
୩୨ ବୋତଲ ୱିନସେରେକ୍ସ ସିରପ୍, ମୋବାଇଲ ଓ ନଗଦ ୫୦୦ ଟଙ୍କା ଜବତ
ଝାରସୁଗୁଡ଼ା: ୨୮ ନଭେମ୍ବର (ହି.ସ.) ବେଆଇନ ଭାବେ କଫ୍ ସିରପ୍ ବିକ୍ରି କରୁଥିବା ଅଭିଯୋଗରେ ବଡ଼ମାଲ ଥାନା ପୁଲିସ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୩୨ ବୋତଲ ୱିନସେରେକ୍ସ କଫ୍ ସିରପ୍, ଗୋଟିଏ ମୋବାଇଲ ଫୋନ୍ ଓ ନଗଦ ୫୦୦ ଟଙ୍କା ଜବତ କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୨୭ ନଭେମ୍ବର ୨୦୨୬ ସନ୍ଧ୍ୟାରେ ବୃନ୍ଦାମାଲ , କାତିକେଲା ଓ ଭୁରକାମୁଣ୍ଡା ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ଚାଲିଥିବା ସମୟରେ କାତିକେଲାସ୍ଥିତ ହନୁମାନ ମନ୍ଦିର ନିକଟରେ ବେଆଇନ ଭାବେ ଏସ୍କଫ୍ କଫ୍ ସିରପ୍ ବିକ୍ରି ହେଉଥିବା ନେଇ ସୂଚନା ମିଳିଥିଲା।
ଏହି ସୂଚନା ଆଧାରରେ ଏସ୍ଆଇ ସୁନୀଲ ଦାଶଙ୍କ ନେତୃତ୍ୱରେ ବଡ଼ମାଲ ଥାନା ପୁଲିସ ଟିମ୍ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୧୦୦ ମିଲିଲିଟର ବିଶିଷ୍ଟ ୩୨ ବୋତଲ ୱିନସେରେକ୍ସ କଫ୍ ସିରପ୍, ଗୋଟିଏ ପୋକୋ ମୋବାଇଲ ଫୋନ୍ ଏବଂ ବିଭିନ୍ନ ମୂଲ୍ୟର ନୋଟ୍ ଆକାରରେ ୫୦୦ ଟଙ୍କା ଜବତ କରାଯାଇଥିଲା।
ଏହି ଘଟଣାରେ କାତିକେଲା ଗ୍ରାମର ସରୋଜ ଦେହେରୀଙ୍କ ପୁଅ ଜ୍ଞାନବିକାଶ ଦେହେରିଆ (୧୯)ଙ୍କୁ ପୁଲିସ ଗିରଫ କରିଛି। ଏନେଇ ବଡ଼ମାଲ ଥାନାରେ କେସ୍ ନମ୍ବର ୪୦୬, ତାରିଖ ୨୭.୧୧.୨୦୨୬ରେ ଏନ୍ଡିପିଏସ୍ ଆଇନର ଧାରା ୨୧(ସି)/୨୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ