ଖରିଫ ବର୍ଷ ୨୦୨୬-୨୭ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
କେନ୍ଦୁଝର, 28 ନଭେମ୍ବର (ହି.ସ.) ଖରିଫ ବିପଣନ ଋତୁ ୨୦୨୬-୨୭ ପାଇଁ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ଠାରେ ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା ଡିସେମ୍ବର ୨୮ ତାରିଖରୁ ଜିଲ୍ଲା
Paddy


କେନ୍ଦୁଝର, 28 ନଭେମ୍ବର (ହି.ସ.) ଖରିଫ ବିପଣନ ଋତୁ ୨୦୨୬-୨୭ ପାଇଁ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ଠାରେ ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା ଡିସେମ୍ବର ୨୮ ତାରିଖରୁ ଜିଲ୍ଲାରେ ଆନୁଷ୍ଠାନିକ ଭାବେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ଧାନ ସଂଗ୍ରହ ପୂର୍ବରୁ ଜିଲ୍ଲାର ସମସ୍ତ ମଣ୍ଡିର ଭିତ୍ତିଭୂମି ଓ ପ୍ରସ୍ତୁତି ନେଇ କ୍ଷେତ୍ର ପରିଦର୍ଶନ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ରତ୍ୟେକ ମଣ୍ଡିର ବାସ୍ତବ ସ୍ଥିତି ସମ୍ପର୍କିତ ତଥ୍ୟ ନିର୍ଦ୍ଧାରିତ ମୋବାଇଲ୍ ଆପ୍ରେ ନିୟମିତ ଅପଡେଟ୍ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ବୈଠକରେ ଜିଲ୍ଲା ମୁଖ୍ୟ ବେସମାରିକ ଯୋଗାଣ ଅଧିକାରୀ ଶ୍ରୀ ପବିତ୍ର କୁମାର ସାହୁ ସଂଯୋଜନା କରିବା ସହ ଗତ ୨୦୨୫-୨୬ ଖରିଫ ଋତୁର ଧାନ ସଂଗ୍ରହ ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଗତ ଋତୁରେ ଜିଲ୍ଲାରେ ୨୬ ଲକ୍ଷ ୧୩ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ୨୫ ଲକ୍ଷ ୭୪ ହଜାର ୪୯୬.୬୩ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇ ୯୮.୫୨ ପ୍ରତିଶତ ସଫଳତା ହାସଲ ହୋଇଥିଲା। ସେହିପରି ଗତ ଋତୁର କଷ୍ଟମ୍ ମିଲ୍ଡ୍ ଚାଉଳ ପ୍ରଦାନ କ୍ଷେତ୍ରରେ ନଭେମ୍ବର ୨୫ ତାରିଖ ସୁଦ୍ଧା ୮୧.୪୧ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଥିବା ସୂଚନା ଦିଆଯାଇଛି।

ଚଳିତ ୨୦୨୬-୨୭ ଖରିଫ ଋତୁ ପାଇଁ ଜିଲ୍ଲାର ୯୪,୧୩୭ ଜଣ ଚାଷୀ ଅନଲାଇନ୍ ମାଧ୍ୟମରେ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଛନ୍ତି। ଜିଲ୍ଲାର ତିନୋଟି ଉପଖଣ୍ଡ ଅଧୀନରେ ମୋଟ ୯୫ଟି ପ୍ୟାକ୍ସ ଓ ଲ୍ୟାମ୍ପସ୍ ମାଧ୍ୟମରେ ୧୦୩ଟି ଧାନ ସଂଗ୍ରହ କେନ୍ଦ୍ର କାର୍ଯ୍ୟକ୍ଷମ ହେବ। ଏଥିମଧ୍ୟରେ କେନ୍ଦୁଝର ଉପଖଣ୍ଡରେ ୪୪ଟି ପ୍ୟାକ୍ସ ଅଧୀନରେ ୪୫ଟି କେନ୍ଦ୍ର, ଆନନ୍ଦପୁର ଉପଖଣ୍ଡରେ ୩୯ଟି ପ୍ୟାକ୍ସ ଓ ଲ୍ୟାମ୍ପସ୍ ଅଧୀନରେ ୪୪ଟି କେନ୍ଦ୍ର ଏବଂ ଚମ୍ପୁଆ ଉପଖଣ୍ଡରେ ୧୨ଟି ପ୍ୟାକ୍ସ ଓ ଲ୍ୟାମ୍ପସ୍ ଅଧୀନରେ ୧୪ଟି ଧାନ ସଂଗ୍ରହ କେନ୍ଦ୍ର ଖୋଲାଯିବାକୁ ସ୍ଥିର ହୋଇଛି। ଏଥିସହ ଚଳିତ ଋତୁରେ ଧାନ ସଂଗ୍ରହ ଓ ମିଲିଂ ପ୍ରକ୍ରିୟାରେ ଜିଲ୍ଲାର ୧୮ ଜଣ ମିଲର୍ ଅଂଶଗ୍ରହଣ କରିବେ।

ଚଳିତ ଖରିଫ ଋତୁରେ ସାଧାରଣ ମାନର ଧାନ ପାଇଁ କ୍ୱିଣ୍ଟାଲ ପିଛା ୨,୪୪୧ ଟଙ୍କା ଏବଂ ଗ୍ରେଡ୍-ଏ ଧାନ ପାଇଁ ୨,୪୬୧ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲାର ୧୩ଟି ବ୍ଲକ୍ ମଧ୍ୟରୁ ୧୨ଟି ବ୍ଲକ୍ରେ ପି-ପାସ୍ (ସ୍ୱୟଂଚାଳିତ ଧାନ ସଂଗ୍ରହ ବ୍ୟବସ୍ଥା) ଲାଗୁ ହୋଇଥିବାବେଳେ, ଧାନ ବିକ୍ରୟର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ପ୍ରଦାନ ସୁନିଶ୍ଚିତ କରିବାକୁ କୁହାଯାଇଛି।

ମଣ୍ଡିରେ ଅଯଥା ଭିଡ଼ ନିୟନ୍ତ୍ରଣ ପାଇଁ ପଞ୍ଜୀକୃତ ଚାଷୀମାନଙ୍କୁ ଧାନ ବିକ୍ରୟର ୭ ଦିନ ପୂର୍ବରୁ ଓଡ଼ିଆ ଭାଷାରେ ମୋବାଇଲ୍ ବାର୍ତ୍ତା ମାଧ୍ୟମରେ ଆଗୁଆ ଟୋକନ୍ ସୂଚନା ପ୍ରଦାନ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରତ୍ୟେକ ମଣ୍ଡିରେ ଦୈନିକ ୫୦୦ରୁ ୧,୫୦୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଧାନ କ୍ରୟ ସୀମା ରଖାଯାଇଛି। ପ୍ରତ୍ୟେକ କେନ୍ଦ୍ରରେ ପାନୀୟ ଜଳ, ଶୌଚାଳୟ, ବିଶ୍ରାମଗୃହ, ଆର୍ଦ୍ରତା ମାପକ ଯନ୍ତ୍ର, ଓଜନ ଯନ୍ତ୍ର, ତାରପୋଲିନ୍ ଏବଂ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପଡ଼ୋଶୀ ରାଜ୍ୟରୁ ବେଆଇନ ଧାନ ଅନୁପ୍ରବେଶ ରୋକିବା ପାଇଁ ବିଶେଷକରି ଚମ୍ପୁଆ ଉପଖଣ୍ଡର ସୀମାନ୍ତ ଅଞ୍ଚଳରେ ପୋଲିସ୍ ସହାୟତାରେ କ୍ୟାମେରା ଖଞ୍ଜିତ ଗାଡ଼ି ମୁତୟନ କରି ଯାଞ୍ଚ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

ଚାଷୀମାନଙ୍କ ସ୍ୱାର୍ଥକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭାବେ ଧାନ ସଂଗ୍ରହ ପ୍ରକ୍ରିୟା ସମ୍ପାଦନ କରିବାକୁ ଉପସ୍ଥିତ ସମସ୍ତ କମିଟି ସଦସ୍ୟ ଓ ଲୋକପ୍ରତିନିଧିମାନେ ଗୁରୁତ୍ୱ ଦେଇଥିଲେ।

ଏହି ବୈଠକରେ ମାନ୍ୟବର ସାଂସଦ ଶ୍ରୀ ଅନନ୍ତ ନାୟକ, ମାନ୍ୟବର ଅଧ୍ୟକ୍ଷ ଜିଲ୍ଲା ଯୋଜନା କମିଟି ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଘସିପୁରା ବିଧାୟକ ଶ୍ରୀ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ, ଆନନ୍ଦପୁର ବିଧାୟକ ଶ୍ରୀ ଅଭିମନ୍ୟୁ ସେଠୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ, ଆଇଏଏସ୍ ପ୍ରୋବେସନର ଡା. ଜିତେନ୍ଦ୍ର କୁମାର, ସମସ୍ତ ଉପଜିଲ୍ଲାପାଳ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ କୃଷକ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande