
ବଲାଙ୍ଗିର, ୨୮ ନଭେମ୍ବର (ହି.ସ.) : ସ୍ଥାନୀୟ କଲେଜ ଛକସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୯ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଦୁଇଦିନ ଧରି ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇ ଶନିବାର ଉଦ୍ଯାପିତ ହୋଇଛି। ନଭେମ୍ବର ୨୭ ଓ ୨୮ ତାରିଖରେ ଆୟୋଜିତ ଏହି କ୍ରୀଡ଼ା ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେଇ ନିଜର କ୍ରୀଡ଼ା ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିଥିଲେ।
ଉଦ୍ଘାଟନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ତ୍ରିବିକ୍ରମ ଦାଶ ଅଧ୍ୟକ୍ଷତା କରିଥିଲେ। ଏସ୍ବିଆଇ ବଲାଙ୍ଗିରର ଆଞ୍ଚଳିକ ପ୍ରବନ୍ଧକ ସାଇକୃଷ୍ଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଉତ୍ସବର ଶୁଭାରମ୍ଭ କରିଥିଲେ। ଏଡିବି ବଲାଙ୍ଗିରର ଶାଖା ପ୍ରବନ୍ଧକ ସତ୍ୟଜିତ ଭୋଇ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। କଲେଜ ଛକସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ମଶାଲ ଶୋଭାଯାତ୍ରା ଆସିବା ପରେ କ୍ରୀଡ଼ା ଉତ୍ସବର ଶୁଭାରମ୍ଭ ହୋଇଥିଲା।
କ୍ରୀଡ଼ା ପ୍ରତିଯୋଗିତାର ପରିଚାଳନା ଗୁରୁଜୀ କୃଷ୍ଣଚନ୍ଦ୍ର ରଣା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ସକ୍ରିୟ ସହଯୋଗ କରିଥିଲେ।
ଦ୍ୱିତୀୟ ଦିନରେ ଶିଶୁ ବାଟିକା ବିଭାଗର ଅରୁଣ ଶ୍ରେଣୀରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ କୁନିକୁନି ପିଲାମାନଙ୍କ ପାଇଁ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ଅବସରରେ ଆଇନଜୀବୀ ତଥା ସମାଜସେବୀ ମିନାକ୍ଷୀ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷା ବିକାଶ ସମିତି, ଓଡ଼ିଶାର ସଂଗଠନ ମନ୍ତ୍ରୀ ତାରକ ଦାସ ସରକାର ଏବଂ ଦକ୍ଷିଣ ପଶ୍ଚିମ ସମ୍ଭାଗର ସହ-ସଂଯୋଜକ ତଥା ବଲାଙ୍ଗିର ବିଭାଗ ପ୍ରମୁଖ ପ୍ରକାଶ ଚନ୍ଦ୍ର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଉଦ୍ଯାପନୀ ଉତ୍ସବରେ ରାଜ୍ୟ ଲନ୍ ବଲ୍ ସଂଘର ସମ୍ପାଦକ ତଥା ରାଜ୍ୟ ସନ୍ତରଣ ସଂଘର ଉପସଭାପତି ସୁମିତ ରଞ୍ଜନ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିଥିଲେ। ତୃଣମୂଳ ସ୍ତରରୁ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରି ଉପଯୁକ୍ତ ପ୍ରଶିକ୍ଷଣ ଦିଆଗଲେ ସେମାନଙ୍କୁ ଜିଲ୍ଲାରୁ ରାଜ୍ୟ ଏବଂ ଜାତୀୟ ସ୍ତର ପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଇପାରିବ ବୋଲି ସେ କହିଥିଲେ। ଓଡ଼ିଶାର ଲନ୍ ବଲ୍ ପ୍ରଶିକ୍ଷକ କୈଳାସ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଅତିଥିମାନେ ନିଜ ବକ୍ତବ୍ୟରେ ଶିକ୍ଷା ସହିତ କ୍ରୀଡ଼ାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶୃଙ୍ଖଳା, ନିୟମିତ ଅଭ୍ୟାସ, ଆତ୍ମବିଶ୍ୱାସ ଓ ଦଳଗତ ମନୋଭାବର ବିକାଶରେ କ୍ରୀଡ଼ାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ନିଳାଞ୍ଚଳ ଚିରଗୁନ, ପରିଚାଳନା ସମିତିର ଉପସଭାପତି ଗୋଦାବରୀଶ ରଥଙ୍କ ସମେତ ସମିତିର ଅନ୍ୟାନ୍ୟ ସଦସ୍ୟ, ଗୁରୁଜୀ ଓ ଗୁରୁମାମାନେ ଉପସ୍ଥିତ ଥିଲେ।
ବିଭିନ୍ନ ବର୍ଗରେ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶିଶୁମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା ଓ ପ୍ରତିଯୋଗିତାମୂଳକ ମନୋଭାବର ବିକାଶ ଲକ୍ଷ୍ୟରେ ଆୟୋଜିତ ଏହି ଦୁଇଦିନିଆ କ୍ରୀଡ଼ା ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ସମାପ୍ତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ