ଉପକୂଳ ଆନ୍ଧ୍ରପ୍ରଦେଶରେ ସାମୁଦ୍ରିକ ଝଡ଼ ‘ମୁରାସୁ’ର ତାଣ୍ଡବ, ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ସହ କଥା ହେଲେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ
ଅମରାବତୀ (ଆନ୍ଧ୍ରପ୍ରଦେଶ)/ନୂଆଦିଲ୍ଲୀ, ୦୩ ନଭେମ୍ବର (ହି.ସ.) : ଭୟଙ୍କର ସାମୁଦ୍ରିକ ଝଡ଼ ‘ମୁରାସୁ’ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ଧ୍ୱଂସଲୀଳା ରଚିଛି। ଆଜି ସକାଳେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ହଜାର ହଜାର ଗଛ ଉପୁଡ଼ି ପଡ଼ିଥିବା ବେଳେ ଶତାଧିକ ବିଦ୍ୟୁତ୍ ଖୁଣ୍ଟ କ୍ଷତିଗ୍ରସ୍ତ
चक्रवात 'मुरासु' ने तटीय आंध्र प्रदेश में तबाही मचाई है। फोटो - इंटरनेट मीडिया


ଅମରାବତୀ (ଆନ୍ଧ୍ରପ୍ରଦେଶ)/ନୂଆଦିଲ୍ଲୀ, ୦୩ ନଭେମ୍ବର (ହି.ସ.) : ଭୟଙ୍କର ସାମୁଦ୍ରିକ ଝଡ଼ ‘ମୁରାସୁ’ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ଧ୍ୱଂସଲୀଳା ରଚିଛି। ଆଜି ସକାଳେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ହଜାର ହଜାର ଗଛ ଉପୁଡ଼ି ପଡ଼ିଥିବା ବେଳେ ଶତାଧିକ ବିଦ୍ୟୁତ୍ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଛି। ଏଥିସହ ମତ୍ସ୍ୟଜୀବୀଙ୍କ ଅନେକ ଡଙ୍ଗା ମଧ୍ୟ ନଷ୍ଟ ହୋଇଛି। ବାତ୍ୟାର ପ୍ରଭାବ ଓ କ୍ଷୟକ୍ଷତି ସମ୍ପର୍କରେ ଜାଣିବା ପାଇଁ କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି।

ବାତ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଧିକାରୀମାନଙ୍କୁ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଘରୁ ବାହାରକୁ ନଯିବାକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଧନଜୀବନ ହାନି ରୋକିବା ସହ ସମ୍ପତ୍ତିର କ୍ଷୟକ୍ଷତିକୁ କମାଇବା ପାଇଁ ସମସ୍ତ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସେ କହିଛନ୍ତି। ବର୍ତ୍ତମାନ ପୁଲିସ କର୍ମଚାରୀମାନେ ବିଭିନ୍ନ ରାସ୍ତାରେ ପାଟ୍ରୋଲିଂ କରିବା ସହ ଲୋକଙ୍କୁ ଘର ଭିତରେ ସୁରକ୍ଷିତ ରହିବାକୁ ଅନୁରୋଧ କରୁଛନ୍ତି।

ବାପଟଲା ଓ ପ୍ରକାଶମ ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଏହାଦ୍ୱାରା ଚାଷଜମିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଏକ ଟେଲିକନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନାଇଡୁ ବିଦ୍ୟୁତ୍ ଖୁଣ୍ଟ ଓ ସବ୍ଷ୍ଟେସନଗୁଡ଼ିକର ସ୍ଥିତି ସମ୍ପର୍କରେ ଅଧିକାରୀଙ୍କଠାରୁ ତଥ୍ୟ ନେଇଛନ୍ତି।

ଅନ୍ୟପଟେ, ପ୍ରକାଶମ ଜିଲ୍ଲାର ଓଙ୍ଗୋଲରେ ‘ମୁରାସୁ’ ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ଓ ଝଡ଼ ପବନରେ ଅନେକ କଚ୍ଚା ଘର ଭୁଶୁଡ଼ି ପଡ଼ିଛି। ଫଳରେ ଘର ଭିତରେ ଲୋକମାନେ ଫସି ରହିଛନ୍ତି। ଫସିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

ଏହାସହ ଓଙ୍ଗୋଲସ୍ଥିତ ପ୍ରକାଶମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ‘ଆନ୍ଧ୍ର କେଶରୀ’ ତଙ୍ଗୁଟୁରୀ ପ୍ରକାଶମ ପନ୍ତୁଲୁଙ୍କ ପ୍ରତିମୂର୍ତ୍ତି ଉପରେ ପ୍ରବଳ ବର୍ଷା ଓ ଝଡ଼ ପବନ ଯୋଗୁଁ ଏକ ବଡ଼ ଗଛ ଉପୁଡ଼ି ପଡ଼ିଛି। ଏଥିରେ ପ୍ରତିମୂର୍ତ୍ତିଟି ଭାଙ୍ଗିଯାଇଛି।

ଏହି ସମୟରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ସହ ଆଲୋଚନା କରିଛନ୍ତି। ପୂର୍ବରୁ ଆସିଥିବା ବାତ୍ୟା ‘ଅର୍ଣ୍ଣବ’ ଏବଂ ବର୍ତ୍ତମାନର ‘ମୁରାସୁ’ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ନାଇଡୁ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ବିଭିନ୍ନ ଜିଲ୍ଲାରେ ଫସଲ ଓ ସମ୍ପତ୍ତିର କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ସେ ବିସ୍ତୃତ ତଥ୍ୟ ଦେଇଛନ୍ତି।

କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ପଠାଇଥିବାରୁ ନାଇଡୁ ମୋଦୀ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଏହି ପ୍ରାକୃତିକ ବିପର୍ଯ୍ୟୟରୁ ରାଜ୍ୟକୁ ମୁକାବିଲା କରି ପୁନରୁଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ସେ ଅନୁରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande