
ଭୁବନେଶ୍ୱର, 28 ନଭେମ୍ବର (ହି.ସ.)- ରେଳଧାରଣା ନିକଟରେ ହାତୀଙ୍କ ଚଳାଚଳକୁ ନେଇ ଟ୍ରେନ୍
ଚଳାଚଳରେ କଟକଣା। ହାତୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରେନ୍ର ଗତି ଧିମା କରିଛି ପୂର୍ବତଟ
ରେଳପଥ। ଫଳରେ ଅଧିକାଂଶ ଟ୍ରେନ୍ ନିର୍ଦ୍ଧାରିତ ସମୟରେ ଚଳାଚଳ କରିପାରୁନାହିଁ। ବିଳମ୍ବରେ
ଚାଲୁଛି ଟ୍ରେନ୍, ଯାହାର ପ୍ରଭାବ ଯାତ୍ରୀଙ୍କ ଯାତ୍ରା ଉପରେ ପଡ଼ିଛି।
ଗତକାଲି ବିଳମ୍ବିତ ରାତିରୁ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନ ଗଙ୍ଗାଧରପୁର
ନିକଟରେ ହାତୀଙ୍କ ଚଳାଚଳ ଦେଖିବାକୁ ମିଳିଛି। ରେଳଧାରଣା ନିକଟରେ ହାତୀ ରହିଥିବାରୁ ଯେକୌଣସି
ସମୟରେ ହାତୀ ଟ୍ରାକ୍କୁ ଚାଲିଆସିବାର ଆଶଙ୍କା ରହିଛି। ଏହାକୁ ନଜରରେ ରଖି ସମ୍ପୃକ୍ତ ଅଞ୍ଚଳରେ
ଟ୍ରେନ୍ର ଗତିକୁ ସମ୍ପୂର୍ଣ୍ଣ ଭାବେ ଧିମା କରାଯାଇଛି। ହାତୀଙ୍କ ଚଳାଚଳ ଯୋଗୁଁ ରେଳ ଚଳାଚଳରେ
ବିପଦ ସୃଷ୍ଟି ନହେବା ସହ ହାତୀଙ୍କ ଜୀବନ ରକ୍ଷା କରିବା ଉଦ୍ଦେଶ୍ୟରେ ରେଳପଥ ପକ୍ଷରୁ ସତର୍କତା
ଅବଲମ୍ବନ କରାଯାଉଛି। ଅନ୍ୟପଟେ ହାତୀଙ୍କୁ ରେଳଧାରଣା ନିକଟରୁ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ
ବନ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ହାତୀ ରେଳଧାରଣା ନିକଟରୁ ଦୂରେଇ ନଯିବା ପର୍ଯ୍ୟନ୍ତ
ଟ୍ରେନ୍ ଚଳାଚଳରେ ଏହି ସତର୍କତା ଜାରି ରହିବା ସମ୍ଭାବନା ରହିଛି। ତେବେ ହାତୀଙ୍କ ଚଳାଚଳ ଯୋଗୁଁ
ଟ୍ରେନ୍ ବିଳମ୍ବ ହେଉଥିବାରୁ ଯାତ୍ରୀମାନେ ଯାତ୍ରା ପୂର୍ବରୁ ନିଜ ଟ୍ରେନ୍ର ସ୍ଥିତି ଯାଞ୍ଚ
କରିନେବା ଜରୁରୀ ବୋଲି ସୂଚନା ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା