

ସମ୍ବଲପୁର, ୨୮, ନଭେମ୍ବର (ହି.ସ.) ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୬-୨୭ ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୭-ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଡେପୁଟି କଲେକ୍ଟର (ନିର୍ବାଚନ) ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ଚାଲିଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା ଏବଂ ଏହାର ବିଭିନ୍ନ ନିର୍ଦ୍ଧାରିତ ସମୟସୀମା ସମ୍ପର୍କରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ବିସ୍ତୃତ ଭାବରେ ଅବଗତ କରାଯିବା ସହ ଆଲୋଚନା କରାଯାଇଥିଲା।
ଆସନ୍ତା ସୋମବାର ଅର୍ଥାତ୍ ନଭେମ୍ବର ୩୦ ତାରିଖରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍ଗୁଡ଼ିକରେ ଚିଠା ଭୋଟର ତାଲିକା ପ୍ରକାଶିତ ହେବ। ଏହାପରେ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ ପର୍ଯ୍ୟାୟ ଚାଲୁ ରହିବ। ଏହି ସମୟ ମଧ୍ୟରେ ଯେଉଁ ଯୋଗ୍ୟ ଭୋଟରମାନଙ୍କ ନାମ ତ୍ରୁଟିବଶତଃ ତାଲିକାରୁ ବାଦ୍ ପଡ଼ିଯାଇଛି, ସେମାନଙ୍କ ନାମ ଅନ୍ତର୍ଭୁକ୍ତ କରାଯିବା ସହ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନୂତନ ଯୁବ ଭୋଟରଙ୍କ ନାମ ତାଲିକାରେ ଯୋଡ଼ାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି। ଏହି ସଂଶୋଧନ ପ୍ରକ୍ରିୟାକୁ ସଫଳ କରିବା ପାଇଁ ବୁଥ୍ ସ୍ତରୀୟ ଏଜେଣ୍ଟ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଡେପୁଟି କଲେକ୍ଟର ନିର୍ବାଚନ ଗୁରୁତ୍ୱାରୋପ କରିଥିଲେ। ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ବୁଥ୍ ସ୍ତରୀୟ ଏଜେଣ୍ଟ ମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ। ଭାରତୀୟ ନିର୍ବାଚନ ଆୟୋଗ ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ଏଭଳି ରାଜନୈତିକ ଦଳର ବୈଠକ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ