
ଭଦ୍ରକ, ୩ ନଭେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ୍ ଅନ୍ତର୍ଗତ ଭଟସାହି ପଂଚାୟତର ବ୍ରାହ୍ମଣପାଳ ଗ୍ରାମରେ ଅବସ୍ଥିତ ମା’ ଦକ୍ଷିଣକାଳୀଙ୍କ ପୀଠ ଦୀର୍ଘ ୪୮୭ ବର୍ଷର ଆଧ୍ୟାତ୍ମିକ ପରମ୍ପରା ଓ ଐତିହ୍ୟ ବହନ କରିଆସୁଛି। ୧୫୩୯ ମସିହାରୁ ଏଠାରେ ଦେବୀ ବିରାଜମାନ କରି ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରୁଥିବା ବିଶ୍ୱାସ ରହିଛି।ପୂର୍ବ ବର୍ଷ ପରି ଚଳିତବର୍ଷ ମା’ଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନୀତି ନିର୍ଘଂଟ ଅନୁଯାୟୀ ଆସନ୍ତା ରବିବାର ରାତିରେ ଘଟ ଉତୋଳନ ସହ ପୂଜାର ଶୁଭାରମ୍ଭ ହେବ। ସୋମବାରଠାରୁ ରବିବାର ପର୍ଯ୍ୟନ୍ତ ଚଣ୍ଡୀପାଠ, ଯଜ୍ଞ, ପୂର୍ଣ୍ଣାହୁତି ଓ ଷୋଡ଼ଶ ଉପଚାର ପୂଜାବିଧି ଅନୁଷ୍ଠିତ ହେବ। ଏଥିପାଇଁ ପୂଜା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। କେବଳ ଭଦ୍ରକ ଜିଲ୍ଲା ନୁହେଁ, ପଡ଼ୋଶୀ ଯାଜପୁର, ବାଲେଶ୍ୱର, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଏଠାକୁ ଛୁଟି ଆସନ୍ତି। ମା’ଙ୍କ ଅପାର ମହିମା ଓ ମନୋକାମନା ପୂରଣର ଅନେକ ଅନୁଭୂତି ଭକ୍ତମାନଙ୍କ ମୁହଁରୁ ଶୁଣିବାକୁ ମିଳେ। ବିପଦ ଆପଦରେ ମା’ ଭକ୍ତଙ୍କୁ ନିଜ ପଣତକାନିରେ ଘୋଡ଼ାଇ ରଖିବା ସହ ଅଭୟ ପ୍ରଦାନ କରନ୍ତି ବୋଲି ଅଞ୍ଚଳବାସୀଙ୍କ ଦୃଢ଼ ବିଶ୍ୱାସ ଏବଂ ଆସ୍ଥା ରହିଛି। ମନୋକାମନା ପୂରଣ ହେବା ପରେ ଜଣେ ଦୂରଦୂରାନ୍ତର ଭକ୍ତ ଗତବର୍ଷ ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଚାନ୍ଦିର ମୁକୁଟ ମା’ଙ୍କୁ ଅର୍ପଣ କରିଥିବା ଜଣାପଡ଼ିଛି। ମା’ଙ୍କ ଆବିର୍ଭାବ ସମ୍ପର୍କରେ ଏକ ରୋଚକ କିମ୍ବଦନ୍ତୀ ରହିଛି। ମୁଖ୍ୟ ପୂଜକ ସନ୍ତୋଷ କୁମାର ପଣ୍ଡା ନିଜ ପୂର୍ବପୁରୁଷଙ୍କଠାରୁ ଶୁଣିଥିବା କାହାଣୀ ବର୍ଣ୍ଣନା କରି କହନ୍ତି, ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରେ ତାଙ୍କ ପରିବାରର ପୂର୍ବପୁରୁଷମାନେ ସେତେବେଳର ବଙ୍ଗଦେଶର କଲିକତା ଅଞ୍ଚଳରେ ମା’ କାଳୀଙ୍କ ପୂଜକ ଭାବେ କାର୍ଯ୍ୟ କରୁଥିଲେ। ସେମାନଙ୍କ ନିଷ୍ଠାପର ପୂଜାରେ ସନ୍ତୁଷ୍ଟ ହୋଇ ମା’ ଜଣେ ପୂର୍ବପୁରୁଷଙ୍କୁ ସ୍ୱପ୍ନାଦେଶ ଦେଇଥିଲେ। ମା’ କହିଥିଲେ, ସେ ତାଙ୍କ ସହ ଯିବେ ଏବଂ ପଛରୁ ନୂପୁରର ଶବ୍ଦ ଶୁଭିବ; କିନ୍ତୁ ପଛକୁ ଚାହିଁବାକୁ ମନା କରିଥିଲେ। ସ୍ୱପ୍ନାଦେଶ ଅନୁସାରେ ସେ ଯାତ୍ରା କରି ବର୍ତମାନର ବ୍ରାହ୍ମଣପାଳ ଅଞ୍ଚଳରେ ପହଞ୍ଚିଥିଲେ। ସେଠାରେ ଏକ ନଦୀପଠା ନିକଟରେ ହଠାତ୍ ନୂପୁରର ଶବ୍ଦ ବନ୍ଦ ହୋଇଯିବାରୁ ସେ ପଛକୁ ଚାହିଁ ଦେଇଥିଲେ। ସେହି ସମୟରେ ଶୂନ୍ୟବାଣୀ ହୋଇଥିଲା, ମା’ ସେହି ସ୍ଥାନରେ ହିଁ ବିରାଜମାନ କରିବେ। ପ୍ରଥମେ ବରଡ଼ା ତାଟି, ପରେ ଚାଳଘର ଏବଂ ବର୍ତମାନ ଏକ ଭବ୍ୟ ମନ୍ଦିରରେ ମା’ ପୂଜା ପାଉଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ମା’ଙ୍କ ଆଳତି ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ। ଆଖପାଖର ପ୍ରାୟ ୧୦ରୁ ୧୫ଟି ଗ୍ରାମରୁ ଭକ୍ତମାନେ ନିଜ ଘରୁ କାକରା ଭୋଗ ଆଣି ମା’ଙ୍କୁ ଅର୍ପଣ କରିଥାନ୍ତି। ମା’ଙ୍କ ଭସାଣି ଦିନ ଶହ ଶହ କିଲୋଗ୍ରାମ ଜିଲାପି ଭୋଗ ଲାଗି ହେବା ଏହି ପୀଠର ଅନ୍ୟତମ ବିଶେଷତ୍ୱ। ପ୍ରତିଦିନ ସନ୍ଧ୍ୟା ଆଳତି ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୁଏ। ଚଳିତବର୍ଷ ପୂଜା କମିଟି ପକ୍ଷରୁ ଭଜନ ସନ୍ଧ୍ୟା, ପାଲା ଓ ଯାତ୍ରା ପରିବେଷଣର ବ୍ୟବସ୍ଥା କରାଯାଇଛି। ନିକଟସ୍ଥ ନଦୀଗାଁର ଗୌତମ ମହାପାତ୍ରଙ୍କ ପରିବାର ପାରମ୍ପରିକ ଭାବେ ମା’ଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ କରିଆସୁଛନ୍ତି। ଏହିପରି ଦୀର୍ଘଦିନର ପରମ୍ପରା, ଭକ୍ତି ଓ ଆସ୍ଥାକୁ ନେଇ ବ୍ରାହ୍ମଣପାଳର ମା’ ଦକ୍ଷିଣକାଳୀ ପୀଠ ଆଜି ଏକ ପ୍ରମୁଖ ଆଧ୍ୟାତ୍ମିକ ଓ ଧାର୍ମିକ ଆକର୍ଷଣର କେନ୍ଦ୍ର ପାଲଟିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ