ଫୁଲବାଣୀରେ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି  ନିଖୋଜ ଘଟଣା, ମୃତଦେହ ଉଦ୍ଧାର
Dead Body Of Missing Person recovered
ଫୋଟ


କନ୍ଧମାଳ, ୩ ନଭେମ୍ବର (ହି.ସ.)- ଫୁଲବାଣୀ ଡାକପାଲ ବ୍ରିଜ୍ ରୁ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡି ନିଖୋଜ ଘଟଣାରେ ନିଖୋଜ ପ୍ରମୋଦ ବେହେରାଙ୍କ ଶବ ଆଜି ଫୁଲବାଣୀ ସହର ଉପକଣ୍ଠରେ ଥିବା ପଟ୍ଟାବାଲି ସାହି ନିକଟସ୍ଥ ପୋଲ ନିକଟରୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଲୋକେ ମର୍ଣ୍ଣିଂ ୱାକ୍ ରେ ଯିବାବେଳେ ଶବଟି ବ୍ରିଜ୍ ତଳେ ଅଟକି ଥିବା ଦେଖିଥିଲେ। ଫୁଲବାଣୀ ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ ସେମାନେ ଆସି ଶବକୁ ଉଦ୍ଧାର କରି ଫୁଲବାଣୀ ଟାଉନ ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ୍ ଶବକୁ ତାଙ୍କର ପରିବାର ଲୋକଙ୍କ ଦ୍ବାରା ଚିହ୍ନଟ କରି, ଏକ ଅପମୃତ୍ୟୁ ମାମଲା ୫୮/୦୩/୧୧/୨୦୨୬ ରୁଜୁ କରି ଶବକୁ ବ୍ୟବଛେଦ କରି ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଥିବା ନେଇ ଫୁଲବାଣୀ ଟାଉନ୍ ଥାନା ଅଧିକାରୀ ଶ୍ରୀମତୀ ରୀତାମ୍ବରା ପ୍ରଜ୍ଞା ସୂଚନା ଦେଇଛନ୍ତି ।

ଗତ ରବିବାର ରାତି ୯ଟା ୩୦ ମିନିଟ ସମୟରେ ଦୁଇ ଜଣ ବାଇକ ଆରୋହୀ ଫୁଲବାଣୀ ନଦୀଖଣ୍ଡି ସାହିକୁ ସଂଯୋଗ କରୁଥିବା ଡାକପାଲ ବ୍ରିଜ୍ ରୁ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ଶ୍ରୀକାନ୍ତ ବେହେରା ଉଦ୍ଧାର ହେବା ସହ ପ୍ରମୋଦ ବେହେରା ନିଖୋଜ ଥିଲେ। ଉଭୟେ ଫୁଲବାଣୀ କେନ୍ଦୁପତ୍ର ବିଭାଗର କର୍ମଚାରୀ ହୋଇଥିବା ବେଳେ ସେମାନେ ବିଭାଗର ସରକାରୀ କ୍ଵାର୍ଟରରେ ରହୁଥିଲେ । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ନେଇ ପୋଲିସ ସୂତ୍ରରୁ ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande