ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ସୁରକ୍ଷା ଦିଗରେ ରାଜସ୍ବ ପର୍ଷଦଙ୍କ ଗୁରୁତ୍ବପୂର୍ଣ୍ଣ ରାୟ
ମୂଲ୍ୟବାନ ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ପୁନଃ ରେକର୍ଡଭୁକ୍ତ କରିବାକୁ ନିର୍ଦ୍ଦେଶ ପୁରୀ, ୨୮ ନଭେମ୍ବର (ହି.ସ.)- ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ଦିଗରେ ଶ୍ରୀମନ୍ଦିର ପ୍ରଶାସନ ସପକ୍ଷରେ ରାଜସ୍ବ ପର୍ଷଦ ସଦସ୍ୟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ପୁରୀ ତହସି
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ସୁରକ୍ଷା ଦିଗରେ ରାଜସ୍ବ ପର୍ଷଦଙ୍କ ଗୁରୁତ୍ବପୂର୍ଣ୍ଣ ରାୟ


ମୂଲ୍ୟବାନ ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ପୁନଃ ରେକର୍ଡଭୁକ୍ତ କରିବାକୁ ନିର୍ଦ୍ଦେଶ

ପୁରୀ, ୨୮ ନଭେମ୍ବର (ହି.ସ.)- ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ଦିଗରେ ଶ୍ରୀମନ୍ଦିର ପ୍ରଶାସନ ସପକ୍ଷରେ ରାଜସ୍ବ ପର୍ଷଦ ସଦସ୍ୟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ପୁରୀ ତହସିଲ ଅନ୍ତର୍ଗତ ସମଙ୍ଗରା ମୌଜାର ଖାତା ନଂ ୨୨୨ ଓ ୩୬୨ ଅଧୀନରେ ଥିବା ସମୁଦାୟ ଅନ୍ତର୍ଭୁକ୍ତ ୧୦୫ ଏକର ପରିମିତ ମୂଲ୍ୟବାନ ଜମିକୁ ମହାପ୍ରଭୁଙ୍କ ନାମରେ ରେକର୍ଡଭୁକ୍ତ କରିବା ନିମନ୍ତେ ଶ୍ରୀମନ୍ଦିର କାର୍ଯ୍ୟାଳୟ ତରଫରୁ ମୋକଦ୍ଦମା ସେଟଲମେଣ୍ଟ ରିଭିଜନ୍ ପିଟିସନ୍ ନମ୍ବର - ୧୦୧/୨୦୨୩ ଓ ୧୦୨/୨୦୨୩ ଦାୟର କରାଯାଇଥିଲା । ଯାହାକୁ ରାଜସ୍ବ ପର୍ଷଦ ସଦସ୍ୟ ବିଚାର କରି ତନ୍ମଧ୍ୟରୁ ୮୦.୬୪ ଏକରକୁ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କ ନାମରେ ରେକର୍ଡ କରିବାକୁ ରାୟ ପ୍ରଦାନ କରିଛନ୍ତି। ଅବଶିଷ୍ଟ ୨୪.୨୯ ଏକର ଜମିକୁ କିଛି ବ୍ୟକ୍ତି ନିଜ ନାମରେ ବେଆଇନ ଭାବେ ରେକର୍ଡ କରି ନେଇଛନ୍ତି । ଯାହାକୁ ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୫ ଅନୁଯାୟୀ ପୁନଃବିଚାର କରିବା ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଦାଖଲ ସେଟଲମେଣ୍ଟ ରିଭିଜନ୍ ପିଟିସନ୍ ନମ୍ବର - ୧୦୧/୨୦୨୩ ଓ ୧୦୨/୨୦୨୩ ର ବିଚାର କରି ରାଜସ୍ବ ପର୍ଷଦ ସଦସ୍ୟ ୧୯୭୭ ମସିହାର ହାଲ୍ ରେକର୍ଡରେ ପ୍ରଭାବତୀ ଦାସ ସ୍ଵା: ମଣିଗୋପାଳ ଦାସ, ଅଶୋକ କୁମାର ଦାସ, ପ୍ରଣବ କୁମାର ଦାସ, ବାସୁଦେବ ଦାସ ପି: ମଣିଗୋପାଳ ଦାସ ଜା: କାୟସ୍ଥ ବା: କଚେରୀ ରୋଡ ବାଲୁଖଣ୍ଡ ଓ ମଣିଗୋପାଳ ଦାସ ପି: ଶାରଦା ପ୍ରଶନ୍ନ ଦାସ, ବାଲୁଖଣ୍ଡ ପୁରୀ ନାମରେ ଥିବା ରେକର୍ଡ଼କୁ ରବ୍ଦ କରିଛନ୍ତି ଏବଂ ଉକ୍ତ ଜମିକୁ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ୍ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କ ନାମରେ ରେକର୍ଡ଼ଭୁକ୍ତ କରିବାକୁ ପୁରୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାହା ବର୍ତ୍ତମାନ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ୍ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କ ନାମରେ ନୂତନ ଖାତା ୪୭୮/୧୨୦୪, ୪୭୮/୧୨୦୫ ରେ ସଂଶୋଧିତ ହୋଇଅଛି।

ଉଲ୍ଲେଖଯୋଗ୍ୟ ଯେ, ମାମଲାର ସାବିକ୍ ରେକର୍ଡ଼ରେ ଉକ୍ତ ଜମି ମହାପ୍ରଭୁଙ୍କ ନାମରେ ରେକର୍ଡ଼ଭୁକ୍ତ ଥିଲା । ମାମଲାର ବିଚାର ସମୟରେ ପୁରୁଣା ରାଜସ୍ବ କାଗଜାତ ଓ ଅନ୍ୟାନ୍ୟ ନଥିପତ୍ର ଅନୁଧ୍ୟାନ କରିବା ସହ ନ୍ୟାଚୁରାଲ ଜଷ୍ଟିସ ଉଲଂଘନ ହୋଇଥିବା ବିଷୟକୁ ମାନ୍ୟବର କୋର୍ଟ ଗୁରୁତ୍ୱ ଦେଇଛନ୍ତି । ଏହି ମାମଲା ୨୦୨୩ ମସିହାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉକ୍ତ କୋର୍ଟରେ ବିଚାରାଧୀନ ଥିଲା । ଉକ୍ତ ମାମଲାର ଶୁଣାଣିରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ସହଯୋଗ ତଥା ଆବଶ୍ୟକୀୟ କାଗଜାତ ସଠିକ୍ ସମୟରେ କୋର୍ଟରେ ଦାଖଲ କରାଯାଇଥିଲା । କୋର୍ଟଙ୍କ ଏହି ରାୟକୁ ସ୍ବାଗତ କରିବା ସହ ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଓ ଆଇନଗତ ସୁରକ୍ଷା ଦିଗରେ ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ପ୍ରୟାସ କରିଆସୁଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ ପାଢ଼ୀ କହିଛନ୍ତି। ଏହି ରାୟ ସମସ୍ତ ଶ୍ରୀଜଗନ୍ନାଥପ୍ରେମୀଙ୍କୁ ଆନନ୍ଦିତ କରିଅଛି । ଆଗାମୀ ଦିନରେ ମଧ୍ୟ ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଆଇନ୍ ଅନୁଯାୟୀ ସମସ୍ତ ଆବଶ୍ୟକ ପଦକ୍ଷେପ ଜାରି ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande