
କେନ୍ଦୁଝର, 03 ନଭେମ୍ବର (ହି.ସ.)
କେନ୍ଦୁଝର ଜିଲ୍ଲାରେ ଓଡ଼ିଶା ଜନତା କଂଗ୍ରେସର ବିଶାଳ ଜନସମାବେଶ । ସରକାରଙ୍କୁ ଟାର୍ଗେଟ୍ କଲେ ରାଜ୍ୟ ସଭାପତି ମହମ୍ମଦ ମୋକିମ । କେନ୍ଦୁଝର ଜିଲ୍ଲାରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଏକ ବିଶାଳ ଜନସମାବେଶ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ପୁରୁଣା ବଜାରସ୍ଥିତ ଜଗନ୍ନାଥ ମନ୍ଦିର ନିକଟରୁ ବାହାରିଥିବା ଏହି ଶୋଭାଯାତ୍ରା ମ୍ୟୁନିସିପାଲିଟି ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା । ଏହି ଶୋଭାଯାତ୍ରାର ମଙ୍ଗ ଧରିଥିଲେ ରାଜ୍ୟ ସଭାପତି ମହମ୍ମଦ ମୋକିମ । ଏହି ଅବସରରେ ସେ ଚାଷୀ, ଗରିବ ଖଟିଖିଆ ଏବଂ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ଓଡ଼ିଶାର ୫୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ ହୋଇଥିବାବେଳେ ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ହୋଇ ପାରୁନାହିଁ । ସେ ଆହୁରି କହିଥିଲେ ଯେ, ଖଣିଜ ସମ୍ପଦରେ ଭରପୂର କେନ୍ଦୁଝର ଜିଲ୍ଲାରେ ଆଜି ମଧ୍ୟ କୁପୋଷଣ ଏକ ଗୁରୁତର ସମସ୍ୟା ହୋଇ ରହିଛି । ଜିଲ୍ଲାର ପ୍ରାୟ ୩୧ ପ୍ରତିଶତ ଶିଶୁ ଉପଯୁକ୍ତ ଓଜନ ହାସଲ କରିପାରୁନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଏକ ଧନୀ ଜିଲ୍ଲାରେ ଲୋକଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହେବା ଦୁର୍ଭାଗ୍ୟଜନକ ବୋଲି ସେ ମତ ରଖିଥିଲେ। ଅନ୍ୟପକ୍ଷରେ ହରିଚନ୍ଦନପୁର, ତେଲକୋଇ, ବାଂଶପାଳ ଏବଂ ଚମ୍ପୁଆ ବ୍ଲକର ଅନେକ ଅଞ୍ଚଳରେ ଲୋକେ ଏବେ ମଧ୍ୟ ଉନ୍ନତ ଗମନାଗମନ ସୁବିଧାରୁ ବଞ୍ଚିତ ଥିବା ସହ କେତେକ ଗ୍ରାମରେ ପାନୀୟ ଜଳର ଘୋର ସଙ୍କଟ ରହିଥିବା ନେଇ ସେ ଅଭିଯୋଗ କରିଥିଲେ । ଏଥିସହ କେନ୍ଦୁଝର ଜିଲ୍ଲାରେ ବାଲି ଚୋରା ଚାଲାଣକୁ ନେଇ ମଧ୍ୟ ରାଜ୍ୟ ସଭାପତି ଉଦ୍ବେଗ ପ୍ରକାଶ କରିଥିଲେ । ଚାଷୀ, ଗରିବ ଓ ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ ସହ ଓଡ଼ିଶାର ପ୍ରାୟ ୫୦ ପ୍ରତିଶତ କୃଷିନିର୍ଭର ଲୋକଙ୍କ ସ୍ୱାର୍ଥ ପାଇଁ ତାଙ୍କ ଦଳ କାର୍ଯ୍ୟ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଏହି ଜନସମାବେଶରେ ଦଳୀୟ କର୍ମୀ ଓ ସମର୍ଥକଙ୍କ ଉପସ୍ଥିତିରେ କେନ୍ଦୁଝରର ବିଭିନ୍ନ ଜନସମସ୍ୟା ଉପସ୍ଥାପିତ ହୋଇଥିଲ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA