ବ୍ରଜରାଜନଗରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ
Collector visit different development works
ବ୍ରଜରାଜନଗରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ


ଝାରସୁଗୁଡ଼ା, ୩ ନଭେମ୍ବର (ହି.ସ.)- ବ୍ରଜରାଜନଗର ପୌରାଞ୍ଚଳରେ ଚାଲିଥିବା ତଥା ପ୍ରସ୍ତାବିତ ବିଭିନ୍ନ ଜନହିତକର ଓ ଉନ୍ନୟନମୂଳକ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ଓ ଆଲୋଚନା ସମୟରେ ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଗସ୍ତ କାଳରେ ଅଞ୍ଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ଆକର୍ଷଣୀୟ ପିକନିକ୍ ସ୍ପଟ୍ ର ବିକାଶ ତଥା ଦୀର୍ଘ ଦିନରୁ ପ୍ରତୀକ୍ଷିତ ପ୍ରସ୍ତାବିତ କୁଟାବଗା ପୋଲ ନିର୍ମାଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ପୋଲ ନିର୍ମାଣ ହେଲେ ସ୍ଥାନୀୟ ଯୋଗାଯୋଗ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆସିପାରିବ ବୋଲି ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିସହ ପୌରାଞ୍ଚଳରେ ଚାଲିଥିବା ନୂତନ ପାଠାଗାର ନିର୍ମାଣ କାର୍ଯ୍ୟର ସମୀକ୍ଷା କରି ଜିଲ୍ଲାପାଳ ପାଠକମାନଙ୍କ ସୁବିଧା ପାଇଁ ଉଚ୍ଚକୋଟୀର ଭିତ୍ତିଭୂମି, ଉନ୍ନତମାନର ଆସବାବପତ୍ର ଏବଂ ଭଲ ପୁସ୍ତକ ସଂଗ୍ରହ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଗକୁ ଆସୁଥିବା ପବିତ୍ର ଛଠ ପୂଜା ଏବଂ କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନଦୀଘାଟ ପରିଦର୍ଶନ କରିଥିଲେ। ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଓ ସୁବିଧା ନିମନ୍ତେ ଘାଟଗୁଡ଼ିକର ସାମଗ୍ରିକ ବିକାଶ ତଥା ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସେ ପୌର ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବା ସହ ଲୋକଙ୍କୁ ଉତ୍ତମ ନାଗରିକ ସେବା ଯୋଗାଇଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande