
ଭୁବନେଶ୍ୱର, 28 ନଭେମ୍ବର (ହି.ସ) ପୁଣି ବଢ଼ିଲା ରାଜଧାନୀରେ ବାୟୁ
ପ୍ରଦୂଷଣ। ଦିନକୁ ଦିନ ଖରାପ ହେଉଛି ଭୁବନେଶ୍ୱରର ବାୟୁର ଗୁଣବତ୍ତା। ଗତକାଲି ରାଜଧାନୀରେ ଏୟାର
କ୍ୱାଲିଟି ଇଣ୍ଡେକ୍ସ ବା ଏକ୍ୟୁଆଇ୧୫୨ ରହିଥିବା ବେଳେ
ଆଜି ଏହା ବୃଦ୍ଧି ପାଇ ୧୬୪ରେ ପହଞ୍ଚିଛି। ଯାହା ବାୟୁ ଗୁଣବତ୍ତାର ମଧ୍ୟମ ଶ୍ରେଣୀରେ ରହିଛି। ଗତ
ଦୁଇ ଦିନ ଧରି ବାୟୁ ପ୍ରଦୂଷଣ ସ୍ତରରେ ଏହି ବୃଦ୍ଧି ରାଜଧାନୀବାସୀଙ୍କ ପାଇଁ ଚିନ୍ତାର କାରଣ
ପାଲଟିଛି। ଶୀତ ଋତୁ ଆରମ୍ଭ ହେବା ସହ ଭୁବନେଶ୍ୱରରେ ଥଣ୍ଡା ପବନ ଓ କୁହୁଡ଼ିର ପ୍ରଭାବ ଦେଖିବାକୁ
ମିଳୁଛି। ଏହି ସମୟରେ ବାୟୁମଣ୍ଡଳର ତାପମାତ୍ରା ଓ ପବନର ଗତିରେ ପରିବର୍ତ୍ତନ ଯୋଗୁଁ ଧୂଳିକଣା, ଯାନବାହନରୁ ନିର୍ଗତ ଧୂଆଁ ଏବଂ ଅନ୍ୟାନ୍ୟ ପ୍ରଦୂଷକ
ଉପାଦାନ ସହଜରେ ଉପରକୁ ଉଠିପାରୁନାହାନ୍ତି। ଫଳରେ ଏହି ପ୍ରଦୂଷକ କଣିକାଗୁଡ଼ିକ ବାୟୁମଣ୍ଡଳର
ନିମ୍ନ ସ୍ତରରେ ଜମା ହୋଇ ରହୁଛି। ବିଶେଷକରି ସକାଳ ଓ ସନ୍ଧ୍ୟା ସମୟରେ ପବନର ଗତି କମ୍ ରହିବା ସହ
କୁହୁଡ଼ିର ପ୍ରଭାବ ଯୋଗୁଁ ପ୍ରଦୂଷଣ ସ୍ତର ଅଧିକ ଅନୁଭୂତ ହେଉଛି। ଏହାର ପ୍ରଭାବରେ ଗତ ଦୁଇ ଦିନ
ଧରି ରାଜଧାନୀର ବାୟୁ ଗୁଣବତ୍ତା ହ୍ରାସ ପାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା