ହୀରାକୁଦ ଜଳଭଣ୍ଡାରରେ ଘରୋଇକରଣକୁ ତୀବ୍ର ବିରୋଧ
Villagers oppose privatization of hirakud reserver
ହୀରାକୁଦ ଜଳଭଣ୍ଡାରରେ ଘରୋଇକରଣକୁ ତୀବ୍ର ବିରୋଧ


ବିରେନବନ୍ଧ ଓ ରମ୍ପାଲୁଗାରେ ମତ୍ସ୍ୟଜୀବୀଙ୍କ ରଣହୁଙ୍କାର, ଜୀବିକା ସୁରକ୍ଷା ପାଇଁ ଏକଜୁଟ ହେଲେ ପାରମ୍ପରିକ ମତ୍ସ୍ୟଜୀବୀ

ଝାରସୁଗୁଡା, ୨୮ ନଭେମ୍ବର (ହି.ସ.)- ହୀରାକୁଦ ଜଳଭଣ୍ଡାର କେବଳ ଏକ ଜଳସମ୍ପଦ ନୁହେଁ, ଏହା ହଜାର ହଜାର ବିସ୍ଥାପିତ ପରିବାରଙ୍କ ଜୀବନ ଓ ଜୀବିକାର ଆଧାର। ଜଳଭଣ୍ଡାରରେ ମାଛ ଉତ୍ପାଦନ ଓ ମତ୍ସ୍ୟ ଧରିବା ଅଧିକାର ଘରୋଇ କମ୍ପାନି ହାତକୁ ଦେବା ଉଦ୍ୟମକୁ ନେଇ ଏବେ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ନିଜର ପାରମ୍ପରିକ ଜୀବିକା ଓ ଅଧିକାରର ସୁରକ୍ଷା ପାଇଁ ଆନ୍ଦୋଳନକୁ ଓହ୍ଲାଇବାକୁ ମତ୍ସ୍ୟଜୀବୀମାନେ ଚେତାବନୀ ଦେଇଛନ୍ତି।

ଆଜି ଅପରାହ୍ନରେ ଲଖନପୁର ବ୍ଲକର ବିରେନବନ୍ଧ ଓ ରମ୍ପାଲୁଗା ଗ୍ରାମରେ ଅନୁଷ୍ଠିତ ପୃଥକ୍ ପୃଥକ୍ ବୈଠକରେ ମତ୍ସ୍ୟଜୀବୀମାନେ ଏହି ଦାବି ଉଠାଇଛନ୍ତି। ହୀରାକୁଦ ଜଳଭଣ୍ଡାରର ମାଛ ଧରିବା ଅଧିକାର କୌଣସି ଘରୋଇ କମ୍ପାନିକୁ ଦେବାକୁ ସେମାନେ ଦୃଢ଼ ବିରୋଧ କରିଛନ୍ତି।

ବିରେନବନ୍ଧସ୍ଥିତ ଶ୍ରୀ ମହାଦେବ ମତ୍ସ୍ୟଜୀବୀ ସମବାୟ ସମିତି ପକ୍ଷରୁ ଗ୍ରାମର ଯଜ୍ଞମଣ୍ଡପ ନିକଟରେ ଆୟୋଜିତ ପ୍ରତିବାଦ ସଭାରେ ଜଗଦୀଶ ପାଣ୍ଡେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ସରକାରଙ୍କ ଘରୋଇକରଣ ଉଦ୍ୟମ ଏବଂ ଏହାର ସମ୍ଭାବ୍ୟ ପ୍ରଭାବ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ମତ୍ସ୍ୟଜୀବୀମାନେ କହିଥିଲେ ଯେ, ହୀରାକୁଦ ବନ୍ଧ ନିର୍ମାଣ ଯୋଗୁଁ ସେମାନେ ନିଜର ପୈତୃକ ଭିଟାମାଟି ହରାଇ ବିସ୍ଥାପିତ ହୋଇଥିଲେ। ବର୍ତ୍ତମାନ ଜଳଭଣ୍ଡାରରେ ମାଛ ଧରିବା ହିଁ ସେମାନଙ୍କ ଜୀବିକାର ଏକମାତ୍ର ପ୍ରମୁଖ ଆଧାର। ପିଢ଼ି ପରେ ପିଢ଼ି ଏହି ବୃତ୍ତିକୁ ଆପଣାଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ଘରୋଇ କମ୍ପାନିକୁ ମାଛ ଧରିବା ଅଧିକାର ଦିଆଗଲେ ହଜାର ହଜାର ମତ୍ସ୍ୟଜୀବୀ ପରିବାରଙ୍କ ଜୀବିକା ସଙ୍କଟରେ ପଡ଼ିବ। ତେଣୁ ସରକାର ଏଭଳି ପଦକ୍ଷେପରୁ ନିବୃତ୍ତ ରହିବା ସହ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ସେମାନେ ଦାବି କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ସମସ୍ତ ମତ୍ସ୍ୟଜୀବୀ ପରିବାର ଏକଜୁଟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ।

ବୈଠକରେ ଦ୍ୱାରିକା ପ୍ରସାଦ ସା, ଭୁଜବଳ ଖରସେଲ, ଅଶ୍ୱିନୀ ମହାପାତ୍ର, ହଜରାଜ ସା, ରାଜେଶ ମହାପାତ୍ର, ଜୟରାମ ଭୋଇ, ସୂର୍ଯ୍ୟମଣି ପାଣ୍ଡେ, ଯୁଗଳ କିଶୋର ପାଣ୍ଡେ, ସଂଜିତା ଭୋଇ, ପୁଷ୍ପା ପଧାନ, ଗୋପେଶ୍ୱରୀ ଖରସେଲ, ପ୍ରଭାସିନୀ ଡନସନା, ଅମ୍ବିକା ପାଣ୍ଡେ ଓ ଲୁରେସିନୀ ସା ପ୍ରମୁଖ ମତବ୍ୟକ୍ତ କରିଥିଲେ।

ସେହିପରି ରମ୍ପାଲୁଗା ଗ୍ରାମରେ ଠେବେରା ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିର ସଦସ୍ୟ ଉପେନ୍ଦ୍ର ତିହିରିଆଙ୍କ ଅଧ୍ୟକ୍ଷତାରେ ଅନ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଠାରେ ମତ୍ସ୍ୟଜୀବୀମାନେ ନିଜର ବିସ୍ଥାପନ ଓ ଅଧିକାର ସମସ୍ୟା ଉଠାଇଥିଲେ। ହୀରାକୁଦ ଜଳଭଣ୍ଡାରରେ ଗ୍ରାମ ବୁଡ଼ିଯିବା ପରଠାରୁ ଆଜି ପର୍ଯ୍ୟନ୍ତ ସରକାର ସେମାନଙ୍କୁ ରୟତି ସତ୍ତ୍ୱ ପ୍ରଦାନ କରିନାହାନ୍ତି। ଗ୍ରାମବାସୀମାନେ ଭୂମିହୀନ ଭାବେ ରହି ଆସୁଥିବା ବେଳେ ଜଳଭଣ୍ଡାରରେ ମାଛ ଧରିବା ହିଁ ସେମାନଙ୍କ ଜୀବନଜୀବିକାର ଏକମାତ୍ର ସମ୍ବଳ ବୋଲି କହିଥିଲେ। ଏଭଳି ସ୍ଥିତିରେ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଅଧିକାର ଓ ସ୍ୱାର୍ଥକୁ ଅଣଦେଖା କରି ଘରୋଇ କମ୍ପାନିକୁ ଜଳଭଣ୍ଡାରରେ ମାଛ ଧରିବାର ସୁଯୋଗ ଦିଆଗଲେ ସେମାନେ ଜୀବିକା ହରାଇବା ସହ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବେ। ତେଣୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଅଧିକାର ସୁରକ୍ଷା ଓ ସେମାନଙ୍କ ମତାମତକୁ ଗୁରୁତ୍ୱ ଦେବାକୁ ସେମାନେ ଦାବି କରିଥିଲେ।

ଏହି ବୈଠକରେ ହେମସାଗର ଗଢ଼ୁଆଲ, ଟଙ୍କଧର ରୋହିଦାସ, ସାନନ୍ଦ ରୋହିଦାସ, ବୁଗି ତିହିରିଆ, ଉପେନ୍ଦ୍ର ମାଝୀ, ଗଳିନ୍ଦ୍ର ଭୁଏ, ରାଜେନ୍ଦ୍ର ମାଝୀ, ଟିକେଶ୍ୱର ଗୁଡ଼ୁଆଲ, ଗୌର ତିହିରିଆ, ସନ୍ତୋଷିନୀ ତିହିରିଆ ଓ ମୀରା ଭୋଇ ପ୍ରମୁଖ ନିଜ ମତ ରଖିଥିଲେ।

ମୋଟାମୋଟି ଭାବେ ହୀରାକୁଦ ଜଳଭଣ୍ଡାରରେ ମତ୍ସ୍ୟ ଉତ୍ପାଦନ ଓ ମାଛ ଧରିବା ଅଧିକାରକୁ ନେଇ ସରକାରଙ୍କ ଯେକୌଣସି ନିଷ୍ପତ୍ତିରେ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜୀବିକା, ଅଧିକାର ଓ ସ୍ୱାର୍ଥ ସୁରକ୍ଷିତ ରହିବା ଆବଶ୍ୟକ ବୋଲି ଉଭୟ ବୈଠକରେ ମତ ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande