
ଝାରସୁଗୁଡ଼ା, 03 ନଭେମ୍ବର (ହି.ସ.)ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଆସନ୍ତା ନଭେମ୍ବର ୬ ଓ ୭ ତାରିଖରେ ସ୍ଥାନୀୟ ଏମ୍ସିଏଲ୍ ସଭାଗୃହରେ ଅନୁଷ୍ଠିତ ହେବ।
‘ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତ’ ବିଷୟବସ୍ତୁକୁ ଆଧାର କରି ଜିଲ୍ଲାର ୧୫ରୁ ୨୯ ବର୍ଷ ବୟସ୍କ ଯୁବପିଢ଼ିଙ୍କୁ ଏକତ୍ରିତ ତଥା ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ମଞ୍ଚ ପ୍ରସ୍ତୁତ କରାଯାଇଛି। ଏଥିରେ ମୋଟ ୫ଟି ବିଭାଗ ଯଥା- ଲୋକନୃତ୍ୟ, ଲୋକଗୀତ, ଚିତ୍ରାଙ୍କନ, ପଥପ୍ରାନ୍ତ ନାଟକ ଏବଂ କବିତା ରଚନା ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗୀମାନେ ‘ମୋ ଭାରତ’ ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ପ୍ରତିଯୋଗିତାର ସୁପରିଚାଳନା ଓ ନିରପେକ୍ଷ ମୂଲ୍ୟାୟନ ପାଇଁ ୧୫ ଜଣିଆ ବିଚାରକ ମଣ୍ଡଳୀ ଗଠନ କରାଯିବ।
ପ୍ରତିଯୋଗିତାର ବିଜେତାମାନଙ୍କୁ ଉତ୍ସାହିତ କରିବା ଲାଗି ନଗଦ ପୁରସ୍କାର ପ୍ରଦାନ କରାଯିବ। ଦଳଗତ ବର୍ଗରେ (ଲୋକନୃତ୍ୟ, ଲୋକଗୀତ ଓ ପଥପ୍ରାନ୍ତ ନାଟକ) ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳକୁ ୧୦ ହଜାର ଟଙ୍କା, ଦ୍ୱିତୀୟ ସ୍ଥାନ ପାଇଁ ୭ ହଜାର ୫୦୦ ଟଙ୍କା ଏବଂ ତୃତୀୟ ସ୍ଥାନ ପାଇଁ ୫ ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ବ୍ୟକ୍ତିଗତ ବର୍ଗରେ (ଚିତ୍ରାଙ୍କନ ଓ କବିତା ରଚନା) ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବିଜେତାଙ୍କୁ ଯଥାକ୍ରମେ ୩ ହଜାର, ୨ ହଜାର ଓ ୧ ହଜାର ଟଙ୍କା ପୁରସ୍କାର ମିଳିବ।
ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଲୋକନୃତ୍ୟ, ଲୋକଗୀତ, ଚିତ୍ରାଙ୍କନ ଓ କବିତା ରଚନା ବିଭାଗର ପ୍ରଥମ ଦୁଇଜଣ କୃତୀ ପ୍ରତିଯୋଗୀ ବା ଦଳ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବା ପାଇଁ ଯୋଗ୍ୟତା ଅର୍ଜନ କରିବେ। ଅନ୍ୟପକ୍ଷରେ ପଥପ୍ରାନ୍ତ ନାଟକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶ୍ରେଷ୍ଠ ଦଳ ରାଜ୍ୟସ୍ତରରେ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବ।
ନଭେମ୍ବର ୬ ତାରିଖରେ ବ୍ୟକ୍ତିଗତ ବର୍ଗର ପ୍ରତିଯୋଗିତା ସହ ପଥପ୍ରାନ୍ତ ନାଟକ ଏବଂ ନଭେମ୍ବର ୭ ତାରିଖରେ ଦଳଗତ ବର୍ଗର ପ୍ରତିଯୋଗିତା ଅନୁଷ୍ଠିତ ହେବ। ଜିଲ୍ଲାର ସମସ୍ତ ଯୁବ ପ୍ରତିଭା ଏହି ସୁଯୋଗର ସଦୁପଯୋଗ କରି ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ