
ଗଂଜାମ, 28 ନଭେମ୍ବର (ହି.ସ.)ଚିନ୍ମୟ ମିଶନ, ବ୍ରହ୍ମପୁର ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାର ଏକ ଶହ ପଚାଶ ଶିକ୍ଷାନୁଷ୍ଠାନର ପଚାଶ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ନେଇ ଆଭାସୀ ମାଧ୍ୟମରେ( ଜୁମ୍ ମଞ୍ଚ) ଏକ ଭବ୍ୟ ଗୀତା ଆବୃତ୍ତି କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଅତ୍ୟନ୍ତ ପ୍ରଶଂସା କରିବା ସହ ଆୟୋଜକମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଏଥିସହିତ, ମାନ୍ୟବର ମନ୍ତ୍ରୀ ଏହି ପ୍ରକାର କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଭାରତୀୟ ଧର୍ମ ଓ ସଂସ୍କୃତିକୁ ତଥା ଶ୍ରୀମଦ୍ ଭଗବଦ୍ ଗୀତାର ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପହଞ୍ଚାଇବା ପାଇଁ ଆହ୍ୱାନ କରିଛନ୍ତି । ମୁଖ୍ୟବକ୍ତା ଭାବେ ଆଭାସୀରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଚିନ୍ମୟ ମିଶନ, ଓଡ଼ିଶା ରାଜ୍ୟ ପ୍ରମୁଖ ପରମ ପୂଜ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ ମହାରାଜ ଭଗବଦ୍ ଗୀତାର ମାନବ ସମାଜ ପାଇଁ ଆବଶ୍ୟକତା ତଥା ବିଶେଷ ଭାବେ ନୂଆ ପିଢ଼ି ପାଇଁ ଏହାର ଉପାଦେୟତା ସମ୍ପର୍କରେ ମାର୍ଗ ଦର୍ଶନ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଗତ ତିନି ବର୍ଷଧରି ଚିନ୍ମୟ ମିଶନ, ବ୍ରହ୍ମପୁର ଦ୍ୱାରା ଅତ୍ୟନ୍ତ ସଫଳତାର ସହ ଏହି ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। ୨୦୨୩, ୨୦୨୪ ଓ ୨୦୨୫ ବର୍ଷରେ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଏହି କାର୍ଯକ୍ରମରେ ଯଥାକ୍ରମେ ୧୦୦୦୦,୨୫୦୦୦ ଓ ୩୫୦୦୦ ଛାତ୍ରଛାତ୍ରୀ ଯୋଗ ଦେଇ ସବୁ ସମୟ ପାଇଁ ରେକର୍ଡ ସୃଷ୍ଟି କରିଛନ୍ତି। ତେବେ, ଏଥର 50000ରୁ ଉର୍ଦ୍ଧ ଅଂଶ ଗ୍ରହଣ କରୁଥିବା ଦୃଷ୍ଟିରୁ ଏହାକୁ ଆଭାସୀ ମାଧ୍ୟମରେ କରାଯାଇଛି।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଚିନ୍ମୟ ଯୁବ କେନ୍ଦ୍ରର ଶ୍ରୀ କେ. ସତ୍ୟ ନାରାୟଣ ଆଚାରୀ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ଥିବା ୬ ଷ୍ଟ ଅଧ୍ୟାୟର ଆବୃତ୍ତି ସମ୍ବନ୍ଧୀୟ ନିୟମ ଉଲ୍ଲେଖ କରିବା ସହିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଚିନ୍ମୟମିଶନ, ବ୍ରହ୍ମପୁରର ଆଚାର୍ଯ୍ୟ ପୂଜ୍ୟ ସ୍ୱାମୀ ସଦାଶିବାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି |ସ୍ୱାମୀଜୀଙ୍କ ଦୀର୍ଘ ଚାରିମାସ ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଏହା ସମ୍ଭବ ହୋଇପାରିଛି |କାର୍ଯ୍ୟକ୍ରମ ଶେଷରେ, ଓଡ଼ିଶାର ଅନ୍ୟତମ ବିଖ୍ୟାତ ଅସ୍ଥିଶଲ୍ୟ ଚିକିତ୍ସକ ଡଃ ଶଙ୍କର୍ଷଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଚିନ୍ମୟ ମିଶନ, ବ୍ରହ୍ମପୁରର କାର୍ଯ୍ୟ ନିର୍ବାହୀ ସମିତିର କର୍ମକର୍ତ୍ତାମାନଙ୍କ ସହାୟତାରେ ଏହି ଐତିହାସିକ କାର୍ଯ୍ୟକ୍ରମଟି ଅତ୍ୟନ୍ତ ସଫଳତାର ସହ ପରିଚାଳନା ହୋଇପାରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ