
ଘଟଗାଁ ,୩ ନଭେମ୍ବର (ହି.ସ.) ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କୁ ଆକ୍ରମଣ, ଅଶ୍ଳୀଳ ଗାଳିଗୁଲଜ ସହ ହତ୍ୟା ଓ ଘରେ ନିଆଁ ଲଗାଇଦେବାକୁ ଧମକ ଦିଆଯାଇଥିବା ନେଇ ପାଣ୍ଡପଡ଼ା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଦୁଇଜଣଙ୍କ ନାମରେ ପୁଲିସ ମାମଲା ରୁଜୁ କରିଥିବା ବେଳେ ଘଟଣାକୁ ନେଇ ପଟାବାରୀ ଅଂଚଳରେ ଚର୍ଚ୍ଚା ଜୋର ଧରିଛି। ପୁଲିସରେ ଦାଖଲ ଏତଲା ଅନୁଯାୟୀ, ପାଣ୍ଡପଡ଼ା ଥାନା ଅନ୍ତର୍ଗତ ପଟାବାରୀ ଗ୍ରାମର ଶ୍ରୀବସ୍ତ ବାରିକ (୭୨), ପିତା ସ୍ୱର୍ଗତ ରଙ୍ଗାଧର ବାରିକ, ଜଣେ ଚାଷୀ। ଗତ ନଭେମ୍ବର ୧ ତାରିଖ ରବିବାର ଅପରାହ୍ଣ ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ସେ ନିଜ ଅଧିକୃତ ଜମିରେ ମାଟି ପକାଉଥିଲେ। ଏହି ସମୟରେ ବିକାଶ ବାରିକ ଓ କେଦାର ବାରିକ ସେଠାରେ ପହଂଚି ଜମିରେ ମାଟି ପକାଇବାକୁ ନେଇ ଆପତି ଉଠାଇଥିଲେ। ଏପରିକି ତାଙ୍କ ଗୋଶାଳା ଭିତରକୁ ମାଟି ଢେଲା ପକାଇଥିବା ଏତଲାରେ ଦର୍ଶାଯାଇଛି। ଏହାକୁ ଶ୍ରୀବସ୍ତ ବିରୋଧ କରିବାରୁ ବିକାଶ ବାରିକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ବାଡ଼ିରେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି। ଏଥିରେ ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିବା ଏତଲାରେ ଉଲ୍ଲେଖ ରହିଛି। ଏଥିସହ ତାଙ୍କୁ ହତ୍ୟା କରିବା ଏବଂ ଘରେ ନିଆଁ ଲଗାଇଦେବାକୁ ଧମକ ଦିଆଯାଇଥିବା ମଧ୍ୟ ସେ ପୁଲିସକୁ ଜଣାଇଛନ୍ତି। ଘଟଣା ପରେ ନଭେମ୍ବର ୨ ତାରିଖ ଅପରାହ୍ଣ ୧ଟା ୩୦ ମିନିଟ୍ ସମୟରେ ଶ୍ରୀବସ୍ତ ପାଣ୍ଡପଡ଼ା ଥାନାରେ ପହଂଚି ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ପାଣ୍ଡପଡ଼ା ପୁଲିସ କେସ୍ ନମ୍ବର ୨୪୦/୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ୨୦୨୩ର ଧାରା ୧୨୬(୨), ୧୧୫(୨), ୨୯୬, ୩୫୧(୨) ଓ ୩(୫) ଅନୁଯାୟୀ ମାମଲା ରୁଜୁ କରିଛି। ଏହି ମାମଲାର ତଦନ୍ତ ଭାର ଏଏସ୍ଆଇ ଏମ୍. ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି। ତେବେ ଜମି ବିବାଦକୁ ନେଇ ଘଟିଥିବା ଏହି ଘଟଣାରେ ଉଭୟ ପକ୍ଷର ମତାମତ ଓ ଅଭିଯୋଗର ସତ୍ୟାସତ୍ୟ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ବିଶେଷକରି ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଥିବାରୁ ପୁଲିସର ପରବର୍ତୀ ପଦକ୍ଷେପ ଉପରେ ସ୍ଥାନୀୟ ଅଂଚଳବାସୀଙ୍କ ନଜର ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ