
ଭବାନୀପାଟଣା, ୦୩ନଭେମ୍ବର (ହି.ସ ) - ଆଜି ରାଜ୍ୟର ମତ୍ସ୍ୟ ଉତ୍ପାଦନ ବୃଦ୍ଧି, କୃଷକମାନଙ୍କ ଆୟ ବୃଦ୍ଧି ସହିତ ଜମି ଓ ଜଳସମ୍ପଦର ସର୍ବୋତମ ଉପଯୋଗ ଲକ୍ଷ୍ୟରେ ଧାନ ଚାଷ ସହ ମାଛ ଚାଷ ପଦ୍ଧତିର ପ୍ରଚାର ଓ ପ୍ରସାର ନିମନ୍ତେ ଆଜି କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତେନ୍ତୁଳିଖୁଂଟି ଗ୍ରାମଠାରେ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜୁନାଗଡ଼, ଜୟପାଟଣା, କୋକସରା ଓ କଲମପୁର ବ୍ଲକର କେନାଲ ଜଳସେଚିତ ଅଂଚଳରୁ ପ୍ରାୟ ୧୦୦ ଜଣ ଚାଷୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମତ୍ସ୍ୟ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଶ୍ରୀ ଜଗଦୀଶ ଚନ୍ଦ୍ର ପଣ୍ଡା, ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ କୁମାରୀ ସ୍ୱୟଂପ୍ରଭା ବଳ, କେନ୍ଦ୍ରୀୟ ଧାନ ଗବେଷଣା ସଂସ୍ଥା (ସି ଆର ଆର ଏଇ )ର ପ୍ରମୁଖ ବୈଜ୍ଞାନିକ ଡ. ଆନି ପୁନମ, ଅକ୍ଷୟ କୁମାର ମହାରଣା, ବୈଷୟିକ ଅଧିକାରୀ, ପ୍ରକଳ୍ପର ମତ୍ସ୍ୟଚାଷ ବିଶେଷଜ୍ଞ ଅମର ଗାଏକୱାଡ଼ ଓ ଶ୍ରୀ ଭେଙ୍କଟେଶ ନାରାୟଣ, ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀ, କଳାହାଣ୍ଡି ଶ୍ରୀ ଜ୍ଞାନରଞ୍ଜନ ସେଠୀ, ସହକାରୀ ମତ୍ସ୍ୟ ଅଧିକାରୀ ଭବାନୀ ଶଙ୍କର ପଣ୍ଡା ଏବଂ ଶ୍ରୀମତୀ ପ୍ରଶାନ୍ତି ନାୟକ, ଜୁନାଗଡ଼, ଜୟପାଟଣା, କୋକସରା ଓ କଲମପୁର ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ମାନେ ଏବଂ ଜୁନାଗଡ଼ ବ୍ଲକ କୃଷି ଅଧିକାରୀ ଅତିଥି ଭାବେ ଯୋଗଦେଇଥିଲେ।
ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଧାନ ଚାଷ ସହ ମାଛ ଚାଷର ଉପାଦେୟତା, ବୈଜ୍ଞାନିକ ପଦ୍ଧତିରେ ଏହାର ପରିଚାଳନା, ଜଳର ସୁବିନିଯୋଗ ଏବଂ ଚାଷୀଙ୍କ ଅତିରିକ୍ତ ଆୟ ବୃଦ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ। ସି ଆର ଆର ଏଇ ର ବୈଜ୍ଞାନିକମାନେ ଧାନ ଜମିର ଉପଯୁକ୍ତ ପ୍ରସ୍ତୁତି, ଜଳ ପରିଚାଳନା ଓ ଧାନ ଫସଲ ସହିତ ମାଛ ଚାଷର ବୈଷୟିକ ଦିଗ ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ। ସେହିପରି ବିଶ୍ୱ ଫିସ ର ବିଶେଷଜ୍ଞମାନେ ଉନ୍ନତ ମାଛ ଚାଷ ପ୍ରଣାଳୀ, ମାଛ ଯାଆଁଳା ଛାଡ଼ିବା, ଖାଦ୍ୟ ପରିଚାଳନା ଓ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେଇଥିଲେ।
ଏହି ସମନ୍ୱିତ ଚାଷ ପ୍ରଣାଳୀ ଦ୍ୱାରା ଗୋଟିଏ ଜମିରୁ ଧାନ ସହିତ ମାଛ ଉତ୍ପାଦନ କରି ଚାଷୀମାନେ ଅଧିକ ଆର୍ôଥକ ଲାଭ ପାଇପାରିବେ। ଏଥିସହିତ ଗ୍ରାମାଂଚଳରେ ପୁଷ୍ଟିକର ଖାଦ୍ୟ ଉପଲବ୍ଧତା ଓ ଜୀବିକାର ସୁଯୋଗ ବୃଦ୍ଧି ପାଇବ।
କାର୍ଯ୍ୟକ୍ରମରେ ମତ୍ସ୍ୟ ଓ କୃଷି ବିଭାଗର ଅଧିକାରୀମାନେ ଏହି ନୂତନ ଚାଷ ପଦ୍ଧତିକୁ ଆପଣାଇବା ପାଇଁ ଚାଷୀମାନଙ୍କୁ ଆହ୍ୱାନ ଦେବା ସହ ଆବଶ୍ୟକ ବୈଷୟିକ ସହଯୋଗ ଓ ମାର୍ଗଦର୍ଶନ ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି କାର୍ଯ୍ୟକ୍ରମ ମତ୍ସ୍ୟ ବିଭାଗ, କୃଷି ବିଭାଗ, ସି ଆର ଆର ଏଇ ଓ ବିଶ୍ୱ ଫିସ ର ମିଳିତ ପ୍ରୟାସରେ ଧାନ ସହ ମାଛ ଚାଷକୁ ଜିଲ୍ଲାରେ ଲୋକପ୍ରିୟ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ