
ଭୁବନେଶ୍ୱର ୨୮ ନଭେମ୍ବର (ହି.ସ) ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼
କରିବା ଏବଂ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକୁ ରୋକିବା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ
ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
ନିଆଯାଇଛି। ଆସନ୍ତା ୦୧ ଡିସେମ୍ବର ୨୦୨୬ ଠାରୁ ଯାଜପୁର ଏବଂ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଦୈତାରୀରୁ
ଚଣ୍ଡିଖୋଲ ରାଜପଥରେ ‘ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ’ (ଆଇଇଏମଏସ) ମାଧ୍ୟମରେ ସିଧାସଳଖ ଇ-ଚାଲାଣ ବ୍ୟବସ୍ଥା କାର୍ଯ୍ୟକାରୀ
ହେବାକୁ ଯାଉଛି।
ଏହି ରାଜପଥରେ ଅତ୍ୟାଧୁନିକ କ୍ୟାମେରା ଓ ବୈଷୟିକ ଜ୍ଞାନକୌଶଳ
ସହାୟତାରେ ଚାରୋଟି ପ୍ରମୁଖ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଉପରେ କଡ଼ା ନଜର ରଖାଯିବ। ଦ୍ରୁତଗତିରେ
ଗାଡ଼ି ଚଳାଇବା, ଦୁଇଚକିଆ ଯାନରେ ତିନି ଜଣ ବସି ଯାତ୍ରା କରିବା, ଚାଳକ କିମ୍ବା ପଛରେ ବସିଥିବା ବ୍ୟକ୍ତି ହେଲମେଟ୍
ନପିନ୍ଧିବା ଏବଂ ବିପରୀତ ଦିଗରେ ଗାଡ଼ି ଚଳାଇବା କ୍ଷେତ୍ରରେ ସ୍ୱୟଂଚାଳିତ ଭାବେ ଇ-ଚାଲାଣ
ଜାରିହେବ।
ଦୈତାରୀ-ଚଣ୍ଡିଖୋଲ ରାଜପଥରେ ବିଭିନ୍ନ ବର୍ଗର ଯାନବାହନ ପାଇଁ
ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସର୍ବାଧିକ ବେଗ ସୀମା କଡ଼ାକଡ଼ି ଭାବେ ଲାଗୁ ରହିବ। ଏଥିରେ
ଦୁଇଚକିଆ ଯାନ ପାଇଁ ଘଣ୍ଟା ପ୍ରତି ୬୦ କି.ମି, କାର୍ ଓ ଜିପ୍ ଭଳି
ହାଲୁକା ମୋଟର ଯାନ (ଏଲଭିଏମ) ପାଇଁ ଘଣ୍ଟା ପ୍ରତି
୧୦୦ କି.ମି ଏବଂ ଟ୍ରକ୍ ଓ ବସ୍ ଭଳି ଭାରୀ ଯାନ (ଏଚଏମଭି) ପାଇଁ ଘଣ୍ଟା ପ୍ରତି
୮୦ କି.ମି. ବେଗ ସୀମା ଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ଇ-ଚାଲାଣରେ ନିୟମ ଉଲ୍ଲଂଘନର ସ୍ପଷ୍ଟ
ଫଟୋ କିମ୍ବା ଭିଡିଓ ପ୍ରମାଣ ସହିତ ଗାଡ଼ିର ପଞ୍ଜୀକରଣ ନମ୍ବର, ତାରିଖ, ସମୟ, ଜିପିଏସ୍ ଲୋକେସନ୍ ଏବଂ ଗାଡ଼ିର ବେଗ ସମ୍ପର୍କିତ ତଥ୍ୟ
ଉଲ୍ଲେଖ ରହିବ।
ରାମେଶ୍ୱରରୁ ପାଣିକୋଇଲି (ଏନଏଚ16), ଭୁବନେଶ୍ୱରରୁ ପୁରୀ
(ଏନଏଚ316), ପୁରୀରୁ କୋଣାର୍କ (ଏନଏଚ316 ଏ), କୋଣାର୍କରୁ ପିପିଲି
(ଏସଏଚ13), କଟକରୁ ପାରାଦୀପ (ଏସଏଚ12), ଗିରିଶୋଳାରୁ
ରାମେଶ୍ୱର (ଏନଏଚ16), ପାଣିକୋଇଲିରୁ ଲକ୍ଷ୍ମଣନାଥ (ଏନଏଚ16), ବଲାଙ୍ଗୀରରୁ
ତୁରେକେଲା (ଏସଏଚ42), ବ୍ରହ୍ମପୁରରୁ ତପ୍ତପାଣି ଏନଏଚ326 ଓ ଏସଏଚ17), ବ୍ରହ୍ମପୁରରୁ ଭଞ୍ଜନଗର (ଏନଏଚ59 ଓ ଏନଏଚ157), ସମ୍ବଲପୁରରୁ ମଙ୍ଗୁଳି (ଏନଏଚ55), ବଡ଼ବିଲରୁ
ପାଣିକୋଇଲି (ଏନଏଚ20) ଏବଂ
ସମ୍ବଲପୁରରୁ ରାଉରକେଲା (ଏସଏଚ10) , ସୋହେଲାରୁ ନୂଆପଡ଼ା( ଏସଏଚ03)ରେ ଆଇଇଏମଏସକାର୍ଯ୍ୟକ୍ଷମ
ରହିଛି।
ସମସ୍ତ ଯାନବାହନ ଚାଳକଙ୍କୁ ସଡ଼କ ସୁରକ୍ଷା ନିୟମ ମାନିବା, ହେଲମେଟ୍ ବ୍ୟବହାର କରିବା ଏବଂ ନିର୍ଦ୍ଧାରିତ ବେଗ
ସୀମା ମଧ୍ୟରେ ଗାଡ଼ି ଚଳାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହ
ଗାଡ଼ି ମାଲିକମାନେ ନିଜର ମୋବାଇଲ୍ ନମ୍ବର ଓ ଠିକଣା ପରିବହନ ବିଭାଗର ପୋର୍ଟାଲରେ ଅପଡେଟ୍
ରଖିବାକୁ ଏବଂ ଚାଲାଣ ପୈଠ କିମ୍ବା ଅଭିଯୋଗ ପାଇଁ କେବଳ ସରକାରୀ ଅଫିସିଆଲ୍ ଇ-ଚାଲାଣ ପୋର୍ଟାଲ୍
ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା