




ବଲାଙ୍ଗିର, ୦୩ ନଭେମ୍ବର (ହି.ସ.) - ଏକଲ ବିଦ୍ୟାଳୟ ଏବଂ ହରି କଥାର ପ୍ରଣେତା ଶ୍ରଦ୍ଧେୟ ଶ୍ରୀ ଶ୍ୟାମ ଗୁପ୍ତ ଓଡ଼ିଶା ଗସ୍ତରେ ଆସି ବଲାଙ୍ଗୀର ସହରରେ ଉପସ୍ଥିତ ହୋଇଛନ୍ତି।
ଏହି ଅବସରରେ ସେ ସେବା ସଦନ, ରାଧାରାଣୀ ପଡ଼ା, ବଲାଙ୍ଗୀରଠାରେ ଏକ ପ୍ରେରଣାଦାୟୀ ବାର୍ତା ଦେଇ କହିଥିଲେ, ଚାଲ ଗାଁ ଆଡ଼କୁ, ପୁଣିଥରେ ଦେଶ ଗଢ଼ିବାକୁ ହେବ'। ଯଦି ଭାରତକୁ ଏକ ଶକ୍ତିଶାଳୀ, ସୁରକ୍ଷିତ ତଥା ଆତ୍ମନିର୍ଭରଶୀଳ ରାଷ୍ଟ୍ର ଭାବରେ ବିକଶିତ କରିବାକୁ ଚାହୁଁଛେ, ତେବେ ଆମକୁ ଗ୍ରାମାଭିମୁଖୀ ହେବାକୁ ପଡ଼ିବ। ବନବାସୀ ଗ୍ରାମୀଣ ସମାଜକୁ ଆପଣେଇବା ସହ ସେମାନଙ୍କ ସୁଖ-ଦୁଃଖର ଭାଗୀଦାର ହେବାକୁ ପଡ଼ିବ।
ଶ୍ରଦ୍ଧେୟ ଶ୍ରୀ ଶ୍ୟାମ ଗୁପ୍ତଙ୍କ ଜନ୍ମ ଅବିଭାଜିତ ଭାରତର ପଶ୍ଚିମ ପଞ୍ଜାବ (ବର୍ତମାନ ପାକିସ୍ତାନ)ରେ ହୋଇଥିଲା। ରାମକୃଷ୍ଣ ମିଶନ ବିଦ୍ୟାଳୟରେ ଅଧ୍ୟୟନ ସମୟରେ ସେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଓ ଆଦର୍ଶ ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ। ରାଷ୍ଟ୍ର ନିର୍ମାଣ, ସେବା ଓ ଚରିତ୍ର ନିର୍ମାଣର ଆଦର୍ଶ ହିଁ ତାଙ୍କ ଜୀବନର ଦିଗ ନିର୍ଣ୍ଣୟ କରିଥିଲା।
୧୯୬୪ ମସିହାରେ ପଦାର୍ଥ ବିଜ୍ଞାନ (ଚଷଚ୍ଚଗ୍ଦସମଗ୍ଦ) ରେ ଏମ୍.ଏସ.ପି ଡିଗ୍ରୀ ହାସଲ କରିବା ପରେ, ସେ ଯୁବାବସ୍ଥାରେ ହିଁ ପରିବାର ତ୍ୟାଗ କରି ସମାଜ ସେବା ପାଇଁ ନିଜ ଜୀବନକୁ ସମର୍ପିତ କରିବାର ସଂକଳ୍ପ ନେଇଥିଲେ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ-ପ୍ରାନ୍ତ ପ୍ରଚାରକ ଭାବେ ଓଡ଼ିଶାରେ ପ୍ରାୟ ଦଶ ବର୍ଷ ଧରି କାର୍ଯ୍ୟ କରିବା ସମୟରେ, ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସେବା କାର୍ଯ୍ୟ ଏବଂ ବନବାସୀ ସମାଜର ଉତଥାନ ପାଇଁ ଚାଲିଥିବା ପ୍ରୟାସରୁ ତାଙ୍କୁ ଏକଲ ବିଦ୍ୟାଳୟ' ପ୍ରତିଷ୍ଠା କରିବାର ପ୍ରେରଣା ମିଳିଥିଲା। ତାଙ୍କ ସହ ମିଶି ସେ ଦୁର୍ଗମ ବନବାସୀ ଅଞ୍ଚଳରେ ରାତ୍ରୀକାଳୀନ ବିଦ୍ୟାଳୟର ସମ୍ପ୍ରସାରଣ, ଶିକ୍ଷା, ସଂସ୍କାର ଏବଂ ସାମାଜିକ ଜାଗରଣ ପାଇଁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରିଥିଲେ।
ଆଜି ଏକଲ ବିଦ୍ୟାଳୟ ଅଭିଯାନ ଦେଶର ଦୁର୍ଗମ ଅଂଚଳ, ବନବାସୀ ବହୁଳ ଗ୍ରାମ, ସମ୍ବେଦନଶୀଳ ଅଂଚଳ ଏବଂ ସୀମାନ୍ତବର୍ତୀ ପ୍ରାୟ ଏକ ଲକ୍ଷ ଗାଁରେ ପହଂଚି ସାରିଛି।
ଆମ ଓଡ଼ିଶାରେ ମଧ୍ୟ ୨୨ଟି ଜିଲ୍ଲାର ୧୭୭ଟି ପ୍ରଖଣ୍ଡ ଅନ୍ତର୍ଗତ ୫,୦୦୦ରୁ ଅଧିକ ଗାଁରେ ତଥା ବଲାଙ୍ଗୀର ଜିଲ୍ଲାର ୩୨୦ଟି ଗାଁରେ ପଂଚମୁଖୀ ଶିକ୍ଷା ସହିତ ଏକଲ ବିଦ୍ୟାଳୟ ପରିଚାଳିତ ହେଉଛି। ଏହି ବିଦ୍ୟାଳୟଗୁଡ଼ିକ ମାଧ୍ୟମରେ ଗ୍ରାମୀଣ ତଥା ବନବାସୀ ପିଲା ଏବଂ ଗ୍ରାମବାସୀଙ୍କ ନିକଟରେ ଶିକ୍ଷା, ସଂସ୍କାର ଓ ସାମାଜିକ ଜାଗରଣର ବାର୍ତା ପହଂଚାଯାଉଛି।
ଶ୍ରୀ ଶ୍ୟାମ ଗୁପ୍ତଙ୍କ ଏହି ଗସ୍ତ ଗ୍ରାମୀଣ ତଥା ବନବାସୀ ସମାଜ ମଧ୍ୟରେ ଶିକ୍ଷା, ସଂସ୍କାର, ସେବା ଏବଂ ଆତ୍ମନିର୍ଭରଶୀଳତାର ଭାବନାକୁ ସୁଦୃଢ଼ କରିବା ଦିଗରେ ଅତ୍ୟନ୍ତ ପ୍ରେରଣାଦାୟୀ ସାବ୍ୟସ୍ତ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ