂମି ନିର୍ବିଶେଷରେ ପ୍ରତ୍ୟେକଙ୍କ ପ୍ରତି ସମ୍ବେଦନଶୀଳତା, ସହାନୁଭୂତି ଓ ବୃତ୍ତିଗତ ନୈତିକତା ବଜାୟ ରଖିବାକୁ ସେ ଚିକିତ୍ସକ ସମାଜକୁ ଆହ୍ୱାନ ଦେଇଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଓ ସ୍ମରଣିକା ଉନ୍ମୋଚନସମ୍ମିଳନୀ ଅବସରରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱ, ଅଧ୍ୟାପକ ଓ ଆୟୋଜକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଏକ ସ୍ମରଣିକା ସହ ଅନ୍ୟାନ୍ୟ ପ୍ରକାଶନ ମଧ୍ୟ ଉନ୍ମୋଚିତ ହୋଇଥିଲା।ରାଜ୍ୟସ୍ତରୀୟ ଏହି ସମ୍ମିଳନୀର ସଫଳ ଆୟୋଜନ ପାଇଁ ଡା. ମହାଲିଙ୍ଗ ଏବିଭିପି, ମେଡିଭିଜନର କାର୍ଯ୍ୟକର୍ତ୍ତା, ଆୟୋଜକ, ଅଧ୍ୟାପକ, ଡାକ୍ତର ଓ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଏଭଳି ଆୟୋଜନ ମେଡିକାଲ ଛାତ୍ରଛାତ୍ରୀ ଓ ଅଭିଜ୍ଞ ଚିକିତ୍ସକଙ୍କ ମଧ୍ୟରେ ଭାବ ବିନିମୟ ବୃଦ୍ଧି କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ସେବା ଓ ସାମାଜିକ ଦାୟିତ୍ୱବୋଧକୁ ଅଧିକ ସୁଦୃଢ଼ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ